ରାଉରକେଲା: ଗୁରୁବାର ବିଳମ୍ବିତ ରାତିରେ ନୂଆଗାଁ ବ୍ଲକ୍ ତେତେରକେଲାରେ ଆୟୋଜିତ ଟୁସୁ ମେଳଣରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଶ୍ରା ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବିଶ୍ରା ଥାନା ବାଙ୍କୋଟୋଲାର ହୁଲ୍ଲାସ ମୁଣ୍ଡାରୀ (୪୩), ଜାମବେର୍ଣ୍ଣା ଗାଁର ବୁଡ଼ା ଓରାମ (୩୦), ଆନନ୍ଦ ଓରାମ (୨୩), ଅଭିଷେକ ମାହାତୋ (୨୬), ମଙ୍ଗଳନାଥ ଓରାମ (୨୭) ଏବଂ ସଞ୍ଜୟ ଓରାମ (୨୮)। ଏମାନଙ୍କ ମଧ୍ୟରୁ ପ୍ରଥମ ୫ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ସୁନ୍ଦରଗଡ଼ ଜେଲ୍ ପଠାଇ ଦିଆଯାଇଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଗୁରୁବାର ରାତିରେ ତେତେରକେଲା କୋଏଲ୍ ନଦୀ କୂଳରେ ଟୁସୁ ମେଳଣ ଆୟୋଜିତ ହୋଇଥିଲା। ରାଉରକେଲାରେ ରହି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରୀଜଣକ ଗୁରୁଣ୍ଡିଆ ଅଞ୍ଚଳର ନିଜ ପୁରୁଷବନ୍ଧୁଙ୍କୁ ମେଳା ଦେଖି ଯିବାକୁ ଫୋନ୍ କରି ଡାକିଥିଲେ। ପୁରୁଷବନ୍ଧୁ ରାଉରକେଲାରେ ପହଞ୍ଚିବା ପରେ ଉଭୟ ଟୁସୁ ମେଳଣ ଦେଖିବାକୁ ତେତେରକେଲା ଯାଇଥିଲେ। ମଧ୍ୟରାତ୍ରିରେ ଦୁହେଁ ମେଳାପଡ଼ିଆ ନିକଟରେ ଠିଆ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳର ତିନିଜଣ ଯୁବକ ସେଠାକୁ ଆସିଥିଲେ। ପୁରୁଷବନ୍ଧୁଙ୍କୁ ଧମକଚମକ ଦେଇ ଭଗାଇ ଦେବା ପରେ ଛାତ୍ରୀଙ୍କୁ ମେଳାପଡ଼ିଆ ନିକଟସ୍ଥ ନିଛାଟିଆ ସ୍ଥାନକୁ ଟେକି ନେଇଥିଲେ। ନିଛାଟିଆ ସ୍ଥାନରେ ପହଞ୍ଚିବା ପରେ ତିନି ଯୁବକ ଆଉ ତିନିଜଣ ଯୁବକଙ୍କୁ ସେଠାକୁ ଡାକିଥିଲେ। ସେଠାରେ ଜଣେ ପରେ ଜଣେ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପରେ ୬ ଯୁବକ ଛାତ୍ରୀଙ୍କୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ। ଛାତ୍ରୀଜଣକ କୌଣସି ମତେ ସେଠାରୁ ମେଳାପଡ଼ିଆକୁ ଆସି ନିଜ ପୁରୁଷବନ୍ଧୁଙ୍କୁ ଡାକିଥିଲେ। ଦୁହେଁ ବିଳମ୍ବିତ ରାତିରେ ବିଶ୍ରା ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ଦୁଇଟି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୩ ଘଣ୍ଟା ମଧ୍ୟରେ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅନ୍ୟଜଣେ ଫେରାର ହୋଇ ଯାଇଥିଲା। ଶନିବାର ସକାଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଫେରାର ଯୁବକକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/19/v1lG8X1TbuZRdUoZDveb.jpg)