ଏସିଏଫ୍‌ ମୃତ୍ୟୁ ରହସ୍ୟ: ବଲାଙ୍ଗୀର ବ୍ୟାଚଲର୍‌ ପାର୍ଟିକୁ ନେଇ ଖୋଳତାଡ଼

ବଲାଙ୍ଗୀର ଯିବ ପାରଳା ପୁଲିସର ସ୍ବତନ୍ତ୍ର ଟିମ୍‌

ପାରଳାଖେମୁଣ୍ଡି : ସିଡିଆର୍‌ ରିପୋର୍ଟ ଆଧ‌ାରରେ ପୁଲିସ ପାରଳା ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋ‌ଷେୟା ମନ୍ମଥ କୁମ୍ଭଙ୍କୁ ପୁଲିସ କ୍ଲିନଚିଟ୍‌ ଦେଇଛନ୍ତି। କିନ୍ତୁ ସେମାନେ ତଦନ୍ତ ପରିସରରୁ ମୁକ୍ତ ହୋଇ ନାହାନ୍ତି। ଏହି ମାମଲାରେ ଡିଏଫ୍‌ଓଙ୍କ ପାଇଁ ବଡ଼ ଭୂକମ୍ପ ଆଣିପାରେ ବିଦ୍ୟାଭାରତୀଙ୍କ ବଲାଙ୍ଗୀର ବ୍ୟାଚ୍‌ଲର୍‌ ପାର୍ଟି ପ୍ରସଙ୍ଗ। ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଲିଙ୍କ୍‌ରେ ଏବେ ବଲାଙ୍ଗୀରରୁ ଏହି ଘଟଣାକୁ ନେଇ ଗୋଟିଏ ପରେ ଗୋଟିଏ ରୋଚକ ଖବର ସାମ୍ନାକୁ ଆସୁଛି।

ଗତ ଏପ୍ରିଲ ୩ ତାରିଖରେ ବିଦ୍ୟାଭାରତୀ ବଲାଙ୍ଗୀର ଲର୍କିପାଲି ଠାରେ ଥିବା ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ କାର୍‌ରେ ଯାଇଥିଲେ। ଏପ୍ରିଲ ୧୧ ତାରିଖରେ ତାଲିମ କେନ୍ଦ୍ରରେ ବ୍ୟାଚ୍‌ଲର ପାର୍ଟି ଦେବାକୁ ପ୍ରାଣୀଧନ ବିଭାଗ ଉପନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କୁ ଅନୁରୋଧ କରିଥିଲେ ବିଦ୍ୟାଭାରତୀ। କିନ୍ତୁ ଉପନିର୍ଦ୍ଦେଶକ ଏଥିପାଇଁ ମନା କରିବା ପରେ ବିଦ୍ୟାଭାରତୀ ପୂରା ମେସ୍‌ ଖର୍ଚ୍ଚ ବହନ କରିଥିଲେ। ଏ ନେଇ ଗଜପତି ପୁଲିସ ତାଲିମ କେନ୍ଦ୍ର ଉପନିର୍ଦ୍ଦେଶକଙ୍କ ସହ କୁଆଡ଼େ ଯୋଗାଯୋଗ କରି କଥାବାର୍ତ୍ତା ହୋଇଥିବା ଓ ଅନେକ ଗୁରୁତ୍ବପୂର୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି।

ଦୁଇଦିନ ହେଲା ବଲାଙ୍ଗୀର ପୁଲିସ ବି ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଯାଇ ବ୍ୟାଚ୍‌ଲର୍‌ ପାର୍ଟି ପ୍ରସଙ୍ଗରେ ବ୍ୟାପକ ତନାଘନା ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ୍‌ ୧୩ ତାରିଖରେ ବିଦ୍ୟାଭାରତୀ ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରୁ ବାହାରି ଆସିଥିବା ବେଳେ ସେଠାରେ ଥିବା ସମୟରେ ତାଙ୍କ ସହ ଜଣେ ପୁରୁଷ ବନ୍ଧୁ ମଧ୍ୟ ତାଲିମ କେନ୍ଦ୍ର ଯାଉଥିଲେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଦ୍ୟାଭାରତୀ ଯାଇଥିବା କାର୍‌ ବନ ବିଭାଗର ଜଣେ ଅଧିକାରୀଙ୍କର ଥିଲା ବୋଲି କୁହାଯାଉଥିବାରୁ ଏଥିରେ ପୁଣି ଡିଏଫ୍‌ଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ପ୍ରସଙ୍ଗ ତାଜା ହୋଇଯାଇଛି। ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନିଆ ଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୌମ୍ୟଙ୍କ ବାପା ଦେଇଥିବା ଏତଲାରେ ତିନି ଜଣଙ୍କ ନାଁ ରହିଛି। ପ୍ରଥମ ଅଭିଯୁକ୍ତ ଭାବେ ବୋହୂ ବିଦ୍ୟାଭାରତୀ ପଣ୍ଡା, ଦ୍ବିତୀୟରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ତୃତୀୟ ଅଭିଯୁକ୍ତ ଭାବେ ରୋ‌ଷେୟା ମନ୍ମଥ କୁମ୍ଭଙ୍କ ନାମରେ ଅଭିଯୋଗ ରହିଥିବା ବେଳେ ପୁଲିସ ପ୍ରାଥମିକ ତଦନ୍ତ ପ୍ରକ୍ରିୟାରେ ସମସ୍ତଙ୍କୁ ଜେରା କରିସାରିଛି। ପୁଲିସର ଏକ ଟିମ୍‌ ମୟୂରଭଂଜର କପ୍ତିପଦା ଯାଇ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋ‌ଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ଜେରା କରି ସାରିଛି। ପୁଲିସ ଏବେ ବି ଏହାକୁ ଏକ ଦୁର୍ଘଟଣାଜନିତ ବୋଲି କହୁଥିବା ବେଳେ ଦିନ ପରେ ଦିନ ଗଡ଼ୁଥିଲେ ବି ମୃତ୍ୟୁ ରହସ୍ୟ ନେଇ ଘଟଣା ଉପରୁ ପରଦା ହଟାଇବା ପାଇଁ ସେମିତି କିଛି ସିଦ୍ଧାନ୍ତରେ ପହଞ୍ଚି ପାରିନି।

ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ ଛଅ ଜଣଙ୍କୁ ଜେରା କରିଥିବା ବେଳେ କିଛି ଗୁରୁତ୍ବପୂର୍ଣ ପ୍ରମାଣ ପାଇଥିବା ପୁଲିସ ଗତକାଲି ସୂଚନା ଦେଇଛି। ହେଲେ ପରିବାର ଲୋକ‌େ ଆଣିଥିବା ଅଭିଯୋଗର ପ୍ରମାଣ ପାଇଁ ସେମିତି ବଳିଷ୍ଠ ସୁରାକ୍‌ ମିଳିପାରି ନାହିଁ। ସବୁଠି ତନ୍ନ ତନ୍ନ ତଦନ୍ତ ପରେ ଏବେ ବିଦ୍ୟାଭାରତୀଙ୍କ ବ୍ୟାଚ୍‌ଲର ପାର୍ଟି ପ୍ରସଙ୍ଗ ଉପରେ ତଦନ୍ତ କେନ୍ଦ୍ରୀଭୂତ ହୋଇଥିବା ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି। ତଦନ୍ତ ପାଇଁ ପାରଳାଖେମୁଣ୍ତିରୁ ଏକ ୫ ଜଣିଆ ତଦନ୍ତକାରୀ ଦଳ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ବଲାଙ୍ଗୀର ଗସ୍ତ କରିବ ବୋଲି ସୂଚନା ମିଳିଛି। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ବିଦ୍ୟାଭାରତୀ ପଣ୍ତା ଓ ତାଙ୍କ ପରିବାର ସଦସ୍ୟ ପାରଳାଖେମୁଣ୍ତିରେ ପହଞ୍ଚିବେ ବୋଲି ମଧ୍ୟ ପୁଲିସ ସୂଚନାରୁ ଜଣାପଡ଼ିଛି। ଏଠାରେ ପୁନର୍ବାର ପୁଲିସ ବିଦ୍ୟାଭାରତୀଙ୍କୁ ଜେରା କରିପାରେ ବୋଲି କୁହାଯାଇଛି। ଏହାସହ ସରକାରୀ ବାସଭବନରେ ଥିବା ତାଙ୍କର ଆସବାବ ପତ୍ର ଓ ଅନ୍ୟ ସାମଗ୍ରୀ ନେବା ସହ ସରକାରୀ ବାସଭବନଟିକୁ ବନ ବିଭାଗକୁ ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର