କପ୍ତିପଦା : ପୁଲିସର କାର୍ଯ୍ୟଧାରାକୁ ନେଇ ଗତ ସପ୍ତାହେ ହେଲା ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଶରତ ଥାନା ପୁଲିସର କାର୍ଯ୍ୟଧାରା ପୁଣି ଥରେ ଖାକି ବର୍ଦ୍ଦିକୁ ବିବାଦ ଘେରକୁ ଟାଣିଆଣିଛି। ଏହି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ଦୁଇ ଦିନ ପରେ ମାମଲା ରୁଜୁ କରିଛି ପୁଲିସ। ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ବି ଲଗାତର ଦୁଇ ଦିନ ଥାନା ଅଧିକାରିଣୀ ନଥିବା କହି ସମାନଙ୍କୁ ପୁଲିସ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ କଳମଗଡ଼ିଆ ପାଞ୍ଚାୟତ କାଠଚୁଆ, କଣ୍ଟାମାରି ସାହି ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀ ଜଣଙ୍କ ଗତ ୩୧ ତାରିଖ ସଂଧ୍ୟାରେ ଦୁଷ୍କର୍ମର ଶିକାର ହୋଇଥିଲେ। ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପଦ୍ମପୋଖରୀ ପଞ୍ଚାୟତ, ଧପଡ଼ା ଗ୍ରାମର ବାବୁଲି ବଦ୍ରା ନାମକ ଯୁବକ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ପିଡ଼ୀତାଙ୍କ ଗୋଟିଏ ଗୋଡ଼ ଅଚଳ ହୋଇଥିବା ବେଳେ ହାତ ଦ୍ବୟ ବାଙ୍କି ଯାଇଥିବାରୁ ସେ ଏହି ବର୍ବରତାର ପ୍ରତିରୋଧ ବି କରିପାରି ନଥିଲେ। ତେବେ ପୀଡ଼ିତାଙ୍କ ମା’ ଘରକୁ ଫେରିବା ପରେ ଝିଅଠାରୁ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ ଏବଂ ଅଭିଯୋଗ କରିବାକୁ ଶରତ ଥାନାକୁ ଯାଇଥିଲେ। ତେବେ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା। ଓଲଟା ଥାନା ଅଧିକାରିଣୀ ନଥିବା କହି ସେମାନଙ୍କୁ ଫେରାଇ ଦେଇଥିଲା। ପରଦିନ ଅର୍ଥାତ ଶୁକ୍ରବାର ଦିନ ମଧ୍ୟ ପୁଲିସ ମାମଲା ରୁଜୁ ନକରି ସେମାନଙ୍କୁ ଫେରାଇ ଦେଇଥିଲା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଶନିବାର ଦିନ ପୁଲିସ ଅଭିଯୋଗ ଗ୍ରହଣ କରି କେସ୍ ନଂ ୨୨/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପଚରା ଉଚରା ପରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିବା କହିଛି ପୁଲିସ। ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ ବାରିପଦା ପଠାଇଛି। ତେବେ ଦୁଇ ଦିନ ଧରି ମାମଲା ରୁଜୁ େହାଇ ନଥିବା କଥାକୁ ଖଣ୍ଡନ କରିଛନ୍ତି ଶରତ ଥାନା ଆଇଆଇସି ରୀନା ବକ୍ସଲ। ପୁଲିସ କୌଣସି ବିଳମ୍ବ କରିନି ବରଂ ସୂଚନା ପାଇ ନିଜଆଡ଼ୁ ଘଟଣାର ଖୋଳତାଡ଼ କରିଥିଲା ବୋଲି କହିଛନ୍ତି।