ପାରଳାଖେମୁଣ୍ଡି/ଭୁବନେଶ୍ବର : ବହୁଚର୍ଚ୍ଚିତ ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଜଳିଯାଇ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ହଟୁନାହିଁ। କ୍ରାଇମବ୍ରାଞ୍ଚ୍ ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ପାରଳାଖେମୁଣ୍ଡି ଛାଡ଼ିଛି।
ପ୍ରାୟ ୮ ଦିନ ପାରଳାଖେମୁଣ୍ଡିରେ ରହି ତଦନ୍ତ କରିଥିବା କ୍ରାଇମବାଞ୍ଚ୍ ଟିମ୍ ଏହି ସମୟରେ ପାଇଥିବା ତଥ୍ୟକୁ ତର୍ଜମା କରୁଥିବା ସୂଚନା ମିଳିଛି। ଗତ ୧୪ ତାରିଖ ଦିନ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ କ୍ରାଇମବାଞ୍ଚ୍ର ୪ ଜଣିଆ ଟିମ୍ ଆସି ୨୨ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରେ ରହି ଛାନ୍ଭିନ୍ କରିଥିଲେ। ଘଟଣା ଘଟିଥିବା ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଫରେନ୍ସିକ୍ର ୯ ଜଣିଆ ଟିମ୍ ସହ ଯାଇ ତଦନ୍ତ କରିଥିଲେ। ପୂର୍ବରୁ ପୁଲିସ ତଦନ୍ତରୁ ମିଳିଥିବା ତଥ୍ୟର ପୁନଃତର୍ଜମା କରିଥିଲା କ୍ରାଇମବ୍ରାଞ୍ଚ।
ଘଟଣାରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ସହଯୋଗୀ ବନ କର୍ମଚାରୀ, ଡାକ୍ତର ଓ ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଥିବା ରୋଷେୟା ମନ୍ମଥ କୁମ୍ଭ, ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ମାରାଥନ୍ ଜେରା ହୋଇଥିଲା। ଏହାଭିତରେ ଜଣ ଜଣ କରି ୧୬ ଜଣଙ୍କୁ ଜେରା ସରିଥିବା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ପାଇଥିବା କୁହାଯାଉଛି। ତେଣୁ ସେସବୁ ତଥ୍ୟକୁ ଏବେ ତଦନ୍ତକାରୀ ଦଳ ତର୍ଜମା କରୁଛି। ହେଲେ ସୌମ୍ୟଙ୍କ ବାପା ଦେଇଥିବା ଏତଲା ପ୍ରକାରେ କ୍ରାଇମବ୍ରାଞ୍ଚ୍ ଏ ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କୁ ଛାଡ଼ି ସମସ୍ତଙ୍କୁ ଜେରା କରିସାରିଛି। ତେଣୁ ବିଦ୍ୟାଭାରତୀଙ୍କ ନିକଟରେ ପହଞ୍ଚି ଜେରା କରିବା ପାଇଁ କ୍ରାଇମବ୍ରାଞ୍ଚ୍ ସଜବାଜ ହେଉଥିବା କୁହାଯାଉଛି।
କ୍ରାଇମବ୍ରାଞ୍ଚ୍ ବର୍ତ୍ତମାନ ବିଦ୍ୟାଭାରତୀଙ୍କୁ ଜେରା କରିବ ଓ ଏହା କ୍ରାଇମ୍ବ୍ରାଞ୍ଚ୍ ମୁଖ୍ୟାଳୟରେ ହେବ ନା ବିଦ୍ୟାଭାରତୀଙ୍କ ବାରିପଦା ନିକଟସ୍ଥ ବାପା ଘରେ ହେବ ସେ ବିଷୟରେ କିଛି ତଥ୍ୟ ମିଳିନାହିଁ। ମୋଟାମୋଟି ଭାବେ ଏହି ରହସ୍ୟଜନକ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିଲା ନାହିଁ। ପୁଲିସ ତଦନ୍ତ ଖିଅ ଯେଉଁଠି ଛାଡ଼ିଥିଲା ଏବେ କ୍ରାଇମବ୍ରାଞ୍ଚ ସେହି ଖିଅକୁ ଧରିବାକୁ ଉଦ୍ୟମ କରିଥିବା ବେଳେ ତଦନ୍ତର ୮ ଦିନ ପରେ ବି ସେମିତି କିଛି ଆଖିଦୃଶିଆ ତଥ୍ୟ ହାସଲ କରିଥିବା ଅନୁମାନ କରାଯାଉ ନାହିଁ। ପୂର୍ବରୁ ତଦନ୍ତ ଦାୟିତ୍ବ ନେଇଥିବା ପାରଳାଖେମୁଣ୍ଡି ଥାନା ପୁଲିସ ପ୍ରାୟ ୩୨ ଦିନ ଧରି ତଦନ୍ତ କରିଥିଲେ ବି ଘଟଣା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇ ନଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ୍ ଟିମ୍ କୌଣସି ନିର୍ଯାସରେ ପହଞ୍ଚି ପାରିନି। ଅନ୍ୟପଟେ ଡିଏଫ୍ଓଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଲାଏ ଡିକ୍ଟେକ୍ସନ୍ ଟେଷ୍ଟ୍ର ସହାୟତା ନେବ ବୋଲି କହିଥିବା ବେଳେ କଟକ ଫେରି ଯାଇଥିବା ଟିମ୍ର ତଦନ୍ତର ଗତି କେଉଁ ଆଡ଼କୁ ଯାଉଛି, ତାହାକୁ ଅପେକ୍ଷା କରାଯାଇଛି।
ଅନ୍ୟପକ୍ଷରେ, ତଦନ୍ତ ରିପୋର୍ଟ ତୁରନ୍ତ ଦେବା ପାଇଁ ଆଜି କେନ୍ଦ୍ର ମାନବାଧିକାର କମିସନ୍ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତ ୩ ତାରିଖରେ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ କମିସନ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ସୌମ୍ୟରଂଜନଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାରଲୋକ ଅଭିଯୋଗ କରୁଥିବା ବେଳେ ପାରଳାଖେମୁଣ୍ଡି ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ଏହାର ସଠିକ୍ ତଦନ୍ତ କରୁନାହିଁ ବୋଲି ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଇଥିଲେ। ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/acf-soumyaranjan-1.jpg)