ରାଉରକେଲା: ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର ପୂର୍ବରୁ ଉଦିତନଗର ବିରଜାପାଲିସ୍ଥିତ ନୂଆକୋର୍ଟ ପରିସରରୁ ଆଜି ଅପରାହ୍ଣରେ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଛି। ଦୁଇ କନେଷ୍ଟବଳଙ୍କୁ ଧକ୍କା ଦେଇ ସେ କୋର୍ଟ ପରିସରରୁ ଦୌଡ଼ି ପଳାଇଯାଇଥିଲା। ଉଭୟ ଓକିଲ ଓ ପୁଲିସ ତାର ପିଛା କରିଥିଲେ ହେଁ ଧରିବାରେ ବିଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଗ୍ରାମର ଟ୍ରାକ୍ଟର ଚାଳକ ରାଜୁ ମହାତୋ (୨୬)। ତାକୁ ଧରିବାକୁ ବିଶ୍ରା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ରାଉରକେଲା କୋର୍ଟରେ ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି। ଏହା ସତ୍ତ୍ବେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଧ୍ୟାନ ଦିଆଯାଉନି।
ମିଳିଥିବା ସୂଚନା ମୁତାବକ ଜରେଇକେଲାର ରାଜୁ ମହାତୋ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ଯୁବତୀ ଜଣଙ୍କ ଅରାଜି ହେବାରୁ ଉଭୟଙ୍କ ମଧ୍ୟରେ କିଛି ଦିନ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା। ବଦନାମ କରିବାକୁ ରାଜୁ କମ୍ପ୍ୟୁଟରରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ କରି ଦେଇଥିଲା। ଯୁବତୀ ଏ ସଂକ୍ରାନ୍ତରେ ବିଶ୍ରା ଥାନାରେ ଲିଖିତ ଏତଲା ଦେଇଥିଲେ। ତାଙ୍କ ଲିଖିତ ଅଭିଯୋଗ ଆଧାରରେ ବିଶ୍ରା ପୁଲିସ ଆଜି ସକାଳୁ ଜରେଇକେଲା ଘରୁ ରାଜୁକୁ ଗିରଫ କରି ଥାନାକୁ ଆଣିଥିଲେ। କୋର୍ଟରେ ହାଜର କରିବା ଲାଗି ତିନିଜଣ କନେଷ୍ଟବଳ ରାଜୁକୁ ଧରି ଅପରାହ୍ଣ ୩ଟାରେ ରାଉରକେଲା ବାହାରିଥିଲେ। ଅପରାହ୍ଣ ୪ଟାରେ ରାଉରକେଲା ନୂଆ କୋର୍ଟରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ୍ଙ୍କ ଆଗରେ ରାଜୁକୁ ହାଜର ପୂର୍ବରୁ ଜଣେ କନେଷ୍ଟବଳ କୋର୍ଟ ସବ୍ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟରେ କାଗଜପତ୍ର ପ୍ରସ୍ତୁତ କରୁଥିଲେ। ଅନ୍ୟ ଦୁଇ କନେଷ୍ଟବଳ ରାଜୁକୁ ଧରି କୋର୍ଟ ପରିସରରେ ଛିଡ଼ା ହୋଇଥିଲେ। ଏହାର ସୁଯୋଗ ନେଇ ରାଜୁ ଦୁଇ କନେଷ୍ଟବଳଙ୍କୁ ଧକ୍କା ମାରି କୋର୍ଟ ପରିସରରୁ ଚମ୍ପଟ ମାରିଥିଲା। ଦୁଇ କନେଷ୍ଟବଳ ଓ କୋର୍ଟର ଓକିଲମାନେ ରାଜୁକୁ ଧରିବାକୁ ପିଛା କରିଥିଲେ। ହେଲେ ରାଜୁ କୋର୍ଟ ପାର୍ଶ୍ବ ଆୟକର କଲୋନି ପାଚେରି ଡେଇଁ ଫେରାର ହୋଇଯାଇଥିଲା।