ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ମୋବାଇଲ ଫଟୋକୁ ନେଇ ଚର୍ଚ୍ଚା

ଆଜି କପ୍ତିପଦା ଆସିବ ପାରଳାଖେମୁଣ୍ଡି ପୁଲିସ

କପ୍ତିପଦା/ଶାଳଚୁଆ/ଉଦଳା-୧ : ୨୧ ଦିନ ବିତି ଯାଇଥିଲେ ବି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁନି। ବିଶେଷକରି ବୋହୂ ବିଦ୍ୟାଭାରତୀଙ୍କ ବୟାନକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ସୌମ୍ୟଙ୍କ ପରିବାର। ଆଜିଯାଏ ହୋଇଥିବା ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୯୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥବା ଜଣେ ବ୍ୟକ୍ତି କେମିତି ନିଜ ବୟାନ ଦେଲେ ଓ ତାହାକୁ ରେକର୍ଡ କରାଗଲା, ସେ ପ୍ରଶ୍ନର ଉତ୍ତର ବି କାହାପାଖରେ ନାହିଁ।

ଏସବୁ ଭିତରେ ତଦନ୍ତକାରୀ ଦଳ ସୋମବାର ଦିନ କପ୍ତିପଦା ଆସି ବିଦ୍ୟାଙ୍କୁ ପୁଣି ଜେରା କରିବାର ଥିଲା। କୌଣସି କାରଣରୁ ଏହାକୁ ଆଜି(ମଙ୍ଗଳବାର)କୁ ଘୁଞ୍ଚାଇ ଦିଆଯାଇଛି। ଗତଥର ପୁଲିସ ବିଦ୍ୟାଙ୍କ ନିକଟରୁ ତାଙ୍କର ଓ ସୌମ୍ୟଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜବତ ହୋଇଥିବା ବିଦ୍ୟାଙ୍କ ମୋବାଇଲ୍‌ରୁ ୨ଟି ଫଟୋ ମିଳିଛି। ମିଳିଥିବା ଫଟୋରୁ ଗୋଟିଏ ଉଦଳା ବ୍ଲକ୍‌ ରାଢୋ ପଞ୍ଚାୟତର ଜଣେ ଯୁବକଙ୍କର ବୋଲି ଜଣାପଡ଼ିଛି । ଉକ୍ତ ଯୁବକ ଓ ବିଦ୍ୟାଭରତୀଙ୍କ ମଧ୍ୟରେ ବାର୍ତ୍ତାଳାପର ଫୋନ୍‌ ରେକର୍ଡିଂ ବି ପୁଲିସ ହାତରେ ଲାଗିଥିବା କୁହାଯାଉଛି। ଏହାକୁ ନେଇ ପୁଲିସ ଖୋଳତାଡ଼ ସହିତ ଉକ୍ତ ଯୁବକଙ୍କୁ ବି ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

ଏଥିସହ ୨୦୧୯ରେ ବିଦ୍ୟାଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିବା ଉଦଳା ଏନ୍‌ଏସି ୧୦ ନମ୍ବର ୱାର୍ଡ ବାସିନ୍ଦା ତଥା ଏବେ ବ୍ୟାଙ୍କ ଅଫିସର ଥିବା ଜୟପ୍ରକାଶ ପାଣିଗ୍ରାହୀଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ତଦନ୍ତର ଦିଗ କେଉଁଆ‌ଡ଼କୁ ଯିବ ଏବଂ ଏ ସବୁ ଚରିତ୍ର ଭିତରୁ କିଏ ପୁଲିସ ସ୍କାନର୍‌ରେ ରହିବ ତାହା ସ୍ପଷ୍ଟ ହୋଇନି, ତେବେ ବିଦ୍ୟାଙ୍କୁ ଜେରା କରିବାପାଇଁ ପୁଲିସ ଦ୍ବିତୀୟଥର ଆସୁଥିବାରୁ ନିଶ୍ଚିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର