ସଦରଥାନାରେ ହାଜତ ମୃତ୍ୟୁ: ବେକରେ ଚିରା ବେଡସିଟ ଲଗାଇ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ପରିବାରବର୍ଗକୁ ଅପେକ୍ଷା, ଆସିଲେ ହେବ ଶବବ୍ୟବଚ୍ଛ‌େଦ, ତିନି ଏସଡିପିଓଙ୍କ ତନାଘନା, ସାଇଣ୍ଟିଫିକ୍ ଟିମର ତନାଘନା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନାରେ ଗ‌ଞ୍ଜ‌େଇ ଚାଲାଣରେ ଲିପ୍ତ ଥିବା ଜଣେ ଅପରାଧୀଙ୍କର ହାଜତରେ ମୃତ୍ୟୁ ଘଟିଛି। ବେକରେ ଚିରା ବେଢସିଟ ଲଗାଇ ପାଇଖାନାରେ ଆତ୍ମହତ୍ୟା କରିଛନ୍ତି ଜଣେ ଅପରାଧୀ। ମୃତକ ଜଣଙ୍କ ହେଲେ ରାଜସ୍ଥାନ ନାଗୁର ଜିଲ୍ଲା ୱାଡ ନମ୍ବର ୧୧ର କାଥୋଡି ନଗର ଅଞ୍ଚଳ ଅଧୀନରେ ରହିଥିବା ଶିବ କରଣଙ୍କ ପୁଅ ଗୋପାଳ ରାମ (୪୪)। ଆଜି ଭୋର ପ୍ରାୟ ୫ଟା ୩୦ ବେଳେ ପାଇଖାନାକୁ ଯିବାକୁ କହି ଏପରି କାର୍ଯ୍ୟ ଘଟାଇଛନ୍ତି ଏହି ଅପରାଧୀ। ଏହାକୁ ନେଇ ଜୟପୁରରେ ହଇଚୟୀ ସୃଷ୍ଟି ହୋଇଥିବାବେଳେ ଜୟପୁର ଓଆଇସି ଦାୟିତ୍ବରେ ରହିଥିବା ଆଦିତ୍ୟ ମହାକୂର, ସେଣ୍ଟ୍ରି ଡି.କେ ମାଝିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିବା ଆଶଙ୍କା କରାଯାଉଛି। ଏହାକୁ ଗୁରୁତ୍ବକୁ ନେଇ ଜୟପୁର ଏସଡିପିଓ ବରୁଣ ଗୁଣ୍ଟାପାଲି, ଲକ୍ଷ୍ମୀପୁର ଏସଡିପିଓ ଏ.କେ ନାୟକ ଓ ବୋରିଗୁମ୍ମା ଏସଡିପିଓ ଏଚ.କେ ମାଝି ତନାଘନା କରିଛନ୍ତି। ଏହାସହ ସାଇଣ୍ଟିଫିକ ଟିମ ପହଞ୍ଚି ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ସଦର ପୁଲିସ ପକ୍ଷରୁ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ଜାରିରହିଥିବାବେଳେ ଏହାର ତଦନ୍ତଭାର ଲକ୍ଷ୍ମୀପୁର ଏସଡିପିଓ ଏ.କେ. ନାୟକ ନେଇଥିବା ଜଣାପଡିଛି। ତେବେ ଏନେଇ ପରିବାରବର୍ଗଙ୍କୁ ଖବର ଦିଆଯାଇଛି। ପରିବାରବର୍ଗ କୋରାପୁଟରେ ପହଞ୍ଚିବା ପରେ ଶବବ୍ୟବଚ୍ଛ‌େଦ ହେବା ସହ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ। ଏବେ ଶବକୁ କୋରାପୁଟସ୍ଥିତ ଶହିନ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶବାଗୃ୍ହରେ ରଖାଯାଇଥିବା ଜଣାପଡିଛି।

ଏସଡିପିଓ ଶ୍ରୀ ଗୁଣ୍ଟୁପାଲି ସୂଚନା ଦେଇ କହିଛନ୍ତି ଯେ ଗତକାଲି ସଦର ପୁଲିସ ଉମୁରୀ ନିକଟରେ ଏସଆଇ ଏସ ପଣ୍ଡା ଓ ତାଙ୍କ ଟିମ୍‌ ରାତ୍ରୀକାଳୀନ ପ୍ରଟ୍ରୋଲିଂ କରୁଥିଲା। ଏହି ସମୟରେ ପାଡୁଆରୁ ଏକ ଟ୍ରକ (ଆରଜେ-୨୧-ଜିଏ-୩୯୫୯) ଜୟପୁର ଦେଇ ରାଜସ୍ତାନ ଯାଉଥିଲା। ହଠାତ ପୁଲିସ ଦେଖି ଏହି ଟ୍ରକଟି ଉମୁରି ନିକଟରେ ଅଟକି ଥିଲା। ପରେ ଯାଞ୍ଚ କରିବାକୁ ଯିବାବେଳେ ସେଠାରୁ ଡ୍ରାଇଭର ଖସି ପଳାଇଥିଲା। ଟ୍ରକକୁ ଥାନାକୁ ଆଣି ରଖାଯାଇଥିଲା। ସେଠାରେ ଏକଜ୍ୟୁଟିଭ୍ ମାଜିଷ୍ଟ୍ର‌େଟଙ୍କ ଉପସ୍ଥିତିରେ ତନଖୀ କରାଯିବାପରେ ୮୦୫.୮କେଜି ଗଞ୍ଜେଇ(ପାଖାପାଖି ୪୫ ଲକ୍ଷ) ଧରାପଡିଥିଲା। ଏହାସହ ଗୋପାଳ ରାମ ନାମକ ଏକ ଆଧାର କାର୍ଡ ମିଳିଥିଲା। ଏନେଇ ଥାନାରେ ୧୨ଟା୩୦ରେ ୧୬୦/୩୦ରେ ଏକ ମାମଲା ରୁଜୁ ହୋଇଥିଲାବେଳେ ପରେ ଏକ ଟିମ ସେଠାକୁ ଯାଇ ଖୋଜାଖୋଜି କରିବା ପରେ ଗୋପାଳ ରାମଙ୍କୁ ପାଖାପାଖି ୨ଟାରେ ଧରି ଆଣିଥିଲେ। ତାଙ୍କୁ ହାଜତରେ ରଖାଯାଇଥିଲା। ପରେ ୫ଟା ୩୦ରେ ସେଣ୍ଟ୍ରିଥିବା ପୁଲିସ କର୍ମଚାରୀ ଡି.କେ ମାଝିଙ୍କୁ ପାଇଖାନାକୁ ଯିବାକୁ କହିଥିଲା।

ତେବେ ଶୋଇବାକୁ ଦିଆଯାଇଥିବା ବେଡସିଟ୍‌ ଖଣ୍ଡରେ  ସେ ପାଇଖାନାରେ ସାମାନ୍ୟ ଝୁଲି ପଡିଥିଲା। ପରେ ସେଣ୍ଟ୍ରି ଜଣକ ପାଟିତୁଣ୍ଡ କରିବା ପରେ କବାଟ ଖୋଲି ଜିଲ୍ଲା ଚିକିତ୍ସାଳୟକୁ ନେଇଥିବାବେଳେ ଡାକ୍ତର ମୃତ୍ୟୁ ଘଟିଥିବା କହିଥିଲେ। ପରେ ମାଧ୍ୟହ୍ନରେ କୋରାପୁଟକୁ ନିଆଯାଇ ଶବକୁ ସଂରକ୍ଷିତ ରଖାଯାଇଥିବା ସେ କହିଛନ୍ତି। ଏନ‌େଇ ଶ୍ରୀ ଗୁଣ୍ଟାପାଲି କହିଛନ୍ତି ଯେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତଭାର ଲକ୍ଷ୍ମୀପୁର ଏସଡିପିଓଙ୍କୁ ଦିଆଯାଇ ଥିବାବେଳେ ଏନଏଚଆରସିର ନିୟମ ଅନୁସାରେ ବିଭାଗୀୟ ତଦନ୍ତ, ଆଇନଗତ ତଦନ୍ତ ପାଇଁ ଆମେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଏହାସହ ଏହି ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଆଉ କିଏ ରହିଛନ୍ତି ତାହାର ଯାଞ୍ଚ କରାଯିବା। ଏହି ଟ୍ରକ ଯେଉଁ ଲୋକର ନାମରେ ରହିଛି ତାଙ୍କୁ ଡକାଯିବ ଓ ଏହା ପଛରେ କିଏ କିଏ ରହିଛନ୍ତି ତାହାର ତନାଘନା ହେବ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର