ନନ୍ଦପୁର: ପୁଲିସକୁ ମାଡ଼ ମାରି ଚମ୍ପଟ ଘଟଣାରେ ଅଭିଯୁକ୍ତକୁ ୨୪ଘଣ୍ଟା ମଧ୍ୟରେ ଗିରଫ କରିଛି ପୁଲିସ। ଶ୍ବଶୁର ଘରେ ଆତ୍ମଗୋପନ କରିଥିବା ଏସ୍‌.କେ. ସାଇନ୍‌କୁ ଅତର୍କିତ ଚଢ଼ଉ କରି ପୁଲିସ ଉଠାଇ ଆଣିଛି। ମାମଲା ରୁଜୁ ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଜଣେ ନାବାଳିକାଙ୍କୁ ଅପହରଣ ମାମଲାରେ ଉମେଶ ଗୁଣ୍ଠାକୁ ପୁଲିସ ଥାନାକୁ ଆଣିଥିଲା। କିନ୍ତୁ ଚକ୍‌ମା ଦେଇ ଉମେଶ ଥାନା‌ରୁ ଫେରାର ହୋଇଯାଇଥିଲା। ଉମେଶକୁ ସନ୍ଧାନ କରିବା ସମୟରେ ମାମୁ ଏସ୍‌.କେ. ସାଇନ୍‌ ଆଶ୍ରୟ ଦେଇଥିବା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ତେଣୁ ଏସ୍‌.କେ. ସାଇନ୍‌କୁ ଗତକାଲି ପତ୍ରପଣ୍ଡି ଗାଁରୁ ପୁଲିସ ଥାନାକୁ ଆଣି ପଚରାଉଚୁରା କରିଥିଲା। ତେବେ ପୁଲିସ ଗିରଫ କରିବା ଆଶଙ୍କାରେ ଏସ୍‌.କେ. ସାଇନ୍‌ ଜଣେ କନେଷ୍ଟବଳଙ୍କୁ ବନ୍ଧୁକରେ ଆକ୍ରମଣ କରି ଚମ୍ପଟ ମାରିଥିଲା।

Advertisment

ଥାନା ଭିତରେ ପୁଲିସ କନେଷ୍ଟବଳଙ୍କୁ ଆକ୍ରମଣ କରି ଜଣେ ସନ୍ଦିଗ୍ଧ ଫେରାର ହେବା ପୁଲିସର ଛବିକୁ ମଳିନ କରିଥିଲା। ପୁଲିସ ନିଜେ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ହେଲା। ଏମିତି ସ୍ଥିତିରେ ଆଜି କୋରାପୁଟ ଏସ୍‌ପି ଅଭିନବ ସୋନକର ନନ୍ଦପୁର ଥାନାରେ ପହଞ୍ଚିଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତ୍ବରିତ୍‌ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଗତକାଲି ଠାରୁ ଏସ୍‌.କେ. ସାଇନ୍‌କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା। ସନ୍ଦିଗ୍ଧ ଠିକଣାରେ ପଚରାଉଚୁରା କରିବା ସହ ଗୁଇନ୍ଦା ସୂତ୍ରରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ନିଜ ଶ୍ବଶୁର ଘରେ ଅଭିଯୁକ୍ତ ଆଶ୍ରୟ ନେଇଥିବା ସୂଚନା ମିଳିଥିଲା। ଏସ୍‌ଡିପିଓ ସମ୍ବିତ କୁମାର ମାଝିଙ୍କ ନେତୃତ୍ୱରେ ଆଇଆଇସି ମମତା କୁମାରୀ ପଣ୍ଡା ହିକିମିପୁଟ ପଞ୍ଚାୟତ ଅନ୍ତର୍ଗତ ବିଲାପୁଟ ଗାଁରେ ଆଜି ସକାଳେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ।