ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ନମିତା ସତନାମୀଙ୍କୁ ଗୁରୁବାର ନିର୍ମମ ଭାବରେ ହତ୍ୟା କରିଥିବା ନିଲାଥର ଗ୍ରାମର ଅଭିଯୁକ୍ତ ଇନ୍ଦ୍ରଜିତ ଧରୁଆ(୨୬) ଏହାର ୨୪ ଘଣ୍ଟା ନ ପୂରୁଣୁ ଆତ୍ମହତ୍ୟା କରିଛନ୍ତି। ସ୍ବର୍ଗତ ମନ୍ଦର ଧରୁଆଙ୍କ ସାନପୁଅ ଇନ୍ଦ୍ରଜିତ ନମିତାଙ୍କୁ ହତ୍ୟା କରିବା ପରେ ପାଇକମାଳ ପୁଲିସ ସବୁଠାରେ ତାଙ୍କର ତଲାସି ଆରମ୍ଭ କରିଥିଲା। ତେବେ ଶୁକ୍ରବାର ସକାଳେ ନିଲାଥର ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛରେ ଇନ୍ଦ୍ରଜିତଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ପ୍ରଥମେ ତାଙ୍କ ଭାଇ ପୀତାମ୍ବର ଧରୁଆ ସୂଚନା ପାଇଥିଲେ। ଏହାପରେ ସେ ମୃତଦେହ ଚିହ୍ନଟ କରି ପୁଲିସକୁ ସୂଚନା ଦେଇଥିଲେ।
ଖବର ପାଇବା ପରେ ପାଇକମାଳ ଥାନାଧିକାରୀ ସୁଶାନ୍ତ କୁମାର ବଢ଼େଇ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ମେଡିକାଲକୁ ପଠା ଯାଇଥିଲା। ଆତ୍ମହତ୍ୟା କରିଥିବା ହତ୍ୟା ଅଭିଯୁକ୍ତ ଇନ୍ଦ୍ରଜିତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ତେବେ ବର୍ତ୍ତିବାର କୌଣସି ଉପାୟ ନ ପାଇ ସେ ଆତ୍ମହତ୍ୟାର ବାଟ ଆପଣେଇଥିବା କହାଯାଉଛି। ପାଇକମାଳ ଥାନା କେସ୍ ନମ୍ବର ୪୫/୨୩ ମାମଲା ରୁଜୁ କରି ଆଇପିସି ଧାରା ୩୦୨/୩୦୭ରେ ମାମଲାର ତଦନ୍ତ କରୁଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/suicide.jpg)