ନାବାଳିକାଙ୍କୁ ବିକ୍ରି ଉଦ୍ୟମ ପଣ୍ଡ : ଘର ଜାଳିଦେଲା ଅଭିଯୁକ୍ତ, ପୀଡ଼ିତା ପରିବାର ସିଡବ୍ଲୁସିର ଦ୍ବାରସ୍ଥ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଉତ୍ତରପ୍ରଦେଶରେ ବିକ୍ରି କରିବାକୁ ଉଦ୍ୟମ ହୋଇଛି। ନାବାଳିକାଙ୍କ ପରିବାର ଲୋକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ନାବାଳିକାଙ୍କ ଘର ମଧ୍ୟ ପୋଡ଼ି ଦେଇଛି। ଏ ସଂପର୍କରେ ଆଜି ନାବାଳିକା ଏବଂ ତାଙ୍କ ପରିବାର ବାଲେଶ୍ବର ସିଡବ୍ଲୁସିର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

ଅଭିଯୋଗ ଅନୁସାରେ, ଖନ୍ତାପଡ଼ା ଥାନା ମହାରାଜପୁର ବୋଇତା ଅଞ୍ଚଳର ଏହି ୧୩ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ପଡ଼ୋଶୀ ପଦ୍ମଲୋଚନ ଜେନା (୬୦) ଦୀର୍ଘଦିନ ଧରି ଦୁର୍ବ୍ୟବହାର କରି ଆସୁଛନ୍ତି। ଏମିତିକି ନାବାଳିକାଙ୍କୁ ଉତ୍ତରପ୍ରଦେଶରେ ବିବାହ କରାଇ ଦେବେ କହି ତାଙ୍କ ବାପାଙ୍କୁ ଅଭିଯୁକ୍ତ ପଦ୍ମଲୋଚନ ୧୦ ହଜାର ଯାଚିଥିଲେ। ହେଲେ ଏତେ କମ୍‌ ବୟସରୁ ଝିଅକୁ ବିବାହ ଦେବେନି ବୋଲି ବାପା କହିବାରୁ ପଦ୍ମଲୋଚନ ରାଗ ରଖି ନାବାଳିକାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। କିଛି ଦିନ ତଳେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବାବେଳେ ‌ପଦ୍ମଲୋଚନଙ୍କ ସହ ତାଙ୍କ ଝିଅ ଓ ପତ୍ନୀ ମିଶି ତାକୁ ଟେକିନେଇ ଘରେ ପୂରାଇ ଦେଇଥିଲେ। ପରେ ପଦ୍ମଲୋଚନ ନାବାଳିକାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ। ପ୍ରାଣ ବିକଳରେ ନାବାଳିକା ଜଣକ ଚିତ୍କାର କରିବାରୁ ତାଙ୍କ ମା’ଦୌଡ଼ି ଆସି ପ୍ରତିବାଦ କରିଥିଲେ। ଅଭିଯୁକ୍ତ ପଦ୍ମଲୋଚନ ତାଙ୍କୁ ବି ଛାଡ଼ିନଥିଲେ। ମାଡ଼ ମାରିବା ସହ ଝିଅକୁ ଜୋରଜବଦରସ୍ତ ଅପହରଣ କରିନେଇ ଉତ୍ତରପ୍ରଦେଶରେ ବିକ୍ରି ‌କରିଦେବ ବୋଲି ଧମକ ଦେଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ କେନ୍ଦ୍ର କରି ପଦ୍ମଲୋଚନ କିଛିଦିନ ପୂର୍ବରୁ ନାବାଳିକାଙ୍କ ଘର ପୋଡ଼ି ଦେଇଛନ୍ତି। ଏ ନେଇ ଖନ୍ତାପଡ଼ା ଥାନାରେ ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପରିବାର ଲୋକେ ସିଡବ୍ଲୁସିରେ ଲିଖିତ ଅଭିଯୋଗ କରିଛନ୍ତି। ସିଡବ୍ଲୁସିର ମୁଖ୍ୟ ଭାଗିରଥୀ ବାରିକଙ୍କ କହିବା ଅନୁସାରେ, ନାବାଳିକା ନିଜ ଘରକୁ ଯିବାକୁ ରାଜି ନହେବାରୁ ଦୂରରେ ତାଙ୍କ ଜେଜେବାପାଙ୍କ ନିକଟକୁ ପଠାଇଛୁ। ଘଟଣା ସଂପର୍କରେ ଖନ୍ତାପଡ଼ା ପୁଲିସକୁ ଅବଗତ କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର