୩ ଜଣିଆ ଏସ୍ଆଇଟି ଗଠିତ, ସହଯୋଗ କରିବେ ୬ ବିଶେଷଜ୍ଞ
ପୁଣି ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କୁ ହୋଇପାରେ ଜେରା
ଏସିଏଫ୍ଙ୍କ କ୍ବାର୍ଟର୍ସରେ ପହଞ୍ଚି ତଦନ୍ତ ଆରମ୍ଭକଲା କ୍ରାଇମ୍ବ୍ରାଞ୍ଚ
କଟକ/ପାରଳାଖେମୁଣ୍ଡି : ମାସାଧିକ କାଳ ତଦନ୍ତ ପରେ ମଧ୍ୟ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର କୌଣସି ନିର୍ଯାସ ପାରଳାଖେମୁଣ୍ଡି ପୁଲିସକୁ ମିଳିପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ଡିଜିପି ଶ୍ରୀ ଅଭୟ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଏଥି ପାଇଁ କ୍ରାଇମବ୍ରାଞ୍ଚ ୩ ଜଣିଆ ଏସ୍ଆଇଟି ଗଠନ କରିଛି। ଆଜି ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ କ୍ରାଇମ୍ବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡି ଡିଏଫ୍ଓଙ୍କ ବଙ୍ଗଳା ନିକଟରେ ଥିବା ଏସିଏଫ୍ଙ୍କ କ୍ବାର୍ଟର୍ସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଫରେନସିକ୍ ଟିମ୍ର ବିଶେଷଜ୍ଞ ତନ୍ନ ତନ୍ନ କରି ମୂଳରୁ ଯାଞ୍ଚ୍ ଆରମ୍ଭ କରିବା ସହ ଘଟଣାସ୍ଥଳରୁ ଟିକିନିଖି ନମୁନା ସଂଗ୍ରହ କରିଛନ୍ତି। ଫରେନସିକ୍ ଟିମ୍ରେ ଫାୟାର୍ ଏକ୍ସପର୍ଟ, ପିଙ୍ଗର୍ପ୍ରିଣ୍ଟ୍ ବିଶେଷଜ୍ଞ ଓ ଫଟୋଗ୍ରାଫର ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରିଛନ୍ତି। ସୌମ୍ୟରଞ୍ଜନଙ୍କ ଦେହରେ କେଉଁଠି ଓ କିଭଳି ନିଆଁ ଲାଗିଲା, ନିଆଁ ଲାଗିବା ବେଳେ ପାଖରେ କିଏ ଥିଲେ କି ନାହିଁ, ୯୫ ପ୍ରତିଶତ ପୋଡ଼ିବା ପର୍ଯ୍ୟନ୍ତ କେହି କିଭଳି ତାଙ୍କୁ ରକ୍ଷା କରିପାରିଲେ ନାହିଁ, ପତ୍ନୀ ବିଦ୍ୟାଭାରତୀ ଦେଇଥିବା ବୟାନ ପ୍ରକାରେ କ୍ବାର୍ଟର୍ସ ପରିସରରେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଥିବା ବେଳେ କୌଣସି ଚିହ୍ନ ବା ଦାଗ ନରହିବା, କେବଳ ଭେଣ୍ଟିଲେଟର୍ରେ ଲାଗିଥିବା ମଶାରୀ ଜାଲି ଜଳିଯିବା ଚିହ୍ନକୁ ଛାଡ଼ିଦେଲେ ଅନ୍ୟ ସବୁ ସାମଗ୍ରୀ ସୁରକ୍ଷିତ ଥିବା ଭଳି ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ କ୍ରାଇମବ୍ରାଞ୍ଚ ଟିମ୍ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ତେବେ ଦରକାର ପଡ଼ିଲେ ଅଭିଯୋଗ ଆସିଥିବା ଡିଏଫ୍ଓ ଓ ଏସିଏଫ୍ଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଣି ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ୍ ଅଧିକାରୀ କହିଛନ୍ତି।
ତଦନ୍ତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ବୈଜ୍ଞାନିକ ଜ୍ଞାନକୌଶଳରେ ଆଗେଇ ନେବା ପାଇଁ ୩ ଜଣିଆ ଏସ୍ଆଇଟିକୁ ସହଯୋଗ କରିବାକୁ ୬ ଜଣ ବିଶେଷଜ୍ଞଙ୍କୁ ଏଥିରେ ସାମିଲ କରାଯାଇଛି। ସୌମ୍ୟରଞ୍ଜନଙ୍କ ଶବ ବ୍ୟବଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଗଜପତି ପୁଲିସ ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇପାରି ନାହିଁ। ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପରେ ନିଜେ ବିଭାଗୀୟ ଏଡିଜି ସଞ୍ଜୀବ ପଣ୍ଡା ଏହାର ଅନୁଧ୍ୟାନ କରୁଛନ୍ତି। କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ ଏକ ମାମଲା ଆଜି ରୁଜୁ କରିଥିବା ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଡିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କୁ ୩ ଜଣିଆ ଏସଆଇଟିର ମୁଖ୍ୟ ଭାବେ ନିୟୋଜିତ କରାଯାଇଛି।
ଶ୍ରୀ ମିଶ୍ରଙ୍କ ସହିତ ଇନସ୍ପେକ୍ଟର ଓ ଜଣେ ଏସଆଇ (ସାଇବର ଏକ୍ସପର୍ଟ) ଗଜପତି ଗସ୍ତରେ ଯାଇଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ୬ ଜଣ ବିଶେଷଜ୍ଞ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଫିଜିକ୍ସ, କେମେଷ୍ଟ୍ରି, ଫିଙ୍ଗରପ୍ରିଣ୍ଟ, ଫାୟାର, ଫଟୋଗ୍ରାଫି, ଭିଡ଼ିଓଗ୍ରାଫିର ଏକ୍ସପର୍ଟ ଅଛନ୍ତି। ଏମାନେ ମୃତକଙ୍କ ହସ୍ତାକ୍ଷର, ଅଗ୍ନିକାଣ୍ଡର କାରଣ, ଆଙ୍ଗୁଳି ଛାପ ଇତ୍ୟାଦିକୁ ପୁନଃ ଅନୁଧ୍ୟାନ କରିବେ। ଗଜପତି ପୁଲିସ ନିକଟରୁ ମାମଲା ସଂକ୍ରାନ୍ତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ଆଣିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ କ୍ରାଇମବ୍ରାଞ୍ଚ ପୁନଃ ଅନୁଧ୍ୟାନ କରୁଛି। ଡିଏଫଓ ଓ ବିଦ୍ୟାଭାରତୀଙ୍କ ସମେତ ଏତଲାରେ ଉଲ୍ଲେଖ ଥିବା ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପୁଣି ଥରେ ଜେରା କରିବାକୁ ନିଷ୍ପତ୍ତି ନେଇଛି। ଜୁଲାଇ ୧୯ ତାରିଖରେ ମୃତ ସୌମ୍ୟଙ୍କ ବାପା ଅଭିରାମ କଟକରେ ପୁଲିସ ଡିଜି ଅଭୟଙ୍କୁ ଭେଟି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ। ଜୁଲାଇ ୨୦ ତାରିଖରେ ଗଜପତି ପୁଲିସକୁ କ୍ରାଇମବ୍ରାଞ୍ଚର ଜଣେ ଡିଏସପିଙ୍କ ସମେତ ୪ ଜଣ ଅଧିକାରୀ ତଦନ୍ତରେ ସହଯୋଗ କରି ଆସୁଥିଲେ। କିନ୍ତୁ ଆଜିଠାରୁ କ୍ରାଇମବ୍ରାଞ୍ଚ ବିଧିବଦ୍ଧ ଭାବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରଳାଖେମୁଣ୍ଡି ପୁଲିସ ଏହି ମାମଲାରେ ୫୦ ଜଣଙ୍କ ବୟାନ ରେକର୍ଡ଼ ସହ ଡିଏଫଓ ଓ ବିଦ୍ୟାଭାରତୀଙ୍କ ସମେତ ୧୬ ଜଣଙ୍କୁ ପର୍ଯ୍ୟାୟ କ୍ରମେ ମାରାଥନ୍ ଜେରା କରିସାରିଛି।