ଗଣଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର: ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ପେସାଲ ଜଜ୍ ଶୁଭଶ୍ରୀ ତ୍ରିପାଠୀ ଆଜି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।  କେନ୍ଦୁଝର ଘଟଗାଁ ଥାନା ଡଳଙ୍ଗପାଣି ଗ୍ରାମରେ ୨୦୧୭ ମସିହାରେ ପଣାସଂକ୍ରାନ୍ତି ଅବସରରେ ପାଲା ଏପ୍ରିଲ ୧୯ ତାରିଖ ରାତିରେ ପାଲା ଅନୁ‌ଷ୍ଠିତ ହେଉଥିଲା।  ଅଞ୍ଚଳର ବହୁ ଲୋକ ପାଲା ଦେଖିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ  ଜଣେ ୧୭ ବର୍ଷୀୟା ନାବାଳିକା  ପାଲା ଦେଖିବାକୁ ଯାଇଥିଲେ । ରାତି ପାଖପାଖି ଗୋଟାଏ ବେଳେ ସେ ପରିସ୍ରା ଯାଇଥିଲେ। ତାଙ୍କୁ ଏକୁଟିଆ ପାଇ ଡଳଙ୍ଗପାଣି ଗ୍ରାମର ବରାଳ ନାଏକ (୨୫), କେଦାର ନାଏକ (୨୯) ଓ ଜଣେ ନାବାଳକ ଜୋରଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ଉଠାଇ ନେଇ ଜଣକ ପରେ ଜଣେ  ଦୁର୍ଷ୍କମ କରିଥିଲେ।

ଏହି  ଘଟଣା ସଂପର୍କରେ କାହାରିକୁ କିଛି ନକହିବାକୁ ତାଙ୍କୁ ଧମକ ଦେଇଥିଲେ।  ନାବାଳିକା ସେଠାରୁ ଫେରି ଘଟଣା ସଂପର୍କରେ  ପରିବାର ଲୋକଙ୍କୁ ଜଣାଇବା ପରେ ପର ଦିନ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ଘଟଗାଁ ଥାନା କେସ ନମ୍ବର ୭୪/୨୦୧୭ ରୁଜୁ କରିଥିଲା ଏବଂ ଦର୍ଷ୍କମକାରୀ ବରାଳ, କେଦାର ଓ ନାବାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି କେସ୍‌ରେ ୨୦ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଶୁଣିବା ପରେ କୋର୍ଟ ଗତ ମେ ୩୧ ତାରିଖରେ ବରାଳ ଏବଂ କେଦାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେହିପରି ଆଜି ନାବାଳକକୁ ମଧ୍ୟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏହି କେସକୁ ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ପୋକ୍ସୋ ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର