ଚାନସେଲର ହୋଟେଲରୁ ୨ଲକ୍ଷ ଟଙ୍କା ଲୁଟ ମାମଲା : ୨୮ ହଜାର ଜବତ, ଜେଲ ଗଲା ଅଭିଯୁକ୍ତ

ଧଉଳି: ସ୍ଥାନୀୟ ଭୁବନେଶ୍ବର-କଟକ ବାଇପାସ ଜାତୀୟ ରାଜପଥ ପାର୍ଶ୍ବସ୍ଥିତ ହୋଟେଲ ଚାନସେଲରରୁ ୨ ଲକ୍ଷ ଟଙ୍କା ଲୁଟ ମାମଲାରେ ଆଜି ଧଉଳି ଥାନା ପୁଲିସ ସଂପୃକ୍ତ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ ବାଲେଶ୍ବର ସଦର ଥାନା ଜୟଦେବ କବଚା ଅଞ୍ଚଳର ସୁଧୀର ଦାସ(୩୪) ବୋଲି ଜଣାପଡ଼ିଛି। ଏହି ଲୁଟ ଘଟଣାରେ ପୁଲିସ ସୁଧୀର ନିକଟରୁ ନଗଦ ୨୮ ହଜାର ଟଙ୍କା ଜବତ କରିଛି। ଅବଶିଷ୍ଟ ଲକ୍ଷାଧିକ ଲୁଟ ଟଙ୍କା ସୁଧୀର କାହାକୁ ଦେଇଛି, କିମ୍ବା ଅନ୍ୟ କେଉଁବାଟରେ ଖର୍ଚ୍ଚ କରିଛି, ସେ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରି ସେସବୁ ଟଙ୍କା ଜବତ କରିବା ଲାଗି ସୁଧୀରକୁ କୋର୍ଟରୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, ଗତ ୧୯ ତାରିଖ ରାତି ୧୨ଟା ସମୟରେ ସୁଧୀର ଟଙ୍କା ଥିବା ଡ୍ର’ର ତାଲା ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲା। ଏ ସଂପର୍କରେ ହୋଟେଲ ମାଲିକ ନିରଞ୍ଜନ ମହାଲିକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଧଉଳି ଥାନାରେ ନଂ /୨୧ରେ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଥିଲା। ଗତକାଲି ଧଉଳି ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସୁଧୀରକୁ ଗିରଫ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର