କାଲିମେଳା: କାଲିମେଳା ବ୍ଲକ ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍ଭି-୬୬ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଲୋମଟାଙ୍କୁରା ହତ୍ୟା ଘଟଣା। ଗର୍ଭବତୀ ଥିବା ପତ୍ନୀଙ୍କ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ପରେ ଅଭିଯୁକ୍ତ ନିପେନ ବିଶ୍ବାସ ଥାନାରେ ଆତ୍ମସମର୍ପଣ କରିଛି। ଅପରପକ୍ଷରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଦାବିରେ ପରିବାର ଓ ଗ୍ରାମବାସୀ ଆଜି ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରାୟ ୮ବର୍ଷ ତଳେ ଏମ୍ଭିପି-୨୬ ଗାଁର ଶ୍ରିତି ବିଶ୍ବାସ ଏମ୍ଭି-୬୬ ଗାଁର ନିପେନ ବିଶ୍ବାସକୁ ବୈଦିକ ରୀତିରେ ବିବାହ କରିଥିଲେ। ଦଂପତି ଆଖୁରସ ବ୍ୟବସାୟ କରୁଥିଲେ। ଉଭୟଙ୍କ ଦୁଇଟି ଶିଶୁପୁତ୍ର ଅଛନ୍ତି। ତେବେ କିଛି ଦିନ ପୂର୍ବେ କୌଣସି କାରଣରୁ ନିଜ ବାପଘରକୁ ଚାଲିଯାଇଥିଲେ ଶ୍ରିତି। ଗତକାଲି ନିପେନ ଶ୍ବଶୁର ଘରେ ପହଞ୍ଚି ପତ୍ନୀଙ୍କୁ ଘରକୁ ଆସିବା ପାଇଁ କହିଥିଲେ। ପ୍ରଥମେ ଶ୍ରୁତି ରାଜି ହୋଇନଥିଲେ। ତେବେ ନୂଆ ଆଖୁପେଡ଼ା ମେସିନ୍ ଓ ସୁନା କାନଫୁଲ କିଣିଦେବ ବୋଲି କହିବାରୁ ସେ ଘରକୁ ଫେରିଥିଲେ। କିନ୍ତୁ ଏହା ପଛରେ ସ୍ବାମୀଙ୍କ ଷଡ଼୍ଯନ୍ତ୍ର ଥିଲା ବୋଲି ଆଦୌ ଜାଣିପାରି ନଥିଲେ। ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ସ୍ବାମୀ ଧାରୁଆ ଛୁରିରେ ଶ୍ରିତିଙ୍କ ତଣ୍ଟି କାଟି ଦେଇଥିଲା। ଏହାପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଠାରୁ ଖବରପାଇ ଶ୍ରିତିଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଶ୍ରୁତି ୩ ମାସର ଗର୍ଭବତୀ ଥିଲେ। ଏହି ବିଷୟରେ ଜାଣିବା ପରେ ପରିବାର ଲୋକ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ। ଅଭିଯୁକ୍ତକୁ ଫାଶୀଦଣ୍ଡ ଦାବିରେ ୩୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। କାଲିମେଳା ଥାନାର ଜଣେ ହୋମଗାର୍ଡ ନିପେନଙ୍କୁ ସହାୟତା କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଉକ୍ତ ହୋମଗାର୍ଡଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଘଟଣାସ୍ଥଳରୁ ଶବ ଉଠାଇ ଡାକ୍ତରଖାନାକୁ ଆଣିବା ପରେ ପୁଲିସ ସୂଚନା ଦେଇଥିବା ଶ୍ରିତିଙ୍କ ଭାଇ ମନଜୀତ୍ ମଲିକ ଅଭିଯୋଗ କରିଛନ୍ତି। କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତରେ ସହଯୋଗ କରୁଛି।