ଖଣ୍ଡିବାହାଲ ଭୀମସେନ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ 

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଖଣ୍ଡିବାହାଲ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧୯.୪.୨୦୨୦ ଦିନ ଭୀମସେନ ସ୍ବାଇଁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା। ଉକ୍ତ ମାମଲାରେ ମଙ୍ଗଳବାର ସେହି ଗ୍ରାମର ଗୌତମ ମାଝୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ରେଢ଼ାଖୋଲ ଅତିରିକ୍ତ ଜିଲ୍ଲା ଜଜ୍‌ ପୁଲିସ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆହୁରି ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ଅଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆସୋସିଏଟ ପ୍ରସିକ୍ୟୁଟର ନାରାୟଣ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।

ସୂଚନାନୁସାରେ ଗୌତମ ମାଝୀଙ୍କ ସ୍ତ୍ରୀ’ଙ୍କ ସହ ଭୀମସେନଙ୍କ ପ୍ରେମ ସମ୍ପର୍କ ରହିଥିଲା। ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଯାହା ଫଳରେ ଗୌତମ ଭୀମସେନଙ୍କୁ ମାରିବା ଯୋଜନା କରିଥିଲା। ଘଟଣା ଦିନ ସନ୍ଧ୍ୟାରେ ଭୀମସେନ ନିଜ ଘର ବାରଣ୍ଡାରେ ଶୁଖା ହୋଇଥିବା ଲଙ୍କାମରିଚ ଗୋଟାଉଥିବା ବେଳେ ଗୌତମ ପଛପଟୁ ଆସି ଟାଙ୍ଗିଆରେ ବେକକୁ ଚୋଟ ପକେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଭୀମସେନଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଗୌତମ ସେଠାରୁ ଫେରାର ହୋଇଯାଇଥିଲା। ତତ୍‌କାଳୀନ କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ହତ୍ୟା ମାମଲା ୠଜୁକରି ପରଦିନ ଗୌତମକୁ ଗିରଫ କରି କୋର୍ଟଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର