ଭୁବନେଶ୍ବର: ଆଇଭିକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ନାଁରେ ଜମାକାରୀଙ୍କଠାରୁ ୧୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗରେ ଅର୍ପଣ ପଟେଲ ଗିରଫ ହୋଇଥିଲେ। ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। କିନ୍ତୁ ଅର୍ପଣ ଜାମିନ ସର୍ତ୍ତ ଖିଲାପ କରି ଲୁଚକାଳି ଖେଳିଥିଲେ। ତେଣୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପୁଣି ତାଙ୍କୁ ଗିରଫ କରିଛି। ତାଙ୍କୁ ଝାରସୁଗୁଡ଼ାରୁ ଗିରଫ କରାଯିବା ପରେ କଟକ ଓପିଆଇଡି କୋର୍ଟ ହାଜର କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଏହି ଚିଟ୍ଫଣ୍ଡ ସଂସ୍ଥା ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଓଡ଼ିଶା ଆଦି ୮ରୁ ଅଧିକ ରାଜ୍ୟର ଜମାକାରୀଙ୍କୁ ଚୂନ ଲଗାଇଥିଲା। ଓଡ଼ିଶାରେ ପ୍ରାୟ ୧୦୦୦ରୁ ଅଧିକ ଜମାକାରୀ ଏହି ସଂସ୍ଥାରେ ଅର୍ଥ ନିବେଶ କରିଥିଲେ। ପରେ ହଠାତ୍ ସଂସ୍ଥା ଗାଏବ ହୋଇଯାଇଥିଲା। ଏନେଇ ଜମାକାରୀମାନେ ସଂସ୍ଥାର ଦୁଇ ନିର୍ଦ୍ଦେଶକ ଅର୍ପଣ ପଟେଲ ଓ ଅଦ୍ୟଜ୍ୟୋତି ନାୟକଙ୍କ ବିରୋଧରେ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିଲେ। ୨୦୨୨ ମାର୍ଚ୍ଚ ୨୨ରେ ଇଓଡବ୍ଲ୍ୟୁ ଅଭିଯୁକ୍ତଦ୍ବୟଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। ଜାମିନ ପାଇଁ ସେମାନେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ସେମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ଥିଲା ସେମାନେ ଓପିଆଇଡି କୋର୍ଟରେ ୫୦ ଲକ୍ଷ ଟଙ୍କା ଜମା କରିବେ। ପ୍ରଥମ ପର୍ଯ୍ୟାୟରେ ସେମାନେ ୨୦ ଲକ୍ଷ ଟଙ୍କା ଲେଖାଏଁ ଜମା କରି ଜାମିନରେ ମୁକୁଳିଥିଲେ। ପରେ ଅଦ୍ୟଜ୍ୟୋତି ବାକି ୩୦ ଲକ୍ଷ ଟଙ୍କା ଜମା କଲେ। କିନ୍ତୁ ଅର୍ପଣ ୩୦ ଲକ୍ଷ ଟଙ୍କା ଜମା ନ କରି ଲୁଚକାଳି ଖେଳିଲେ। ଏନେଇ ଇଓଡବ୍ଲ୍ୟୁ ଓପିଆଇଡି କୋର୍ଟରେ ଆବେଦନ କରିବାରୁ ତାଙ୍କ ନାଁରେ ଜାମିନବିହୀନ ପରୱାନା ଜାରି କରାଯାଇଥିଲା।