କେନ୍ଦୁଝର/ଝାରସୁଗୁଡ଼ା: ବହୁଚର୍ଚ୍ଚିତ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଆତ୍ମହତ୍ୟା କରିଛି। ଅଭିଯୁକ୍ତ ଅଜୟ ସାହୁକୁ ଧରିବା ପାଇଁ ପୁଲିସ ଜୋରଦାର ଉଦ୍ୟମ କରୁଥିବାବେଳେ ଝାରସୁଗୁଡ଼ାରେ ରେଳଧାରଣାରୁ ତା’ର ମୃତଦେହ ମିଳିଥିବା କେନ୍ଦୁଝର ଏସ୍ପି ନୀତୀନ କୁଶଲକର ସୂଚନା ଦେଇଛନ୍ତି।
ଆଜି ଏସ୍ପି ଶ୍ରୀ କୁଶଲକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ, କେନ୍ଦୁଝର ସହର ଶଙ୍କରଗଳି ପବିତ୍ରଡ଼ିହାରେ ଗତ ୪ ତାରିଖରେ ମନୋରମା ବେହେରା (୨୦)ଙ୍କୁ ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ବାପା ରବୀନ୍ଦ୍ର ବେହେରା, ମା’ ସତ୍ୟଭାମା ଓ ସାନଭଉଣୀଙ୍କ ସହ ମନୋରମା ରହୁଥିଲେ। ଘଟଣା ଦିନ ବାପାମା’ ଛତୁ ବିକ୍ରି କରିବା ପାଇଁ ଲାବଣ୍ୟଛକକୁ ଯାଇଥିଲେ। ସାନଭଉଣୀ ମାନସୀ କଲେଜ ଯାଇଥିବାବେଳେ ମନୋରମା ଘରେ ଏକୁଟିଆ ଥିଲେ। ମାନସୀ କଲେଜରୁ ଫେରିଲା ବେଳକୁ ଘର ବାହାରପଟୁ ବନ୍ଦ ଥିଲା। ଝରକା ପଟେ ଦେଖିଲା ବେଳକୁ ଘରେ ଭଉଣୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା। ପରେ ବାପାମା’ ଘରେ ପହଞ୍ଚି କେନ୍ଦୁଝର ଟାଉନ ଥାନାକୁ ସୂଚନା ଦେଇଥିଲେ। ସାନଭଉଣୀ ମାନସୀଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଟାଉନ ଥାନା ଅଧିକାରୀ ବିବତ୍ସ ପ୍ରଧାନ ନିଜେ ତଦନ୍ତ ଭାର ନେଇଥିଲେ।
ତଣ୍ଟି କାଟି ଯୁବତୀଙ୍କୁ ହତ୍ୟା
ରେଳଧାରଣାରୁ ମିଳିଲା ମୃତଦେହ
ପୁଲିସ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବନ୍ତ ଥାନା ଡଲାଙ୍ଗ ଗ୍ରାମର ଅଜୟ ସାହୁ (୨୪) ବୋଲି ଜାଣିବାକୁ ପାଇଥିଲା। ଗୁଜରାଟର ଏକ କମ୍ପାନିରେ କାମ କରୁଥିବା ଅଜୟଙ୍କ ସହ ମନୋରମା(୨୦)ଙ୍କର ପୂର୍ବରୁ ପରିଚୟ ରହିଥିଲା। ଗତ ୩ ତାରିଖରେ ଅଜୟ କେନ୍ଦୁଝର ଯାଇଥିବା ବେଳେ ମନୋରମାଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା। ୪ ତାରିଖରେ ମନୋରମା ଘରେ ଏକୁଟିଆ ଥିବା ବେଳେ ତାଙ୍କ ଗଳା କଟାଯାଇଥିବା ତଥା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମନୋରମାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଅଜୟ ଏକ ଅଟୋରେ ପଳାଇଥିଲେ। ପୁଲିସ୍ ଶେଷଥର ପାଇଁ ଅଜୟଙ୍କ ମୋବାଇଲ୍ ଖରସୁଆଁ ଅଞ୍ଚଳରେ ଟ୍ରାକ୍ କରିଥିଲା। ସେହିଦିନ ରାତି ପ୍ରାୟ ସାଢ଼େ ୮ଟା ବେଳେ ଝାରସୁଗୁଡ଼ା ସହର ଶିରିଆବଗିଚା ନିକଟ ରେଳଧାରଣାରେ ଏକ ମୃତଦେହ ପଡ଼ିଥିବା ନେଇ ଖବର ପାଇଥିଲା ଜିଆର୍ପି। ମୃତକଙ୍କ ପକେଟରୁ ଏକ ସାଦା କାଗଜରେ ଅଜୟ ସାହୁ ଓ ମନୋରମା ବେହେରାଙ୍କ ନାମ, ବାପାଙ୍କ ନାମ, ଠିକଣା ଲେଖାଥିବା ମିଳିଥିଲା।
ଏହାସହିତ ମୃତ ଅଜୟଙ୍କ ପକେଟରୁ ମନୋରମାଙ୍କ ଏସ୍ବିଆଇ ଏଟିଏମ୍ କାର୍ଡ, ଗୁଜରାଟରେ କାମ କରୁଥିବା କମ୍ପାନିର ପରିଚୟପତ୍ର ଓ ନିଜର କିଛି ପାସପୋର୍ଟ ଫଟୋ ପାଇଥିଲା ରେଳବାଇ ପୁଲିସ। ତେବେ ଅଜୟ କିଭଳି ଝାରସୁଗୁଡ଼ା ଆସିଲେ, ଏଠାରେ ତାଙ୍କୁ କିଏ ହତ୍ୟା କଲା ନା ସେ ଟ୍ରେନ୍ରୁ ଗଳି ପଡ଼ିଥିଲେ, କି ଜାଣିଶୁଣି ଆତ୍ମହତ୍ୟା କରିବାକୁ ଏହି ସ୍ଥାନ ବାଛିଲେ; ତାହା ଏବେ ବି ରହସ୍ୟାବୃତ ହୋଇରହିଛି। ଅନ୍ୟପକ୍ଷରେ ମନୋରମାଙ୍କୁ ହତ୍ୟା ପରେ ସେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ଏସ୍ପି ଶ୍ରୀ କୁଶଲକର ସୂଚନା ଦେଇଛନ୍ତି। ଅଜୟ ସହ ମନୋରମାଙ୍କର ୪ ବର୍ଷ ଧରି ସମ୍ପର୍କ ଥିଲା ବୋଲି ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ଜଣାପଡ଼ିଛି।