ଭୁବନେଶ୍ବର: ଏଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ୩୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।
ସେ କହିଛନ୍ତି ଯେ, ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ ଜଳିଯାଉଥିବା ସମୟରେ ବିଦ୍ୟାଭାରତୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ଉଦ୍ଧାର କରିବାକୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ଧାରା ୨୮୫ (ନିଆଁ ଲାଗିଲା ବେଳେ ଅବହେଳାପୂର୍ଣ୍ଣ ଆଚରଣ) ଏବଂ ୩୦୪(ଏ)(ଅବହେଳା କାରଣରୁ ମୃତ୍ୟୁ) ଅନୁଯାୟୀ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଦାଖଲ କରାଯାଇଛି। ଏହି ଦଫାରେ ସଜା ୭ ବର୍ଷରୁ କମ୍ ଅର୍ଥାତ୍ ମାତ୍ର ୨ ବର୍ଷ ହୋଇ ଥିବାରୁ ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଭାରତୀଙ୍କୁ ସିଆରପିସିର ଧାରା ୪୧ ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। ତଦନ୍ତରେ ଯାହା କିଛି ପ୍ରମାଣ ମିଳିଥିଲା, ସେହି ଅନୁସାରେ ଚାର୍ଜସିଟ କରାଯାଇଥିବା ସହ ୮୧ଜଣ ସାକ୍ଷୀ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା`
ଏଡିଜି ସ୍ପଷ୍ଟ କରିଛନ୍ତି ଯେ ସାକ୍ଷୀମାନଙ୍କ ବୟାନ, ଟେଲିଫୋନର ସିଡିଆର୍ ଆନାଲିସିସ୍, ସୌମ୍ୟରଞ୍ଜନଙ୍କ ଡାଏରୀ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କର କୌଣସି ପ୍ରମାଣ ମିଳିନାହିଁ। ସୌମ୍ୟରଞ୍ଜନଙ୍କ ପୋଡ଼ି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ। ସେହିଭଳି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ କ୍ଷେତ୍ରରେ ସାକ୍ଷୀଙ୍କ ବୟାନ, ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରୁ ତାଙ୍କର ବି ହତ୍ୟାକାଣ୍ଡ ସହିତ କୌଣସି ସମ୍ପର୍କ ଥିବା ପ୍ରମାଣ ମିଳିନାହିଁ।