କଟକ/ଖୁଣ୍ଟୁଣୀ: ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତର ଅଡୁଆ ବଢ଼ିବାକୁ ଯାଉଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ୨୦୨୨ ମସିହାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଦୀପକ କହୁଥିଲେ ବି ତାଙ୍କୁ ଯୋଜନାବଦ୍ଧ ‌ହତ୍ୟା ହୋଇଥିବା ନେଇ ଅପର୍ଣ୍ଣାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁଭମିତ୍ରାଙ୍କୁ ଦୀପକ ଯେପରି ଟଙ୍କା ପାଇଁ ହତ୍ୟା କରିଥି‌ଲା, ଠିକ୍‌ ସେମିତି ଅପର୍ଣ୍ଣାଙ୍କ ମୃତ୍ୟୁ ପରେ କୋଟିଏରୁ ଅଧିକ ଟଙ୍କା ବୀମା ବାବଦକୁ ପାଇଥିଲା। ହେଲେ ଏହି ଘଟଣାକୁ ପୁଲିସ୍‌ କେବଳ ଏକ ଦୁର୍ଘଟଣାଜନିତ ମାମଲା କହି ଫାଇଲ୍‌ ବନ୍ଦ କରିଦେଇଥିଲା। ଏବେ ପୁଣି ଥରେ ଉକ୍ତ ଫାଇଲ୍‌ ଖୋଲି ପୁନଃ ଯାଞ୍ଚ କରିବାକୁ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ୍‌ ରାଉତ ଓ ରୁପାଲିନ ରାଉତ ଆଜି ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

Advertisment

ଅଭ‌ିଯୋଗ ପରେ ଡିଏସ୍‌ପି (ମୁଖ୍ୟାଳୟ) ଅଜୟ କୁମାର ଦାସ, ଚୌଦ୍ବାର ଏସ୍‌ଡିପିଓ ଉମାକାନ୍ତ ନାୟକ ଓ ଖୁଣ୍ଟୁଣୀ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ 
ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି। ଏ ନେଇ ଖୁଣ୍ଟୁଣୀ ଥାନାରେ ୪୯୮(କ), ୩୦୨, ୨୦୧, ୩୪ ଆଇପିସି ଅନୁଯାୟୀ ଆଉ ଏକ ନୂଆ ମାମଲା (୧୯୪/୨୦୨୫) ରୁଜୁ ହୋଇଛି। ପ୍ରମାଣ ଯୋଗାଡ଼ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଜି ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇଥିଲା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନ ପରିଦର୍ଶନ କରାଯାଇଛି। କେଉଁଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା, ଡାକ୍ତରଙ୍କ ରିପୋର୍ଟ ଆଦି ତର୍ଜମା କରାଯିବ। ଆବଶ୍ୟକ ହେଲେ ଦୀପକକୁ ରିମାଣ୍ଡରେ ଅଣାଯିବ ବୋଲି ଡିଏସ୍‌ପି ଶ୍ରୀ ଦାସ କହିଛନ୍ତି।

ପ୍ରଥମ ପତ୍ନୀକୁ ହତ୍ୟା ଅଭିଯୋଗ
ଖୁଣ୍ଟୁଣୀ ଥାନାରେ ନୂଆ ମାମଲା ରୁଜୁ
ଆବଶ୍ୟକ ହେଲେ ରିମାଣ୍ଡରେ ଅଣାଯିବ: ପୁଲିସ

ଅଭିଯୋଗ ଅନୁସାରେ, ଅପର୍ଣ୍ଣା ଓ ଦୀପକଙ୍କ ବିବାହ ୨୦୧୮ ମସିହା ଏପ୍ରିଲ୍‌ ୨୫ ତାରିଖରେ ହୋଇଥିଲା। ମାଟ୍ରିମୋନିଆଲ୍‌ ସାଇଟ୍‌‌ରୁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ବିବାହ ହୋଇଥିଲା। ବିବାହର ଦୁଇରୁ ତିନିମାସ ପରଠୁ ବିବାଦ ଲାଗି ରହିଥିଲା। ଦୀପକଙ୍କ ସହିତ ତାଙ୍କ ମା’ ଓ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ତାଙ୍କର ଜଣେ ଧରମ ଭଉଣୀ ମିଳିତ ଭାବେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଅପର୍ଣ୍ଣା ନାମରେ ଋଣ କରି ସେହି ଟଙ୍କାକୁ ଦୁଇଟି ଭିନ୍ନଭିନ୍ନ ବ୍ୟବସାୟରେ ଲଗାଇଥିଲେ। ଏଭଳିସ୍ଥିତିରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭ ମଧ୍ୟ ନଷ୍ଟ ହୋଇଯାଇଥିଲା। ମୃତ୍ୟୁର ୬ମାସ ପୂର୍ବରୁ ସେ ପୁଣି ଥରେ ଗର୍ଭବତୀ ହୋଇଥିଲେ। 

୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ପ୍ରାୟ ୮ଟାରେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣା ଦୁର୍ଘଟଣାର ଶିକାର ହୋଇଥିବା ନେଇ ଦୀପକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ଢେଙ୍କାନାଳରୁ ବାହାରିବା ସମୟରେ ପ୍ରଥମେ ସେ କଟକ ବଡ଼ଡାକ୍ତରଖାନାକୁ ଓ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ନେଉଥିବା କହିଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚବା ବେଳକୁ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇସାରିଥିଲା। ଦୀପକର କହିବାନୁସାରେ, କାର୍‌ର ଚକା ଲିକ୍‌ ହୋଇଯାଇଥିଲା। ସେ ଚକା ବଦଳାଉଥିବା ସମୟରେ ଅପର୍ଣ୍ଣା ମୋବାଇଲ୍‌ ଟର୍ଚ୍ଚ ଦେଖାଉଥିଲେ। ସେହି ସମୟରେ କୌଣସି ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। କିନ୍ତୁ ଏବେ ଶୁଭମିତ୍ରାଙ୍କ ହତ୍ୟା ଘଟଣା ପରେ ତାଙ୍କ ଭଉଣୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ନେଇ ରୋଜାଲିନ୍‌ ଓ ରୁପାଲିନ୍‌ ସନ୍ଦେହ କରିଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ଦୀପକକୁ ଆଉ କେହି ସହଯୋଗ କରିଥିବା ନେଇ ସେମାନେ ସନ୍ଦେହ କରୁଛନ୍ତି।