ବଲାଙ୍ଗୀରରେ ପାରଳା ପୁଲିସ୍ର ତନାଘନା
ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ୫ ଘଣ୍ଟାର ତଦନ୍ତ
ନିର୍ଦ୍ଦେଶକ ସମେତ ୪ ଜଣଙ୍କୁ ପଚରାଉଚୁରା
ବିଦ୍ୟାଭାରତୀ ରହୁଥିବା ରୁମ୍କୁ ସିଲ୍ କରାଗଲା
ବଲାଙ୍ଗୀର/ପାରଳାଖେମୁଣ୍ଡି : ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବଲାଙ୍ଗୀର ଯିବାଲାଗି ପତ୍ନୀ ବିଦ୍ୟାଭାରତୀ ବ୍ୟବହାର କରିଥିବା କାର୍ଟି (ମାରୁତି ସ୍ବିଫ୍ଟ୍ ଡିଜାଇର୍-ଓଡ଼ି- ୦୭ଜି- ୨୯୨୫) ବନ ବିଭାଗର ନୁହେଁ ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି। ପୁଲିସ୍ ମଧ୍ୟ ତଦନ୍ତକୁ ଆଉ ପାଦେ ଆଗେଇ ନେବାପାଇଁ ବିଦ୍ୟାଭରତୀ ପଢ଼ୁଥିବା ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ୫ ଘଣ୍ଟାର ତନାଘନା କରିଛି। ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପଚରାଉଚରା କରିବା ସହିତ ବିଦ୍ୟାଭାରତୀ ରହୁଥବା ହଷ୍ଟେଲ୍ ରୁମ୍କୁ ସିଲ୍ କରିଥିବା ଜଣାପଡ଼ିଛି।
ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରଠାରୁ ବଲାଙ୍ଗୀରରେ ବିଦ୍ୟାଭରତୀଙ୍କ ‘ବ୍ୟାଚଲର୍ ପାର୍ଟି’କୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହିତ ବିଦ୍ୟାଭରତୀ କାହା ସହିତ ଏବଂ କେଉଁ ଗାଡ଼ିରେ ବଲାଙ୍ଗୀର ଯାଇଥିଲେ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଜଣାପଡ଼ିଛି ଯେ ବିଦ୍ୟାଭାରତୀ ବ୍ୟବହାର କରିଥିବା କାର୍ ବନବିଭାଗର ନୁହେଁ। ସୌମ୍ୟରଞ୍ଜନ ବ୍ୟକ୍ତିଗତ ଭାବେ ଏହାକୁ ଭୁବନେଶ୍ୱର, ବଲାଙ୍ଗୀର ଓ ବାଲେଶ୍ବର ଗସ୍ତବେଳେ ବ୍ୟବହାର କରୁଥିଲେ। ଏହି କାର୍ କାଶୀନଗର ରେଞ୍ଜ୍ ଅଧୀନରେ ଭଡ଼ାରେ ଲାଗିଥିଲା। କିନ୍ତୁ ରେଞ୍ଜ୍କୁ ବିଭାଗୀୟ ନୂଆ ଗାଡ଼ି ଆସିବାପରେ ଏହି କାର୍ ଆଉ ଭଡ଼ାରେ ଲାଗୁନି। ଯାହାର ମାଲିକ ହେଉଛନ୍ତି, କାଶୀନଗର ବ୍ଲକ୍ କଇଠପଦର ଗ୍ରାମର ପ୍ରମୋଦ ନାୟକ। ପୂର୍ବତନ କାଶୀନଗର ରେଞ୍ଜର ଅରୁଣ କୁମାର ସାହୁଙ୍କ ମାଧ୍ୟମରେ ସୌମ୍ୟରଞ୍ଜନ ଗାଡ଼ି ମାଲିକଙ୍କ ସହ ଚିହ୍ନା ପରିଚୟ ହୋଇଥିଲେ। କାର୍କୁ ବ୍ୟକ୍ତିଗତ ଭାବେ ନେଲେ ସୌମ୍ୟରଞ୍ଜନ ଭଡ଼ା ବାବଦରେ ଚାଳକଙ୍କୁ ଟଙ୍କା ଦେଉଥିଲେ। ଗାଡ଼ିର ଲଗ୍ବୁକ୍ ତଥ୍ୟ ମଧ୍ୟ ପୁଲିସ ନିକଟରେ ରହିଥିବା ଜଣାପଡ଼ିଛି। ତେବେ, କାର୍ରେ ବସିଥିବା ଯୁବକ ଜଣକ ଡ୍ରାଇଭର୍, ନା’ ପୁରୁଷ ବନ୍ଧୁ ଓ ନା’ ଡିଏଫ୍ଓ ଥିଲେ, ସେ ନେଇ ପୁଲିସ ଖୋଳତାଡ଼ କରିଛି।
ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପାଞ୍ଚଜଣିଆ ଟିମ୍ ତଦନ୍ତ ପାଇଁ ବଲାଙ୍ଗୀର ଯାଇଥିଲେ। ଏହି ଟିମ୍ର ଅଧିକାରୀମାନେ ରବିବାର ସକାଳୁ ପ୍ରଥମେ ଟାଉନ ଥାନାରେ ପହଞ୍ଚିଥିଲେ। ଟାଉନ ପୁଲିସର ଏକ ଟିମ୍ ସହିତ ପାରଳାଖେମୁଣ୍ଡି ଟିମ୍ ଲର୍କିପାଲିଠାରେ ଥିବା ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇଥିଲେ। ସେଠାରେ ନିର୍ଦ୍ଦେଶକ ହେମନ୍ତ ପ୍ରଧାନଙ୍କ ଅଫିସ ଭିତରକୁ ଯାଇ ତଦନ୍ତ କରିଥିଲେ। ନିର୍ଦ୍ଦେଶକଙ୍କ ସହିତ ଜଣେ କ୍ଲର୍କ ଓ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ। ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଯାଏ ଚାଲିଥିଲା ତଦନ୍ତ। ଅଫିସ ଭିତରେ ତଦନ୍ତ କରି ସାରିବା ପରେ ବିଦ୍ୟାଭାରତୀ ପଢୁଥିବା କ୍ଲାସ୍ରୁମ୍କୁ ଯାଇ ଛାନଭିନ କରିଥିଲା ପୁଲିସ। ତା’ପରେ ବିଦ୍ୟାଭାରତୀ ରହୁଥିବା ଲେଡିଜ ହଷ୍ଟେଲକୁ ଯାଇଥିଲେ ଟିମ୍ ସଦସ୍ୟ। ସେଠାରେ ରୁମ୍ ନଂ ୧ରେ ତାଲା ପଡ଼ିଥିଲା। ତାଲାର ଚାବି ରୁମ୍ରେ ବିଦ୍ୟାଭାରତୀଙ୍କ ସହ ପଢୁଥିବା ଅନ୍ୟସାଙ୍ଗମାନେ ରଖିଥିବାରୁ ପୁଲିସ ରୁମ୍କୁ ସିଲ୍ କରିଥିଲା। ତା’ପରେ ତାଲିମ କେନ୍ଦ୍ରର ଜରୁରୀ କାଗଜପତ୍ରକୁ ପୁଲିସ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।
ତେବେ, ବ୍ୟାଚଲର୍ ପାର୍ଟି ନେଇ ବିଦ୍ୟାଭାରତୀ କୁଆଡ଼େ ସ୍ବାମୀ ସୌମ୍ୟରଞ୍ଜନଙ୍କୁ ୩୦ ହଜାର ଟଙ୍କା ମାଗିଥିଲେ। ହେଲେ ଏହି ଟଙ୍କା ସୌମ୍ୟରଞ୍ଜନ ଦେଇ ନଥିବା କୁହାଯାଇଥିବା ବେଳେ ବିଦ୍ୟାଭାରତୀଙ୍କୁ ପାର୍ଟି ପାଇଁ କିଏ ଏତେ ଟଙ୍କା ଦେଇଥିଲା, ଏହାକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।
ଅନ୍ୟପଟେ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ବିଦ୍ୟାଭାରତୀ ଓ ତାଙ୍କ ପରିବାର ସଦସ୍ୟ ପାରଳାଖେମୁଣ୍ତିରେ ପହଞ୍ଚିବେ ବୋଲି ପୁଲିସ ସୂଚନାରୁ ଜଣାପଡ଼ିଛି। ଏଠାରେ ପୁଣି ପୁଲିସ ବିଦ୍ୟାଭାରତୀଙ୍କୁ ଜେରା କରିପାରେ। ଦରକାର ପଡ଼ିଲେ ପୁଲିସ ପୁଣି ୬ଜଣଙ୍କୁ ମୁହାଁମୁହିଁ ଜେରା କରିପାରେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/acf.jpg)