ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଖିଅ ଖୋଜି ପାଇଲାନି କ୍ରାଇମବ୍ରାଞ୍ଚ

୬ ଜଣଙ୍କୁ ପଚରାଉଚରା, ବିଦ୍ୟାଭାରତୀ ବାକି

ପାରଳାଖେମୁଣ୍ତି : ଯୁବ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚ୍‌ ସମୁଦାୟ ୧୬ ଜଣଙ୍କୁ ଜେରା କରିଛି। କ୍ରାଇମବ୍ରାଞ୍ଚ ଅଧିକାରୀ ଜଣ ଜଣକୁ ଡାକି ଘଟଣା ସମ୍ପର୍କରେ ଟିକିନିଖି ତଥ୍ୟ ବି ସଂଗ୍ରହ କରିଛନ୍ତି। ହେଲେ, ଏପର୍ଯନ୍ତ ଘଟଣାର ସତ୍ୟତା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇପାରିନାହାନ୍ତି। ଫଳରେ ଆଗକୁ ତଦନ୍ତକାରୀ ଟିମ୍‌ ଆଉ କେଉଁ କୌଶଳ ଆପଣଇେବେ ନା ଏହି ଘଟଣା ଅଡ଼ୁଆ ସୂତା ଭିତରେ ଛନ୍ଦି ହୋଇ ରହିଯିବ, ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ମାମଲାର ଅନ୍ୟତମ ଅଭିଯୁକ୍ତ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିବା ସହ କିଛି ସତ ଉଗାଳିବାକୁ ଚେଷ୍ଟା କରିଥିଲେ। ମାତ୍ର, କିଛି ସଫଳତା ମିଳିନଥିଲା। ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ବି ଖଣ୍ଡନ କରିଥିଲେ ଡିଏଫ୍‌ଓ ଶ୍ରୀବେହେରା। ମିଳିଥିବା ସୂଚନା ଅନୁସାରେ ପୁଲିସ୍‌ ତଦନ୍ତ ସମୟରେ ଡିଏଫ୍‌ଓ ‌ ବୟାନରେ ଯାହା କହିଥିଲେ, କ୍ରାଇମବ୍ରାଞ୍ଚ ଟିମ୍‌ ନିକଟରେ ତାହାକୁ ଦୋହରାଇଥିଲେ। ଫଳତଃ, କ୍ରାଇମବ୍ରାଞ୍ଚ ଡିଏଫ୍‌ଓଙ୍କ ସମେତ ଅନ୍ୟ ସମସ୍ତଙ୍କଠାରୁ ଜେରା ସମୟରେ ଅଧିକ ତଥ୍ୟ ହସ୍ତଗତ କରିନାହିଁ। ୮ ଦିନ ହେଲା ବାଡ଼ି ବୁଲାଉଥିଲେ ବି କୌଣସି ସିଦ୍ଧାନ୍ତ‌ରେ ପହଞ୍ଚିପାରିନାହିଁ। ତେବେ, କ୍ରାଇମବ୍ରାଞ୍ଚ୍‌ ଏପର୍ଯ୍ୟନ୍ତ ସୁଦ୍ଧା ମୃତ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିନାହିଁ। କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଜେରା କରିବେ କି ନାହିଁ, ତାଙ୍କ ପୈତୃକ ଘର ମୟୂରଭଞ୍ଜକୁ ଯାଇ ଜେରା କରିବେ ନା ମୁଖ୍ୟ କାର୍ଯ୍ୟାଳୟକୁ ଡକାଇବେ; ତାହାକୁ ନେଇ ଏବେ ବି କଳ୍ପନାଜଳ୍ପନା ଲାଗିରହିଛି। ବିଦ୍ୟାଭାରତୀଙ୍କୁ ଜେରା କରିବାପରେ ଯାଇ କ୍ରାଇମବ୍ରାଞ୍ଚ ମୃତ୍ୟୁ ସମ୍ପର୍କରେ ନିର୍ଦ୍ଦିଷ୍ଟ ମତ ରଖିବା ସହିତ ହତ୍ୟା … ଆତ୍ମହତ୍ୟା ନା ଦୁର୍ଘଟଣା, ତାହା ଉପରୁ ପରଦା ହଟାଇବେ ବୋଲି ଅନୁମାନ କରାଯାଉଛି। ଅନ୍ୟ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କ୍ରାଇମବ୍ରାଞ୍ଚ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଜେରା କରିପାରେ ବୋଲି କୁହାଯାଇଛି। ଏଥିସହିତ ଆବଶ୍ୟକ ସ୍ଥଳେ ଡିଏଫ୍‌ଓ ଓ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ୍‌ କରିପାରେ, ଯାହା ସମସ୍ତଙ୍କ ନଜର ରହିଛି। ଉଭୟଙ୍କ ଲାଏ ଡ‌ିଟେକ୍ସନ୍ ଟେଷ୍ଟ୍ ହେବ ବୋଲି କ୍ରାଇମବ୍ରାଞ୍ଚ ଗତକାଲି ସ୍ପଷ୍ଟ କରିସାରିଛି।

ଉଲ୍ଲେଖଯୋଗ୍ୟ ଯେ , ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଥାନାରେ ଦେଇଥିବା ଏତଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁ ରହିଛି। ସୌମ୍ୟରଞ୍ଜନଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର