ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକସ୍ଥିତ ଜଲେଶପଟ୍ଟା ପୁଣି ଅଶାନ୍ତ ହୋଇପଡ଼ିଛି। ଗତକାଲି ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଆଜି ପୁଲିସ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମହାଦେବ ମହାରାଜ। କନ୍ଧମାଳ ପୁଲିସ ଅଭିଯୁକ୍ତ ମହାଦେବ ମହାରାଜଙ୍କୁ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକଣା ଅଞ୍ଚଳରୁ ଗିରଫ କରିଛି।

Advertisment

ଅଭିଯୁକ୍ତ ମହାଦେବ ମହାରାଜଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ପୂର୍ବରୁ ସେ ଜଲେଶପଟ୍ଟା ଆଶ୍ରମରେ କାର୍ଯ୍ୟ କରୁଥିଲେ। ମନୋମାଳିନ୍ୟ ଯୋଗୁଁ ସେ ଜଲେଶପଟ୍ଟା ଆଶ୍ରମ ଛାଡ଼ି ରାୟଗଡ଼ା ଜିଲ୍ଲା ବିଷମକଟକରେ ଏକ ଆଶ୍ରମ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ମହାଦେବ ମହାରାଜ ଏଭଳି ‌ହତ୍ୟା ଧମକ ଦେଇଥିବା କନ୍ଧମାଳ ଏସ୍.ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଗତକାଲି ସନ୍ଧ୍ୟା ସାଢ଼େ ୫ଟା ବେଳେ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ଟେଲିଫୋନ୍‌ରେ ହତ୍ୟା ଧମକ ଆସିଥିଲା। ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା।

ଗତକାଲିର ଘଟଣା ଜଲେଶପଟ୍ଟା କନ୍ୟାଶ୍ରମରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ସକାଳ ୮ଟା ୫୭ ମିନିଟ୍‌ରେ ପୁଣିଥରେ ଟେଲିଫୋନରେ ଧମକ ହତ୍ୟା ଧମକ ଆସିଥିଲା। ଗତକାଲି ଯେଉଁ ଫୋନ୍ ନମ୍ବରରୁ ଧମକ ଆସିଥିଲା ଆଜି ବି ସେହି ସମାନ ନମ୍ବରରୁ ଧମକ ଆସିଛି ବୋଲି ଜୀବନମୁକ୍ତାନନ୍ଦ କହିଛନ୍ତି। ଆଜି କନ୍ଧମାଳ ଏସ୍‌.ପି ଜଲେଶପଟ୍ଟା କନ୍ୟାଶ୍ରମରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏକ ବୋମା ନିଷ୍କ୍ରିୟକାରୀ ଦଳ ଆଶ୍ରମ ପରିସରରେ ପହଞ୍ଚି ତନ୍ନତନ୍ନ କରି ସବୁ ଅଞ୍ଚଳ ଯାଞ୍ଚ କରିଥିବା ଜଣାପଡ଼ିଛି।

ଅଜଣା ବ୍ୟକ୍ତିଙ୍କ ଠାରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ପାଇବା ପରେ ଆଶ୍ରମ ମୁଖ୍ୟଙ୍କ ସମେତ କନ୍ୟାଶ୍ରମର ଅନ୍ତେବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଅଜଣା ବ୍ୟକ୍ତି ଜଣକ କିଏ? କେଉଁ ନମ୍ବରରୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା ଏଥିନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ପୁଲିସ ଏହି ଘଟଣାର ଖଳନାୟକ ମହାଦେବ ମହାରାଜଙ୍କ ନିକଟରେ ପହଞ୍ଚି ଗିରଫ କରିଛି। ଆଜି ଜଲେଶପଟ୍ଟା ଆଶ୍ରମରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅଭିଯୁକ୍ତ ଗିରଫ ହେବା ପରେ କନ୍ୟାଶ୍ରମ ‌ଅନ୍ତେବାସୀ ଆଶ୍ବସ୍ତି ଲାଭ କରିଛନ୍ତି।