ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସବ୍ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଶୁକ୍ରବାର ଚାକିରି ଦେବା ନା’ରେ ଠକେଇ ଅଭିଯୋଗ ମାମଲାର ଶୁଣାଣି ହୋଇଛି। କୋର୍ଟ ଅଭିଯୁକ୍ତଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ୨୦୨୧ ମେ’ ୧୦ ତାରିଖ ବରଗଡ଼ ଜିଲ୍ଲା ଥୁଆପାଲି ଗ୍ରାମର ଗୁରୁଦେବ ସେଠ ଶିକ୍ଷିତ ଯୁବକ ଯୁବତୀଙ୍କୁ ଉଜରୋଗ ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରିଥିଲା।
ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇ ଗିରଫ ହୋଇଥିଲା। ସବ୍ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ସମସ୍ତ ପ୍ରମାଣକୁ ଆଧାର କରି ରାୟପ୍ରକାଶ କରିଛନ୍ତି। ଏଥିରେ ଅଭିଯୁକ୍ତ ଗୁରୁଦେବ ସେଠକୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୯ ଜଣ ଅଭିଯୋଗକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଜରିମାନା ଏବଂ କ୍ଷତିପୂରଣ ଅନାଦେୟ ହେଲେ ଅଭିଯୁକ୍ତଙ୍କୁ ଅତିରିକ୍ତ ୬ ମାସ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାଡର ଏପିପି ଲକ୍ଷ୍ମୀକାନ୍ତ ପାତ୍ର ଏବଂ ଏପିପି ଶିବାନନ୍ଦ ରଥ ମାମଲା ପରିଚାଳନା କରିଥିଲେ।