ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଯାଜପୁରଟାଉନ/ସଦର : କାଳିଆପାଣି ଥାନା ଅଧୀନ ଗରାସିଆ ମୁଣ୍ଡା ସାହିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଶୁକ୍ରବାର ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଜ୍ଞାନେନ୍ଦ୍ର ବାରିକ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି।

ସୂଚନ‌ା ଅନୁସାରେ ସୁକିନ୍ଦା ଥାନା ହରିଡାବାହାଙ୍କ ଅଞ୍ଚଳର ଏକ ପରିବାର ଶ୍ବଶୁର ଘର କାଳିଆପାଣି ଥାନା ଅଧୀନ ଗରାସିଆ ମୁଣ୍ଡା ସାହିକୁ ଯାଇଥିଲେ। ୨୦୧୩ ଅଗଷ୍ଟ ୨୧ ତାରିଖରେ ଉକ୍ତ ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ଠାରେ ତାଙ୍କର ୩ ବର୍ଷର ନାବାଳିକା ଝିଅ କିଛି କୁନି ପିଲାଙ୍କ ସହ ଖେଳୁଥିଲା। ଉକ୍ତ ଗ୍ରାମର ନାଥ ମୁଣ୍ଡା(୩୦) ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଠାରୁ ୩ ଶହ ମିଟର ଦୂର ଏକ ମହୁଲି ଗଛ ନିକଟକୁ ନେଇ ବଳାତ୍କାର କରିଥିଲା। ପରିବାର ଲୋକ ଖବର ପାଇ ଗ୍ରାମବାସୀଙ୍କ ସହ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ। ପରେ ଅଭିଯୁକ୍ତ ମଧ୍ୟ ଏପରି ଭୁଲ୍ କରିଥିବା ମାନି ଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ବିଜୟ ସୁକିନ୍ଦା ଥାନାରେ ଅଭିଯୋଗ କଲା ପରେ ପୁଲିସ ପକ୍ଷରୁ କେସ ନଂ ୫୨/୨୦୧୩ ଦଫା ୩୭୬(୨)(ଏଫ୍ ଓ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲଣ କରିଥିଲା। ଏହି ମାମଲାର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଜ୍ଞାନେନ୍ଦ୍ର ବାରିକ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି। ଏହି ମାମଲାରୁ ସ୍ପେସାଲ ପବ୍ଲିକ୍ ପ୍ରୋସିକ୍ୟୁଟର(ପସ୍କୋ) ରାଜୀବ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର