ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାକୁ ଶୁଣାଣି ନିମନ୍ତେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତ ଗ୍ରହଣ କରିଥିଲେ। ଆସନ୍ତା ମେ ୧୬ ତାରିଖରେ ମାମଲାରେ ଅଭିଯୁକ୍ତ ଥିବା ପାରଳାଖେମୁଣ୍ଡି ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଏବଂ ଏ ନେଇ ସେମାନଙ୍କୁ ସମନ ନୋଟିସ୍ ପଠା ଯାଇଥିବା ଜଣାପଡ଼ିଛି।
୨୦୨୧, ଜୁଲାଇ ୧୨ ତାରିଖ ରାତିରେ ଫରେଷ୍ଟ କଲୋନି ସ୍ଥିତ ନିଜ ସରକାରୀ କ୍ବାର୍ଟର୍ସରେ ବନ ବିଭାଗରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହେବା ଏବଂ ତା’ପରଦିନ ମୃତ୍ୟୁ ଘଟିବା ସମ୍ପର୍କରେ ତଥ୍ୟ ଦେବାପାଇଁ ଏହି ତିନିଜଣଙ୍କୁ ହାଜର ହେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନ, ରେକର୍ଡ଼ କରା ଯାଇଥିବା ବୟାନ ଏବଂ ତଦନ୍ତ ସମୟରେ ସଂଗ୍ରହ କରା ଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି ଏହି ହତ୍ୟା ଏବଂ ଅପରାଧିକ ଷଡ଼୍ଯନ୍ତ୍ର ଅଭିଯୋଗ ଆଧାରିତ ମାମଲା ବିଚାରଯୋଗ୍ୟ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ସମ୍ପର୍କରେ ପ୍ରମାଣଯୋଗ୍ୟ ତଥ୍ୟ ରହିଥିବାରୁ ଏହା ଆଧାରରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ହାଜର ପାଇଁ କୋର୍ଟ ସମନ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ସ୍ଵର୍ଗତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର ନିଜ ଓକିଲ ଅଶୋକ କୁମାର ପାଣିଗ୍ରାହୀଙ୍କ ମାଧ୍ୟମରେ ଅଦାଲତଙ୍କ ନିକଟରେ ଏହି ଘଟଣାର ତଦନ୍ତ ପାଇଁ ନିବେଦନ କରିଥିଲେ। ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟର ତଦନ୍ତ କ୍ରାଇମବ୍ରାଞ୍ଚ ନେବା ପରେ ୨୦୨୨ ମସିହାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କ୍ଲିନ୍ଚିଟ୍ ମଧ୍ୟ ଦେଇଥିଲା। ଅଭିରାମଙ୍କ ଏତଲାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ତଦନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଅନେକ ସ୍ଥାନରେ ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ଼ କରିଥିଲେ। ପିତା ଅଭିରାମଙ୍କ ଅଭିଯୋଗ ଥିଲା ଯେ, ମାତ୍ର କିଛିମାସ ପୂର୍ବେ ତାଙ୍କ ପୁଅ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳର ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରି ପାରଳାଖେମୁଣ୍ଡିରେ ଆସି ସରକାରୀ ବାସଭବନରେ ରହୁଥିଲେ। ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କୁ ହତ୍ୟା କରା ଯାଇଥିବା ଏବଂ ଏଥିରେ ପତ୍ନୀ ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀଙ୍କ ସଂପୃକ୍ତି ରହିଥିବା ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଏତଲାରେ ଦର୍ଶାଇଥିଲେ। ବର୍ତ୍ତମାନ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ଏହି ଘଟଣାର ବିଚାରଣା ପ୍ରକ୍ରିୟା ଆରମ୍ଭ ହେବା ମାମଲାକୁ ନୂଆମୋଡ଼ ଦେଇଛି ବୋଲି ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/acf-soumyaranjan.jpg)