ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଥାନା ଅଧିକାରୀଙ୍କୁ ୩ ଘଣ୍ଟା ଜେରା

ପାରଳାଖେମୁଣ୍ଡି : ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ୍‌ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମାରାଥନ ଜେରା କରିଛି। ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପ୍ରାୟ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଛନ୍ତି। ହେଲେ; ତାଙ୍କୁ କ’ଣ ସବୁ ପ୍ରଶ୍ନ ହୋଇଥିଲା ଏବଂ ଉତ୍ତରରେ ସେ କ’ଣ କହିଥିଲେ, ସେ ସମ୍ପର୍କରେ ମୁହଁ ଖୋଲିନାହାନ୍ତି ଥାନା ଅଧିକାରୀ।

ଏସିଏଫ୍ ମୃତ୍ୟୁ ଘଟଣାରେ ମମତାଙ୍କ ଭୂମିକାକୁ ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସେ ହସ୍ପିଟାଲରେ ଭର୍ତ୍ତି ହେବାଠାରୁ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଛାଡ଼ିବା ପର୍ଯ୍ୟନ୍ତ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭରତୀଙ୍କ ପାଖେପାଖେ ରହିଥିଲେ। ଏ ନେଇ ସୌମ୍ୟରଞ୍ଜନଙ୍କ ବାପା ଅଭିଯୋଗ କରିବା ସହ ମମତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ। ସୌମ୍ୟରଞ୍ଜନଙ୍କୁ କଟକ ସ୍ଥାନାନ୍ତର ବେଳେ ଫରେଷ୍ଟ୍‌ ଗେଟ୍‌ ସମ୍ମୁଖରେ ଆମ୍ବୁଲାନ୍ସକୁ ୧୫ ମିନଟରୁ ଅଧିକ ସମୟ କାହିଁକି ଅଟକା ଯାଇଥିଲା, ସେ ନେଇ ମମତାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ୍‌। ଆମ୍ବୁଲାନସ୍‌ ଅଟକାଇ ଏସିଏଫ୍‌ଙ୍କ ପତ୍ନୀ ବିଦ୍ୟାଭାରତୀ କ୍ବାର୍ଟର୍ସକୁ ଦୌଡ଼ିଯାଇ ନାଲି କପଡ଼ାରେ ଗୁଡ଼େଇ କ’ଣ ଧରି ପୁଣି ଆମ୍ବୁଲାନ୍ସକୁ ଫେରିଥିଲେ? ଆମ୍ବୁଲାନ୍ସକୁ ଅଟକାଇବା ପଛରେ କିଛି ଷଡ଼୍‌ଯନ୍ତ୍ର ଥିଲା, ନା ବିଦ୍ୟାଭାରତୀଙ୍କୁ ମମତା ସହଯୋଗ କରିଥିଲେ। ସୌମ୍ୟରଞ୍ଜନ ଜଳିଯିବା ପରେ ମମତାଙ୍କୁ କିଏ ଫୋନ୍‌ କରି ଡାକିଥିଲା? କେତେବେଳେ ମମତା ପାରଳାଖେମୁଣ୍ଡି ମେଡିକାଲରେ ପହଞ୍ଚିଲେ? ଏମିତି ଅନେକ ପ୍ରଶ୍ନ ପଚାରି କ୍ରାଇମବ୍ରାଞ୍ଚ୍‌ ଘଟଣା ଉପରୁ କିଛି ସତ୍ୟତା ହାସଲ ପାଇଁ ଉଦ୍ୟମ କରିଛି।

କ୍ରାଇମ୍‌ବ୍ରାଞ୍ଚ୍‌ ଜେରା ସମୟରେ ମମତା କହିଥିଲେ, ସେ ରାତି ୯ଟାରେ ପାରଳା ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ପହଞ୍ଚି ଏସିଏଫ୍‌ଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ପାରଳା ଏସ୍‌ଡିପିଓ ରାମକୃ‌ଷ୍ଣ ପତିଙ୍କ ପରାମର୍ଶ କ୍ରମେ ସେ ସୌମ୍ୟଙ୍କ ଚିକିତ୍ସା ସମୟରୁ ଆମ୍ବୁଲାନସ୍‌ରେ ବ୍ରହ୍ମପୁର ପଠାଯିବା ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କୁ ସହାୟତା କରି ନିଜ ଦାୟିତ୍ବ ତୁଲାଇଥିଲେ। କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରୀଙ୍କ ଆଗରେ ସେ ଏହିଭଳି ଉତ୍ତର ରଖିଥିବା ଏକ ବିଶେଷସୂତ୍ରରୁ ହସ୍ତଗତ ଖବରରୁ ଜଣାପଡ଼ିଛି।

ଅନ୍ୟପଟେ ଆଜି ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ଓ ଗତ ମାସକ ଭିତରେ ପୁଲିସ ତଦନ୍ତର ନିର୍ଯ୍ୟାସ ସମ୍ପର୍କରେ ପଚରାଉଚରା କରିଛି। କେଉଁ କେଉଁ ଦିଗକୁ ନେଇ ପୁଲିସ ତଦନ୍ତ କରିଛି, ସେ ନେଇ ଆମୂଳଚୂଳ ପଚରାଉଚରା କରିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଏବେ ବି ସନ୍ଦେହରେ ଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ୍‌ ଏ ପର୍ଯ୍ୟନ୍ତ ଜେରା କରିନାହିଁ। ଏହା ଭିତରେ କ୍ରାଇମବ୍ରାଞ୍ଚ ୧୫ ଜଣଙ୍କୁ ଜେରା କରିସାରିଥିବାବେଳେ ଡିଏଫ୍ଓ ଓ ବିଦ୍ୟାଭାରତୀଙ୍କୁ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ଜେରା କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର