ଦଣ୍ଡାଦେଶ କୋହଳ, ଆସାମୀକୁ ଆଜୀବନ କାରାଦଣ୍ଡ

ନାବାଳିକା ହତ୍ୟାକାଣ୍ଡ ମାମଲା

କଟକ : ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ ୨୦୧୩ ମସିହାରେ ସଂଘଟିତ ଏକ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବନବିହାରୀ ବେହେରାର ମୃତ୍ୟୁଦଣ୍ଡକୁ କୋହଳ କରି ହାଇକୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଏକତରଫା ପ୍ରେମରୁ ୨୦୧୩ ଏପ୍ରିଲ୍‌ ୨୬ ତାରିଖରେ ଟମକା ଥାନା ଅନ୍ତର୍ଗତ ନିପଣିଆ ଗ୍ରାମରେ ଆସାମୀ ବନବିହାରୀ ବେହେରା ନାବାଳିକା ବିଶ୍ୱକଳ୍ପିତା ବେହେରାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ବନବିହାରୀକୁ ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ। ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଆସାମୀର ଆବେଦନ ଉପରେ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୨୦୧୫, ନଭେମ୍ବର ୧୯ରେ ରାୟ ପ୍ରକାଶ କରିଥିଲେ। ଦୁଇ ଜଣ ବିଚାରପତି ଭିନ୍ନ ଭିନ୍ନ ରାୟ ଦେଇଥିଲେ। ଯାଜପୁର ଜିଲ୍ଲା ଜଜ୍‌ ଦେଇଥିବା ମୃତ୍ୟୁଦଣ୍ଡାଦେଶ କାଏମ୍‌ ରଖିବା ସପକ୍ଷରେ ଜଷ୍ଟିସ୍‌ ବିନୋଦ ପ୍ରସାଦ ରାୟ ଦେଇଥିଲେ। ଏହି ରାୟରେ ସମ୍ମତି ପ୍ରକାଶ ନ କରି ଜଷ୍ଟିସ୍‌ ରଘୁବୀର ଦାଶ ଆବେଦନକାରୀକୁ ମୃତ୍ୟଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପ୍ରଦାନ ସପକ୍ଷରେ ରାୟ ଦେଇଥିଲେ।

ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ରାୟକୁ ନେଇ ସହମତି ହୋଇ ନପାରିବାରୁ ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶରେ ତୃତୀୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ନଭେମ୍ବର ୨୮ ତାରିଖରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ତିନି ଜଣ ବିଚାରପତିଙ୍କ ମଧ୍ୟରୁ ଦୁଇ ଜଣ ବିଚାରପତି ଆଜୀବନ କାରାଦଣ୍ଡାଦେଶ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର