କେନ୍ଦୁଝର/ଚମ୍ପୁଆ : ସାଢ଼େ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ସୁନୀଲ କୁମାର ନାଏକକୁ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଆଜି ଏହି ଫାଶୀ ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟ ପରିସରରେ ନିରବତା ଖେଳିଯାଇଥିଲା।
୨୦୧୭ ଜାନୁଆରି ୧୩ ତାରିଖର ଘଟଣା। ଏହି ଦିନ ଚମ୍ପୁଆ ଥାନା ରଜିଆ ପଞ୍ଚାୟତ ଶଶାଙ୍ଗ ଗ୍ରାମର ରଜତ କୁମାର ନାଏକ ଓ ତାଙ୍କ ପତ୍ନୀ ଜୟୀ କିଶୋରୀ ନାଏକ ଚମ୍ପୁଆ ବଜାରକୁ ଯାଇଥିଲେ। ଘରେ ତାଙ୍କର ସାଢ଼େ ତିନି ବର୍ଷର ସାନଝିଅକୁ ଛାଡ଼ି ଯାଇଥିଲେ। ଅପରାହ୍ଣରେ ସେହି ଗାଁର ସଂପର୍କୀୟ ସୁନୀଲ କୁମାର ନାଏକ (୨୨) ତାଙ୍କ ଘରକୁ ଆସି ଝିଅକୁ ଖେଳାଇବା ବାହାନାରେ ସାଙ୍ଗରେ ନେଇଯାଇଥିଲା। ଗାଁ ସ୍କୁଲ ପଡ଼ିଆ ଆଡ଼େ ନେଇ କିଛି ସମୟ ଖେଳାଇଥିଲା। ସନ୍ଧ୍ୟାରେ ସ୍କୁଲ ରୋଷେଇ ଘରକୁ ନେଇ ଶିଶୁକନ୍ୟା ସହିତ ଦୁଷ୍କର୍ମ କରିଥିଲା। ଅତ୍ୟାଚାର ସହିନପାରି କୋମଳମତି ଶିଶୁଟିର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଚାପିଦେବା ପାଇଁ ମୃତଦେହକୁ ସେଠାରେ ପକାଇଦେଇ ସୁନୀଲ ଚାଲିଯାଇଥିଲା।
ଅନ୍ୟପଟେ ଝିଅକୁ ପରିବାର ଲୋକ ବହୁ ଖୋଜାଖୋଜି କରି ନପାଇବାରୁ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତା’ ପରଦିନ ଆସି ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି କରିବା ପରେ ଅପରାହ୍ଣ ୨ଟାରେ ଶଶାଙ୍ଗ ସ୍କୁଲ ରୋଷେଇ ଘରୁ କୁନି ଝିଅଟିର ଶବ ପାଇଥିଲା। ଏହି ଘଟଣାରେ ସନ୍ଦେହରେ ସୁନୀଲକୁ ନେଇ ପଚରାଉଚରା କରିବାରୁ ସେ ତାର ଦୋଷ ସ୍ବୀକାର କରିଥିଲା। ଏ ସଂକ୍ରାନ୍ତରେ ଚମ୍ପୁଆ ଥାନାରେ ୫/୧୪.୧.୨୦୧୭-ରେ ପୁଲିସ ମାମଲା ରୁଜୁ କରି ପୁଲିସ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା। ତା’ ବିରୋଧରେ ୩୦୨, ୩୬୩, ୩୭୬, ୩୭୦, ୨୦୧, ପୋକ୍ସୋ ଦଫା ଲାଗିଥିଲା। ଚମ୍ପୁଆ ଥାନାର ଏଏସ୍ଆଇ ଭଜମନ କରଟା ତଦନ୍ତକାରୀ ଅଧିକାରୀ ଥିଲେ। ମୋଟ ୨୮ ଜଣ ସାକ୍ଷୀଙ୍କ ବୟାନକୁ ଶୁଣିବା ପରେ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଅଭିଯୁକ୍ତ ସୁନୀଲକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ଗଣେଶ ପ୍ରସାଦ ମହାପାତ୍ର ଓ ରାଜକିଶୋର ଭୂୟାଁ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sunil-f.jpg)