ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ: ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ କରାଯାଇଛି। ଏହାଛଡ଼ା ସହଯୋଗୀ ଝୁନା ଭୋଇକୁ ବି ଗିରଫ କରିଛି ପୁଲିସର ସ୍ବତନ୍ତ୍ର ଟିମ୍। ଉଭୟଙ୍କୁ ଭଦ୍ରକ ଜିଲ୍ଲାର ନଳାଙ୍ଗ ଅଞ୍ଚଳରୁ ସୋମବାର ସକାଳେ ଗିରଫ କରାଯାଇଥିବାର ସୂଚନା ରହିଛି। ଆଜି ଉଭୟଙ୍କୁ ଚାନ୍ଦବାଲିର ଜେଏମଏଫସି କୋର୍ଟରେ ହାଜର କରାଯିବ। ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିବା ଲାଗି ପୁଲିସ ଆବେଦନ କରିବ ବୋଲି ସୂଚନା ମିଳିଛି।

ଶର୍ମିଷ୍ଠାର ଭଦ୍ରକ ଲିଙ୍କ୍ ନେଇ ବହୁ ତଥ୍ୟ ପୁଲିସ ଓ କ୍ରାଇମ୍ ବ୍ରାଞ୍ଚ ଟିମ୍ ହାତରେ ଲାଗିଛି। ତଦନ୍ତ ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡ଼ା ଅଞ୍ଚଳରେ ଶର୍ମିଷ୍ଠା କେଉଁଠି ଲୁଚି ରହିଥିଲା, ତାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ କରୁଛି। ଆଜି ଶର୍ମିଷ୍ଠା ଭୁବନେଶ୍ୱର ଯାଉଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଟିମ୍ ଶର୍ମିଷ୍ଠା ଓ ତାର ସହଯୋଗୀଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରିଥିଲେ। ଚାନ୍ଦବାଲି ଥାନାରେ ଶର୍ମିଷ୍ଠା ପହଞ୍ଚିବା ପରେ ଆହୁରି ଅନେକ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି।

ହତ୍ୟାକାଣ୍ଡରେ ସଂପୃକ୍ତ ଶର୍ମିଷ୍ଠା ରାଉତର ୬ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଦେଇଛି। ଚାନ୍ଦବାଲି ପୁଲିସର ଅପାରଗତା ପାଇଁ ଶର୍ମିଷ୍ଠା ରାଜ୍ୟ ବାହାରକୁ ଫେରାର ‌ହୋଇଯାଇଥିବା ସବୁଠି ଚର୍ଚ୍ଚା ହେବା ପରେ ଭଦ୍ରକ ଜିଲ୍ଲା ପୁଲିସ ଆଉ ଶର୍ମିଷ୍ଠାକୁ ଧରିବ ନାହିଁ ବୋଲି ଚିତ୍ର ସ୍ପଷ୍ଟ ହେବା ପରେ ରାଜ୍ୟ ସରକାର ଏଇ ହତ୍ୟାକାଣ୍ଡ ଘଟଣାର ଗୁରୁତ୍ବ ଉପଲବ୍ଧି କରି ଏହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚ ହାତକୁ ଦେଇ ଦେଇଛି।

କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପିଙ୍କୁ ଭେଟି ମାନସ ଅପହରଣ ମାମଲାର ପୁଲିସ ତଦନ୍ତ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପରେ ଗତକାଲି ଚାନ୍ଦବାଲିରେ ପହଞ୍ଚିଥିଲା। ପ୍ରଥମ ଦିନରେ ଚାନ୍ଦବାଲି ଥାନା ଆଇଆଇସି ଓ ଏସଡିପିଓଙ୍କ ସହ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ସଂପର୍କରେ ଆଲୋଚନା କରି ତଥ୍ୟ ସଂଗ୍ରହକରି ଥିଲେ। ତଦନ୍ତର ବିଭିନ୍ନ ଦସ୍ତାବିଜ୍ ପୁଲିସ ପାଖରୁ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।

ଗତ ୬ ତାରିଖରେ ଶର୍ମିଷ୍ଠା ଓ ତାର ୫ ଜଣ ସହଯୋଗୀ ଏକ କାର ଯୋଗେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ କରିବା ପାଇଁ ଭୁବନେଶ୍ବରରୁ ଚାନ୍ଦବାଲି ଆସିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନାଲଗୁଣ୍ଡା ଗ୍ରାମର ଦଧିବାମନ କ୍ଲବ ଛକରୁ ମାନସକୁ ସେମାନେ ଅପହରଣ କରି ନେଇଥିଲେ। ଏଇ ଅଞ୍ଚଳର ପଳାସପୁର ଗ୍ରାମରେ ହୋଇଥିବା ଏକ ବାହାଘରକୁ ଫଟୋ ଉଠାଇବାକୁ ଆସିଥିବା ମାନସକୁ ନାଟକୀୟ ଢଙ୍ଗରେ ଅପହରଣ କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଆଜି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କୁ କହିଛନ୍ତି।

ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଦୟାଲ ଆଶ୍ରମରେ ପହଞ୍ଚିଥିଲେ। ସାଙ୍ଗରେ ରାଜ୍ୟ ଓ କମିସନରେଟ ପୁଲିସର ଫରେନସିକ ଟିମ୍ ମଧ୍ୟ ଯାଇଥିଲେ। ପ୍ରଥମେ କେୟାରଟେକରଙ୍କ ବୟାନ ରେକର୍ଡ କରା ଯାଇଥିଲା। ତାଙ୍କୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ ଆଶ୍ରମ ଚତୁପାର୍ଶ୍ବ ବୁଲିଥିଲେ। ଏମିତି କିଛି ସାମଗ୍ରୀ ଖୋଜୁଥିଲେ ଯାହା ତଦନ୍ତକାରୀ ଟିମ୍ ହାତରେ ଏଯାଏ ଲାଗି ପାରି ନାହିଁ। ଯେପରିକି ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ପ୍ରମାଣ ନଷ୍ଟ ପାଇଁ ଫେବ୍ରୁଆରି ମାସରୁ ରେଜିଷ୍ଟରରୁ ଚିରା ଯାଇଥିବା ଆଗନ୍ତୁକଙ୍କ ତଥ୍ୟର ପୃଷ୍ଠା ଆଦି ଖୋଜିଥିଲେ। କିନ୍ତୁ ତାହା ତାଙ୍କୁ ମିଳି ନ ଥିଲା। ସେହିପରି ଆଶ୍ରମ ଉପର ମହଲାରେ ଯେଉଁଠି ମାନସଙ୍କୁ ହତ୍ୟା କରା ଯାଇଥିଲା ସେଠାରୁ କିଛି ନମୁନା ସଂଗ୍ରହ କରାଯାଇଥିଲା। ଫରେନସିକ୍ ଟିମ୍ ଥ୍ରୀଡି ଲେଜର ସ୍କାନର ସହାୟତାରେ ପୂରା ଘଟଣାସ୍ଥଳର ଭିଡିଓ ସଂଗ୍ରହ କରିଥିଲେ। ସେହିପରି ଆଶ୍ରମ ବାହାରେ ମଧ୍ୟ ଥ୍ରୀଡି ସ୍କାନର ଜରିଆରେ ପୂରା ଚିତ୍ର କଏଦ କରା ଯାଇଥିଲା।

ସମ୍ବନ୍ଧିତ ଖବର