ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚ୍‌ର ମାରାଥନ୍‌ ଜେରା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପଛର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ୍‌। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଆଜି ପାରଳା ଆଦର୍ଶ ଥାନା ପରିସରର ଏକ ସ୍ଵତନ୍ତ୍ର କକ୍ଷକୁ ଅସ୍ଥାୟୀ କାର୍ଯ୍ୟାଳୟ କରି ରୁଦ୍ଧଦ୍ବାର ଜେରା ଆରମ୍ଭ କରିଛନ୍ତି। ଘଟଣା ସହ ସମ୍ପୃକ୍ତି ଅଭିଯୋଗ ଆସିଥିବା ଏସିଏଫ୍‌ଙ୍କ ରୋଷେୟା ମନ୍ମଥ କୁମ୍ଭ, ଘଟଣାଦିନ ଏସିଏଫ୍‌ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ବ୍ରହ୍ମପୁର ଓ କଟକ ନେଇଥିବା ବନ ବିଭାଗର ଗାର୍ଡ଼ମାନଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତିଙ୍କୁ ପଚାରଉଚରା କରିଛନ୍ତି। କ୍ରାଇମବ୍ରାଞ୍ଚ୍‌ ପ୍ରଥମ ପର୍ଯ୍ୟାୟରେ ଜଣ ଜଣଙ୍କୁ ଡକାଇ ଜେରା ଆରମ୍ଭ କରିଛି।

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ପୁଲିସକୁ ଆଶାନୁରୂପ ସଫଳତା ମିଳିନାହିଁ। ଏହାକୁ ନେଇ ମୃ୍ତକଙ୍କ ପରିବାର ଏବଂ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଫଳରେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗତ ୧୪ ତାରିଖ ଦିନ ପୁଲିସ ମହାନିଦ୍ଦେର୍ଶକ ଶ୍ରୀଅଭୟ କ୍ରାଇମବ୍ରାଞ୍ଚ ହାତକୁ ମାମଲା ହସ୍ତାନ୍ତର କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍‌ ମାମଲାର ତଦନ୍ତ କରୁଛନ୍ତି। ଆଜି କ୍ରାଇମବ୍ରାଞ୍ଚ୍‌ ଟିମ୍‌ ରୋଷେୟା, ବନବିଭାଗ ଗାର୍ଡ ଏବଂ ସେମାନଙ୍କ ସହ ଆଉ କେତେଜଣଙ୍କୁ ଜେରା କରିଛନ୍ତି। ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ମଧ୍ୟ ଜେରା କରିବାର ସମ୍ଭାବନା ରହିଛି। ଫଳରେ, ସମସ୍ତଙ୍କର କ୍ରାଇମବ୍ରାଞ୍ଚ ଉପରେ ଦୃଷ୍ଟିନିବଦ୍ଧ ରହିଛି।

ଏ ସମ୍ପର୍କରେ ଗଜପତି ପୁଲିସ ସହ ତଦନ୍ତକାରୀ ଦଳରେ ସକ୍ରିୟ ଭାବେ ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସେମାନେ ଏକ ମାସ ଧରି ଏହି ଘଟଣାର ତଦନ୍ତ କରିଥିଲେ। ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀ ମଧ୍ୟ ସହଯୋଗ କରୁଥିଲେ। ହେଲେ ତଦନ୍ତକାରୀ ଦଳକୁ ଏଭଳି କୌଣସି ତଥ୍ୟ, ପ୍ରମାଣ ମିଳିଲାନି, ଯାହା ଆଧାରରେ ଏହା ଏକ ହତ୍ୟା ବୋଲି କୁହାଯାଇ ପାରିବ। କେବେଳ ସେତିକି ନୁହେଁ, ବିଦ୍ୟାଭାରତୀ ଏବଂ ଡିଏଫ୍‌ଓଙ୍କ ମଧ୍ୟରେ ସମ୍ପର୍କ ନେଇ ଆସିଥିବା ଅଭିଯୋଗ ଉପରେ କୌଣସି ଚାକ୍ଷୁସ କିମ୍ବା ବୈଷୟିକ ପ୍ରମାଣ ମଧ୍ୟ ମିଳି ନଥିଲା। ଏଣୁ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ୍‌ର ତଦନ୍ତ ପରେ ସମଗ୍ର ଘଟଣା ପଛର ରହସ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର