ସୋନପୁର : ଏଟିଏମ୍ କାର୍ଡ ବଦଳ କରି ଟଙ୍କା ଚୋରି କରୁଥିବା ୪ଟି ଘଟଣାର ପୁଲିସ ପର୍ଦ୍ଦାଫାସ କରିବା ସହ ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସଦେଇପୁର ଗ୍ରାମର ସୂର୍ଯ୍ୟନାରାୟଣ ବିଶ୍ବାଳ(୪୪)ଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସ୍‌ପି ସୀତାରାମ ଶତପଥୀ ସବିଶେଷ ସୂଚନା ଦେଇଛନ୍ତି।

Advertisment

ଉଲୁଣ୍ଡା ଥାନା‌ ଅନ୍ତର୍ଗତ ଉଲୁଣ୍ଡାର ପରିକ୍ଷିତ ସାହୁ ଗତ ସେପ୍ଟେମ୍ବର ୨୪ ତାରିଖ ଦିନ ଉଲୁଣ୍ଡା ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌କୁ ଟଙ୍କା କାଢ଼ିବାକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ସହଯୋଗ କରିବା ବହାନାରେ ପରିକ୍ଷିତଙ୍କ ଏଟିଏମ୍‌ କାର୍ଡକୁ ବଦଳ କରି ଅନ୍ୟ ଏକ ଏଟିଏମ୍‌ କାର୍ଡ ଦେଇ ପରବର୍ତ୍ତୀ ସମୟରେ ୧୦ ହଜାର ୩ ଶହ ଟଙ୍କା ଉଠାଇ ନେଇଥିଲେ। ଏ ସଂକ୍ରାନ୍ତରେ ପରିକ୍ଷିତଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଉଲୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରାଯାଇଥିଲା। ସେହି ସମାନ ଢଙ୍ଗରେ ଉଲୁଣ୍ଡା ଥାନା ନାକଡେଇଁ ଗ୍ରାମର ସନ୍ତୋଷ ପ୍ରଧାନ ଗତ ଅକ୍ଟୋବର ୮ ତାରିଖ ଦିନ ଉଲୁଣ୍ଡା ଷ୍ଟେଟବ୍ୟାଙ୍କ ଏଟିଏମ୍‌କୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ ଅଭିଯୁକ୍ତ ସୂର୍ଯ୍ୟନାରାୟଣଙ୍କ ଦ୍ବାରା ଠକେଇର ଶିକାର ହୋଇଥିଲେ। ତାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ଅଭିଯୁକ୍ତ ସୂର୍ଯ୍ୟନାରାୟଣ ୧୮ ହଜାର ଟଙ୍କା କାଢି ନେଇଥିଲେ। ଏ ସମ୍ପର୍କରେ ସନ୍ତାଷଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖେମୁଣ୍ଡିଗଡ଼ର ଦାଶରଥି କର୍ମୀ ଗତ ସେପ୍ଟେମ୍ବର ୨୯ ତାରିଖ ଦିନ ସୋନପୁର ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା କାଢିବାକୁ ଯାଇଥିବା ବେଳେ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ସହଯୋଗ କରିବା ବାହାନାରେ ସେହି ସମାନ ଢଙ୍ଗରେ ୯ହଜାର ଟଙ୍କା କାଢି ନେଇଥିଲା। ଏ ସଂକ୍ରାନ୍ତରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ସେହିପରି ଗତ ସେପ୍ଟେମ୍ବର ୧୫ ତାରିଖ ଦିନ ଉଲୁଣ୍ଡା ଥାନା ଧୁଲଧୁଲା ଗ୍ରାମର ସତ୍ୟନାରାୟଣ ସାହୁ ସୋନପୁର ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌କୁ ଟଙ୍କା କାଢିବାକୁ ଯାଇଥିବା ବେଳେ ସମାନ ଢଙ୍ଗରେ ଅଭିଯୁକ୍ତ ସୂର୍ଯ୍ୟନାରାୟଣଙ୍କ ଏଟିଏମ କାର୍ଡ ବଦଳ କରି ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ୮ ହଜାର ଟଙ୍କା କାଢି ନେଇଥିଲା। ଏ ନେଇ ସୋନପୁର ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ୪ଟି ଘଟଣାରେ ସମ୍ପୃକ୍ତ ଥିବା ଏବଂ ୪୫ ହଜାର ୩ ଶହ ଟଙ୍କା ଅଭିଯୋଗକାରୀମାନଙ୍କ ଆକାଉଣ୍ଟରୁ ଉଠାଇ ନେଇଥିବା ଜଣା ପଡ଼ିଥିଲା। ପୁଲିସ ଅଭିଯୁକ୍ତ ସୂର୍ଯ୍ୟନାରାୟଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦିଆଯାଇଛି। ସେହିପରି ଅଭିଯୁକ୍ତ ସୂର୍ଯ୍ୟନାରାୟଣଙ୍କ ନିକଟରୁ ୩୭ ହଜାର ଟଙ୍କା ଓ ୩ ଟି ଏଟିଏମ୍‌ କାର୍ଡ ଜବତ୍ କରିଛି ପୁଲିସ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ବୀରମହାରାଜପୁର ଏସ୍‌ଡିପିଓ ଡୋଳାମଣି ଭୋଇ, ସୋନପୁର ଆଇଆଇସି ପୁଷ୍ପେନ୍ଦୁ ସାଗର, ଉଲୁଣ୍ଡା ଆଇଆଇସି ଚନ୍ଦ୍ରମୋହନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।