ଯୌନ କେଳେଙ୍କାରୀ ଅଭିଯୁକ୍ତ ବିଧାୟକ ପ୍ରକାଶ ମାଝୀଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେପି

ଭୁବନେଶ୍ବର : ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ‌ଯୌନ କେଳେଙ୍କାରୀ ଅଭିଯୋଗ ଆସିଥିଲେ ହେଁ ପୁଲିସ କାହିଁକି ତାଙ୍କୁ ଗିରଫ କରୁନି ବୋଲି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ନେତାମାନେ ଦୁଷ୍କର୍ମ, ଅପହରଣ ଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ପୁଲିସ ପ୍ରଶାସନ ଶାସକ ବିଜେଡିର ଅଭିଯୁକ୍ତ ନେତା ଓ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଝରିଗାଁ ବିଧାୟକ ପ୍ରକାଶଚନ୍ଦ୍ର ମାଝୀଙ୍କ ନାଁରେ ବାଙ୍କୀର ଜଣେ ମହିଳା ଯୌନ ଶୋଷଣ, ଯୌନ କେଳେଙ୍କାରୀ, ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିବାର ଅଭିଯୋଗକୁ ପୁଲିସ ଗ୍ରହଣ କରିଲା ନାହିଁ କାହିଁକି? ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ପ୍ରଶାସନ କାହିଁକି ତତ୍ପରତା ଦେଖାଉ ନାହିଁ? ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ନେତାମାନେ ବର୍ତମାନ ସୁଦ୍ଧା ମୁହଁ ଖୋଲିନାହାନ୍ତି । ଅଭିଯୋଗ ପରେ ମହିଳାଙ୍କ ଘରକୁ ଗୁଣ୍ଡା ପଠାଇ ଜୀବନରୁ ମାରିଦେବାର ଧମକ ମଧ୍ୟ ବିଧାୟକ ଦେଇଛନ୍ତି। ଏବେ ମହିଳା ଜଣଙ୍କ କେଉଁଠି ଅଛନ୍ତି, କେମିତି ଅଛନ୍ତି, କୌଣସି ସୂଚନା ନାହିଁ । ଅଭିଯୁକ୍ତ ଜଣକ ଶାସକ ଦଳର ବିଧାୟକ ହୋଇଥିବାରୁ ବିଜେଡିର ଇଙ୍ଗିତରେ କାର୍ଯ୍ୟ କରୁଥିବା ପୁଲିସ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ଯାହାକି ଗଣତନ୍ତ୍ର ପାଇଁ ବିପଦ। ଶାସନ କ୍ଷମତାରେ ଅନ୍ଧ ସାଜିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ନିର୍ଭୟରେ ଗୁଣ୍ଡାରାଜ ଓ ଦୁର୍ନୀତି କରୁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ।

ସମ୍ବନ୍ଧିତ ଖବର