ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ମାମଲା

କଟକ : ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର୍‌ କରାଯାଇଛି।

ଆବେଦନରେ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ତୋଷଜନକ ନୁହେଁ। ତେଣୁ, ସିବିଆଇ ଭଳି ସ୍ବାଧୀନ ଏଜେନ୍ସି ଦ୍ବାରା ଘଟଣାର ତଦନ୍ତ କରାଯାଉ ନଚେତ ଅଦାଲତଙ୍କ ତଦାରଖରେ ଏସ୍‌ଆଇଟି ତଦନ୍ତ କରାଯାଉ ବୋଲି ସେ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଗତ ଜୁଲାଇ ୧୨ ତାରିଖରେ ତାଙ୍କ ପୁଅ ସୌମ୍ୟରଂଜନଙ୍କ ଦେହରେ ନିଅଁା ଲାଗିଥିଲା। ପରଦିନ ଅର୍ଥାତ୍‌ ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ନିଜେ ଗଜପତି ଏସ୍‌ପି ଗଣମାଧ୍ୟମକୁ ଘଟଣାସ୍ଥଳ ସୌମ୍ୟରଂଜନଙ୍କ ସରକାରୀ କ୍ବାର୍ଟର୍‌ ବୋଲି କହିଥିଲେ। ମାତ୍ର, ଘଟଣାଦିନ ୧୨ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଡିଏଫ୍‌ଓଙ୍କ ନିକଟରେ କ୍ବାର୍ଟର୍‌ ଚାବି ରହିଥିଲା, ଯିଏକି ନିଜ‌େ ଜଣେ ଅଭିଯୁକ୍ତ। ସେହିଭଳି, ଘଟଣାସ୍ଥଳରେ ପ୍ରମାଣ ଯେପରି ନଷ୍ଟ ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ତଦନ୍ତକାରୀ ସଂସ୍ଥା କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ଏପରି କାର୍ଯ୍ୟ ପଛର କାରଣ ପାରଳାଖେମୁଣ୍ଡି ଥାନା ପୁଲିସକୁ ଜଣା ବୋଲି ଆବେଦନରେ ଦର୍ଶାଯାଇଛି।

Image Courtesy of The New Indian Express

ଆଇପିସିର ଦଫା ୩୦୨ ଓ ୧୨୦-ଖରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା କେବେ ବି ଏତଲାରେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ସୌମ୍ୟରଂଜନଙ୍କ ପତ୍ନୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ହେପାଜତରେ ଜେରା କରିବାକୁ ଉଦ୍ୟମ କରିନଥିଲା। ଏଥିସହିତ ସୌମ୍ୟରଂଜନଙ୍କ ପତ୍ନୀଙ୍କ ସଂପର୍କୀୟା ପୁଲିସ ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହଜନକ। ତାଙ୍କର ଭୂମିକା ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯାଇ ନାହିଁ। ସୌମ୍ୟରଂଜନଙ୍କୁ ଚିକିତ୍ସା ପାଇଁ କେଉଁ ହସ୍ପିଟାଲକୁ ରେଫର କରାଯାଇଥିଲା, ତାହା ବି ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏ ଦିଗରେ କୌଣସି ତଦନ୍ତ କରାଯାଉନାହିଁ ।

ଗତ ଅଗଷ୍ଟ ୧୪ରୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଏ ପର୍ଯ୍ୟନ୍ତ ସୌମ୍ୟରଂଜନଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରାଯାଇନାହିଁ। ରାଜ୍ୟ ପୁଲିସ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ କରିବ ବୋଲି ଆଶାନାହିଁ। ଘଟଣାର ସ୍ବାଧୀନ ତଦନ୍ତ ଦ୍ବାରା ସୌମ୍ୟରଂଜନଙ୍କ ମୃତ୍ୟୁ ପଛରେ ରହିଥିବା ପ୍ରକୃତ ସତ୍ୟ ସମ୍ମୁଖକୁ ଆସିବ ‌ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ଆବେଦନରେ ଦର୍ଶାଯାଇଛି। ଘଟଣାର ସ୍ବାଧୀନ, ସ୍ବଚ୍ଛ, ନିରପେକ୍ଷ ତଦନ୍ତ ପାଇଁ ସିବିଆଇ କିମ୍ବା ଅଦାଲତଙ୍କ ତଦାରଖରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପାର୍ଥ ସାରଥି ନାୟକ  ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର