ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ୧୬ ଜଣଙ୍କୁ ଜେରା ପରେ ବି କ୍ରାଇମବ୍ରାଞ୍ଚ ଖୋଜିପାଇଲାନି ଖିଅ

ବିଦ୍ୟାଭାରତୀଙ୍କୁ ପଚରାଉଚରା ଉପରେ ନଜର

ପାରଳାଖେମୁଣ୍ତି: ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ଜଳିଯାଇ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଗତ ଆଠଦିନ ମଧ୍ୟରେ ୧୬ ଜଣଙ୍କୁ ପଚରାଉଚରା କରିଛି। ଜଣ ଜଣକୁ ଡାକି ଘଟଣା ବିଷୟରେ ଟିକିନିଖି ତଥ୍ୟ ବି ସଂଗ୍ରହ କରାଯାଇଛି। ହେଲେ ଏପର୍ଯନ୍ତ ଘଟଣାର ସତ୍ୟତା ଉପରୁ ପରଦା ହଟାଇବାରେ କ୍ରାଇମବ୍ରାଞ୍ଚ୍ ସକ୍ଷମ ହୋଇପାରିନି। ଫଳରେ ଆଗକୁ ତଦନ୍ତକାରୀ ଟିମ୍‌ ଆଉ କେଉଁ କୌଶଳ ଆପଣାଇବ, ନା ଏହି ଘଟଣା ସସ୍‌ପେନ୍ସ୍‌ର ଅଡ଼ୁଆ ସୂତା ଭିତରେ ଛନ୍ଦି ହୋଇ ରହିଯିବ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ମାମଲାର ଅନ୍ୟତମ ଅଭିଯୁକ୍ତ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରି କିଛି ସତ ଉଗାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ‌କିଛିି ସଫଳତା ମିଳି ନଥିଲା। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଡିଏଫଓ ଖଣ୍ଡନ କରିବା ସହ ଗଣମାଧ୍ୟମ ଆଗରେ ମୁହଁଟାଣ ଦେଖାଇଥିଲେ। ପୁରୁଣା ପାଠର ଆଲୋଚନା ଭଳି ପୁଲିସ ଡିଏଫଓଙ୍କୁ ଜେରା ବେଳେ ଯେଉଁ ତଥ୍ୟ ପାଇଥିଲା, କାଇମବ୍ରାଞ୍ଚ ବି ଆଗରେ ବି ତାହାର ପୁନରାବୃତ୍ତି ହୋଇଥିଲା।

ଏହାମଧ୍ୟରେ କ୍ରାଇମବ୍ରାଞ୍ଚ୍‌ ଗତକାଲି ତଦନ୍ତ ପ୍ରକ୍ରିୟା ଶେଷ କରି ପାରଳାଖେମୁଣ୍ଡିରୁ ଫେରିଯାଇଛି। ସୌମ୍ୟଙ୍କ ପରିବାରଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହି ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି। କ୍ରାଇମବ୍ରାଞ୍ଚ ୮ ଦିନ ହେଲା ବାଡ଼ି ବୁଲାଉଥିଲେ ବି କୌଣସି ସିଦ୍ଧାନ୍ତ‌ରେ ପହଞ୍ଚିପାରିନି। ଏବେ କେବଳ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା ବାକି ରହିଛି। କ୍ରାଇମବ୍ରାଞ୍ଚ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଜେରା କରିପାରେ ବୋଲି କୁହାଯାଇଛି। ସେହିପରି ଡିଏଫଓ ଓ ମୃତକ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ୍‌ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଆବଶ୍ୟକସ୍ଥଳେ ଉଭୟଙ୍କ ଲାଏ ଡ‌ିଟେକ୍ସନ୍ ଟେଷ୍ଟ୍ ହେବ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିସାରିଛି।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଥାନାରେ ଦେଇଥିବା ଏତଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ରହିଛି। ସୌମ୍ୟଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ଏହି ଷଡ଼ଯନ୍ତ୍ରରେ ବିଦ୍ୟାଭାରତୀ, ରୋଷେୟା ମନ୍ମଥ ଏବଂ ଡିଏଫଓ ସଂପୃକ୍ତ ଅଛନ୍ତି। ସୌମ୍ୟଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି।

କ୍ରାଇମବ୍ରାଞ୍ଚ ଏହି ଘଟଣାରେ ରୋଷେୟା ମନ୍ମଥ ଓ ଡିଏଫ୍‌ସଙ୍କୁ ପଚରାଉଚରା କରିସାରିଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା ହୋଇନାହିଁ। ହେଲେ ପୁଲିସ ପୂର୍ବରୁ ଏହି ଘଟଣାରେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ଘରକୁ ଯାଇ ତଦନ୍ତ କରିଥିଲେ ବି ସେମିତି କିଛି ସୁରାକ୍ ଓ ପ୍ରମାଣ ପାଇପାରିନଥିଲା। ଏବେ କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଜେରା କରି କିଛି ସତ ଉଗାଳିବାକୁ ଆଶା ରଖିଥିବା ବେଳେ ଏହି ରହସ୍ୟମୟ ଗଟଣାର ସତ୍ୟତା ଉପରୁୁ କେବେ ପରଦା ହଟୁଛି, ତହା ଉପରେ ସମସ୍ତ ନଜର ରହିଛି।

ସମ୍ବନ୍ଧିତ ଖବର