ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଜେରା

ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଯିବେ ସୌମ୍ୟଙ୍କ ପରିବାର

କପ୍ତିପଦା/ଶାଳଚୁଆ/ଉଦଳା-୧: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଜି ଦ୍ବିତୀୟଥର ପାଇଁ ଜେରା କରିଛି ପାରଳାଖେମୁଣ୍ଡି ପୁଲିସ। ଜେରା ସମୟରେ ପୁଲିସ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି। ତେବେ, ଘରେ ନଥିବାରୁ ଡ୍ରାଇଭର୍‌ ଦିବାକର ମହାପାତ୍ରଙ୍କୁ ପଚରାଉଚରା କରିନପାରି ଫେରିଯାଇଛନ୍ତି ତଦନ୍ତକାରୀ ଟିମ୍‌।

ମଙ୍ଗଳବାର ସକାଳ ପ୍ରାୟ ୯.୧୫ ମିନିଟ୍‌ରେ ତଦନ୍ତକାରୀ ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ କପ୍ତିପଦା ଥାନାରେ ଆସି ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ସହ କେସ୍‌ ବାବଦରେ ୪୦ରୁ ୪୫ ମିନିଟ୍‌ ଆଲୋଚନା ପରେ ଏହି ଟିମ୍‌ ଗୌଡଗାଁସ୍ଥିତ ବିଦ୍ୟାଭାରତୀଙ୍କ ଘର ଅଭିମୁଖେ ବାହାରି ଯାଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟାରେ ପହଞ୍ଚିବା ପରେ ପ୍ରାୟ ୪ ଘଣ୍ଟା ଧରି ରୁଦ୍ଧଦ୍ବାର ଘର ଭିତରେ ବିଦ୍ୟାଭାରତୀ ଓ ତାଙ୍କ ପରିବାରକୁ ଗୁଡ଼େଇତୁଡ଼େଇ ଜେରା କରିଥିଲା ପୁଲିସ। ସୌମ୍ୟଙ୍କ ସହିତ ବୈବାହିକ ସମ୍ପର୍କରେ କ’ଣ ପାଇଁ ତିକ୍ତତା ଆସିଥିଲା, ସ୍ବାମୀଙ୍କ ଅନୁପସ୍ଥିତିରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରକୁ କିଏ କିଏ ଆସୁଥିଲେ, ସେମାନଙ୍କ ସହିତ ବିଦ୍ୟାଙ୍କର କେଉଁ ପ୍ରକାର ସମ୍ପର୍କ ଥିଲା, ସୌମ୍ୟ ଟୁର୍‌ରେ ଯିବା ସମୟରେ ସେ କେମିତି ସମୟ କାଟୁଥିଲେ, ଘଟଣା ଦିନ ବନ କାର୍ଯ୍ୟାଳୟ ଗେଟ୍‌ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ୍ ଅଟକିଥିବା ବେଳେ କ୍ୱାର୍ଟରକୁ ଆସି କ’ଣ ଜିନିଷ ନେଇଥିଲେ, ଉକ୍ତ ଲାଲ୍ କପଡ଼ାରେ କ’ଣ ଥିଲା, ତାଙ୍କ ଅନ୍ତରଙ୍ଗ ବନ୍ଧୁ କିଏ ଓ କଲେଜ ଜୀବନ କେମିତି ଥିଲା, ସୌମ୍ୟ ୧୨ରୁ ୧୫ ତାରିଖକୁ କାହିଁକି କାଳରାତ୍ରି ବୋଲି ଉଲ୍ଲେଖ କରିଥିଲେ, ୧୨ ତାରିଖ ରାତିରେ ସୌମ୍ୟ ପୋଡ଼ି ହେବା ପର୍ଯ୍ୟନ୍ତ ଦିନସାରା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କ’ଣ ହୋଇଥିଲା, ଦୁହିଁଙ୍କ ଭିତରେ ଝଗଡ଼ା ହେଲେ କେହି ତୃତୀୟ ପକ୍ଷ ଆସି ସମାଧାନ କରୁଥିଲେ କି, ଏମିତି ବହୁ ପ୍ରଶ୍ନ ବିଦ୍ୟାଭାରତୀଙ୍କୁ ପଚରାଯାଇଥିଲା। ସେହିପରି ମୋବାଇଲ୍‌ରେ ମିଳିଥିବା ଫଟୋ, ଚିଠି ଓ ସୌମ୍ୟଙ୍କର ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ନେଇ ଭାଇରାଲ୍ ହୋଇଥିବା ଅଡିଓ ବାର୍ତ୍ତାଳାପ ସମ୍ପର୍କରେ ମଧ୍ୟ ବିଦ୍ୟାଭାରତୀଙ୍କୁ ଜେରା କରାଯାଇଥିବା ନେଇ ସୂଚନା ମିଳିଛି। ବିଦ୍ୟାଭାରତୀଙ୍କ ଉତ୍ତରରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସର ହସ୍ତଗତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏ ସଂକ୍ରାନ୍ତରେ ଗଣମାଧ୍ୟମ ଆଗରେ କିଛି କହିନାହାନ୍ତି ତଦନ୍ତକାରୀ ଅଧିକାରୀ।

ଅନ୍ୟପଟେ ପୁଲିସ ଆଜି ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ନେବାପାଇଁ ଆସୁଥିବା ସଂପର୍କରେ ଯେଉଁ ଚର୍ଚ୍ଚା ହେଉଥିଲା, ସେ କଥାକୁ ତଦନ୍ତକାରୀ ଅଧିକାରୀ ଶ୍ରୀ ସ୍ବାଇଁ ଖଣ୍ଡନ କରିଥିଲେ। ପରବର୍ତ୍ତୀ ସମୟରେ ତଦନ୍ତ ପ୍ରକ୍ରିୟାରେ ଯାହା ଦରକାର ପଡ଼ିବ, ତାହା କରାଯିବ ବୋଲି ସେ ସୂଚନା ଦେଇଥିଲେ। ବିଦ୍ୟାଭାରତୀଙ୍କୁ ଜେରାପରେ ତାଙ୍କ ପରିବାରକୁ ବଲାଙ୍ଗୀର ବିବାହ ଭୋଜିକୁ ନେଇଥିବା ଗାଡ଼ି ଡ୍ରାଇଭର ଦିବାକର ମହାପାତ୍ରଙ୍କୁ ଖୋଜିଥିଲା ପୁଲିସ। ତେବେ ଦିବାକର ଗାଡ଼ି ଭଡ଼ା ନେଇ ଭୁବନେଶ୍ୱର ଯାଇଥିବାରୁ ତଦନ୍ତକାରୀ ଟିମ୍‌ ତାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ସନ୍ଧ୍ୟାରେ ତଦନ୍ତକାରୀ ଟିମ୍‌ ଭୁବନେଶ୍ବର ଫେରିଥିବା ବେଳେ ବାଟରେ ଦିବାକରଙ୍କ ସହ ଯେଉଁଠି ବି ଦେଖା‌ହେବ ତାଙ୍କୁ ସେହିଠାରେ ଅଟକାଇ ଜେରା କରାଯିବ ବୋଲି ଟିମ୍‌ର ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୁଲିସ ଏ ଯାଏ ୨୫ ଜଣଙ୍କ ବୟାନ ରେକର୍ଡ କରିବା ସହିତ ୬ ଜଣଙ୍କୁ ଜେରା କରିସାରିଲାଣି। ତଥାପି ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇପାରୁନି। ଶାସକ ଦଳର ଜଣେ ମନ୍ତ୍ରୀଙ୍କ ଚାପରେ ମାମଲାକୁ ଚାପି ଦିଆଯାଉଥିବା ନିକଟରେ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିବା ବେଳେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିବେ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

ସମ୍ବନ୍ଧିତ ଖବର