କଟକ : ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମାମଲାର ଶୁଣାଣି କରି କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦାଲତ ବିଚାରପତି ଅଶୋକ କୁମାର ପହୀ ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ବିଦ୍ୟାଧରପୁରର ଜିତୁ ଓରଫ ଜିତେନ୍ଦ୍ର କୁମାର ଦାସ(୩୨)କୁ ୧୦ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ଆଇପିସିର ଦଫା ୩୭୬, ୫୧୧, ୩୨୩, ପୋକସୋ ଆଇନର ଧାରା ୧୦ରେ ଜିତେନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜରିମାନା ଟଙ୍କା ନ ଦେଲେ ଆସାମୀକୁ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ପୀଡିତାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୩, ନଭେମ୍ବର ୨୩ରେ ପଞ୍ଚମ ଶ୍ରେଣୀରେ ପଢୁଥିବା ପୀଡିତା (୧୦ ବର୍ଷ) ଛେଳି ଚରାଇବାକୁ ଯାଇଥିବା ବେଳେ ଜିତେନ୍ଦ୍ର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଜିତେନ୍ଦ୍ର ପୀଡିତାଙ୍କ ପାଟିରେ ହାତ ଦେଇ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ପୀଡିତା ପାଟି କରିବାରୁ ଜିତେନ୍ଦ୍ର ଦୌଡି ପଳାଇଥିଲା। ଏହାପରେ ପୀଡିତା ସବୁ କଥା ଘରେ କହିଥିଲେ। ଏ ନେଇ ୨୦୨୩, ନଭେମ୍ବର ୨୪ରେ ପୀଡିତାଙ୍କ ମା ଏତଲା ଦେଇଥିଲେ। ବାଙ୍କୀ ଥାନା ମାମଲା ରୁଜୁ କରି ତଦନ୍ତ ପରେ ୨୦୧୪, ମେ ୨୭ରେ ଅଭିଯୁକ୍ତ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୮ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।