ରହସ୍ୟ ବଢ଼ିଲା: ଏସିଏଫ୍‌ କ୍ବାର୍ଟର୍ସରେ ଜଳିନଥିଲେ

କୋଠରୀରୁ ନିଆଁ ଲାଗିଥିବାର ପ୍ରମାଣ ମିଳିଲାନି

ସୌମ୍ୟଙ୍କ ପରିବାର ଉପସ୍ଥିତିରେ ଚାବି ଖୋଲି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ଯୁବ ଓଏଫ୍‌ଏସ୍‌ ଅଫିସର ତଥା ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ଜଳିଯାଇ ପ୍ରାଣ ହରାଇବା ଘଟଣା ଅଧିକ ରହସ୍ୟ ଘେରକୁ ଯାଇଛି। ଏସିଏଫ୍‌ କ୍ବାର୍ଟର୍ସରେ ଜଳିଥିବାର କୌଣସି ସଙ୍କେତ ମିଳିନଥିବା ଜଣାପଡ଼ିଛି।

ଆଜି ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର, ପରିବାର ସଦସ୍ୟ ଏବଂ ଆଇନଜୀବୀ ପାର୍ଥସାରଥୀ ନାୟକ ପାରଳାରେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ କ୍ବାର୍ଟର୍ସ ଚାବି ଖୋଲି ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଥିଲେ। ସୌମ୍ୟଙ୍କ କ୍ବାର୍ଟର୍ସ ଚାବି ଡିଏଫ୍‌ଓ ପାଖରେ ଥିଲା। କ୍ବାର୍ଟର୍ସ କୋଠରୀ ଭିତରେ ନିଆଁ ଲାଗିଥିବା କିମ୍ବା ସେଭଳି କିଛି ଘଟଣା ଘଟିଥିବା ସମ୍ପର୍କରେ ଲେଶମାତ୍ର ସୁରାକ୍‌ କିମ୍ବା ତଥ୍ୟ ହାସଲ କରିପାରି ନଥିଲେ ସାଇଣ୍ଟିଫିକ୍‌ ଅଫିସର ଓ ପୁଲିସ ତଦନ୍ତ ଅଧିକାରୀ। କ୍ବାର୍ଟର୍ସର ସବୁ ଜାଗା ତନ୍ନତନ୍ନ କରି ଯାଞ୍ଚ୍‌ କରାଯାଇଥିଲା। ହେଲେ, ନିଆଁରେ ପୋଡ଼ି ହେଲାଭଳି ପୁଲିସ କୌଣସି ସଙ୍କେତ ପାଇନଥିଲା। କେବଳ କୋଠରୀ ମଧ୍ୟରେ ସାମାନ୍ୟ କିଛି ଧୂଆଁ ଗନ୍ଧ ବାରି ହେଉଥିଲା। ପୁଲିସ କୋଠରୀ ମଧ୍ୟରୁ କିରାସିନି ଗନ୍ଧ ଅନୁଭବ କରି ନଥିଲା। କୋଠରୀ ମଧ୍ୟରେ ଅନେକ ପ୍ଲାଷ୍ଟିକ୍‌ ସାମଗ୍ରୀ, ପଲିଥିନ୍‌, କାଗଜପତ୍ର ଓ ମୁଢ଼ି ଡବା ଇତ୍ୟାଦି ରହିଥିବା ବେଳେ ଏ ସବୁରେ କୌଣସି ପ୍ରକାର ନିଆଁ ଲାଗିଥିବା ଚିହ୍ନ ମଧ୍ୟ ନଥିଲା। କୋଠରୀ ମଧ୍ୟରେ ଜଣେ ବ୍ୟକ୍ତି ନିଆଁରେ ପୋଡ଼ି ହୋଇ ଥିବାର ସେମିତି କିଛି ଉପଯୁକ୍ତ ପ୍ରମାଣ ବି ମିଳିନଥିବା ଜଣାପଡ଼ିଛି। ତେବେ ଏ ନେଇ ଗଣମାଧ୍ୟମ ଆଗରେ ପୁଲିସ କୌଣସି ସୂଚନା ଦେଇନଥିବା ବେଳେ ଅତିରିକ୍ତ ଏସ୍‌ପି ବାମଦେବ ସିଂ ମଧ୍ୟ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ।

ଅନ୍ୟପକ୍ଷରେ,ଏସିଏଫ୍‌ଙ୍କ ମୃତ୍ୟୁ ଘଟଣାକୁ ପୁଲିସ ଅଧିକ ଗମ୍ଭୀରତାର ସହ ନେଇଛି। ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦିନେ ଦୁଇଦିନ ମଧ୍ୟରେ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସେଭଳି ମୃତ ସୌମ୍ୟଙ୍କ ପତ୍ନୀଙ୍କୁ ମଧ୍ୟ ପାରଳାଖେମୁଣ୍ଡି ଆଣି ଜେରା କରାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।

ଉଲ୍ଲେଖଯୋଗ୍ୟ, ଏସିଏଫ୍‌ ସୌମ୍ୟଙ୍କ ବାପା ଦେଇଥିବା ଏତଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ଓ ରୋଷେୟାଙ୍କ ନାମ ଦର୍ଶାଯାଇଛି। ସେମାନଙ୍କୁ ଜେରାପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର