ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସ୍ଆଇଟି କରିଥିବା ଆବେଦନ ଉପରେ ଆଜି ଶୁଣାଣି ଆରମ୍ଭ ହୋଇଥିଲା। ଏ ନେଇ ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବି)ରେ ହାଜର କରାଯାଇଥିଲା। ହେଲେ ଶୁଣାଣି ସମୟରେ ବ୍ରେନ ମ୍ୟାପିଂ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ମନା କରିଥିବା ଜଣାପଡ଼ିଛି। ଏହା ପରେ କୋର୍ଟ ଏସଆଇଟିର ଯୁକ୍ତି ଶୁଣି ସାରି ରାୟକୁ ସଂରକ୍ଷିତ ରଖିଛନ୍ତି । ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ବି ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ମନା କରିଥିଲା।
ପୂର୍ବରୁ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ(ଜେଜେବି)ରେ ଏସ୍ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୁକ୍ତ ଏହି ଟେଷ୍ଟ ପାଇଁ ରାଜି ହୋଇ ନଥିବା ବେଳେ ଜେଜେବି ବି ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଅନୁମତି ଦେଇ ନଥିଲେ।
ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତକୁ ନିଶା ଦିଆଯାଇ ଅଚେତ୍ କରି ପରୀକ୍ଷା କରାଯାଇଥାଏ। ସମ୍ବିଧାନର ଧାରା ୨୧ ଅନୁଯାୟୀ କାହାର ବଞ୍ଚିବା ନେଇ କେହି ହସ୍ତକ୍ଷେପ କରିପାରିବେ ନାହିଁ। ତେଣୁ ଏଭଳି କଠିନ ପରୀକ୍ଷାରେ ଜୀବନ ପ୍ରତି ବିପଦ ଥିବାରୁ, ଜେଜେବି ଅଭିଯୁକ୍ତର ଅନିଚ୍ଛା ଯୋଗୁଁ ଟେଷ୍ଟ ପାଇଁ ଅନୁମତି ଦେଇ ନ ଥିବା କୁହାଯାଇଥିଲା।