ଏସିଏଫ୍‌ ମୃତ୍ୟୁ ରହସ୍ୟ ଜଟିଳ ହେଉଛି, ପୁଲିସକୁ ମିଳୁନି ସୁରାକ

ସୌମ୍ୟଙ୍କ ପରିବାର ସଦସ୍ୟ ଆସିଲେନି ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହାୟତା ନେବ ପୁଲିସ

ପାରଳାଖେମୁଣ୍ତି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ିହୋଇ ରହସ୍ୟଜନକ ମୃତ୍ୟୁ ଘଟଣା ଅଧିକ ଜଟିଳ ହେବାରେ ଲାଗିଛି। ସୌମ୍ୟଙ୍କ ପରିବାର ସଦସ୍ୟ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରା ଯାଇଥିବ‌ା ଅନ୍‌ଲାଇନ୍‌ରେ ଏତଲା ଦାୟର କରିଥିବା ବେଳେ ଏହି ଷଡ଼୍‌ଯନ୍ତ୍ରରେ ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ତା, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ତାଙ୍କ ରୋ‌ଷେୟା ମନ୍ମଥ କୁମ୍ଭଙ୍କ ସଂପୃକ୍ତି ଥିବା ଅଭି‌ଯୋଗ କରିଛନ୍ତି। ଏତଲା ଆଧାରରେ ପାରଳାଖେମୁଣ୍ଡି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦୁଇ ଦିନ ହେଲା ସବୁ ଦିଗରୁ ଟିକିନିଖି ତଦନ୍ତ ଚଳାଇଥିବା ଏବଂ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ରହିଛି ସେମାନଙ୍କ ମୋବାଇଲ୍ କଲ୍‌ ଡିଟେଲ୍‌ ତର୍ଜମା ସହ ଜେରା କରିଛି ପୁଲିସ। ହେଲେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପୁଲିସ ହାତରେ ସେଭଳି କୌଣସି ସୁରାକ୍‌ ଲାଗିନାହିଁ ବୋଲି। ଅନ୍ୟପଟେ ହେଲେ ପରିବାର ସଦସ୍ୟଙ୍କ ଏଭଳି ଅଭିଯୋଗକୁ ଏତଲାରେ ଦର୍ଶାଯାଇଥିବା ତିନିଜଣ ଦୃଢଭାବେ ଖଣ୍ତନ କରିଛନ୍ତି ।

 

ଗୁରୁବାର ମୃତକଙ୍କ ପରିବାର ସଦସ୍ୟ ଏବଂ ପତ୍ନୀ ନିଜର ବୟାନ ଦେବାପାଇଁ ପାରଳାଖେମୁଣ୍ତି ଆସିବାର ଥିଲା। ତେବେ ଓଡ଼ିଶା ବନ୍ଦ କାରଣରୁ ସେମାନେ ପହଞ୍ଚିପାରି ନଥିବା ଏବଂ ଶୁକ୍ରବାର ସେମାନେ ପାରଳାଖେମୁଣ୍ତି ଆସିବେ ବୋଲି ପୁଲିସ ସୂଚନା ଦେଇଛି। ପରିବାର ସଦସ୍ୟଙ୍କୁ ପଚରାଉଚରା ପରେ କିଛି ତଥ୍ୟ ସଂଗ୍ରହ କରିବାକୁ ପୁଲିସ ଅପେକ୍ଷା କରିଛି। ପରିବାର ସଦସ୍ୟଙ୍କ ତଥ୍ୟକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ାଇବ ବୋଲି ଜଣାପଡ଼ିଛି।

 

ମୃତ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର ଅନ୍‌ଲାଇନରେ ଦାଖଲ କରିଥିବା ଏତଲା ଅନୁସାରେ, ତାଙ୍କ ବୋହୂ(ସୌମ୍ୟଙ୍କ ପତ୍ନୀ) ଏବଂ ବନଖଣ୍ତ ଅଧିକାରୀ ଶ୍ରୀ ବେହେରାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା। ସେମାନଙ୍କ ଷଡ଼୍‌ଯନ୍ତ୍ରରେ ସୌମ୍ୟଙ୍କୁ ହତ୍ୟା କରାଯାଇଛି ଓ ଏଥିରେ ରୋଷେୟା କୁମ୍ଭ ମଧ୍ୟ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗରେ ଦର୍ଶା ଯାଇଥିଲା। ଅଭିଯୋଗ ଆଧାରରେ ପୁଲିସ ବୁଧବାର ଠାରୁ ତଦନ୍ତ ଆରମ୍ଭ କରିବା ସହ ଆଜି ଡିଏଫ୍‌ଓ କଲୋନିରେ ପହଞ୍ଚି ଆଖ ପଡ଼ିଶା ଲୋକଙ୍କ ବୟାନ ସଂଗ୍ରହ କରିଥିଲା। ହେଲେ ତଦନ୍ତ ଓ ଜେରାରୁ ପୁଲିସକୁ କୌଣସି ସୁରାକ୍‌ ମିଳି ନଥିଲା। ସେହିଭଳି ଅଭିଯୋଗ ଆସିଥିବା ରୋଷେୟା ବନ ବିଭାଗରେ ଜଣେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ବେଳେ ଘଟଣା ଦିନ ସେ ଅନ୍ୟ ଏକ ଘରେ ଥିଲେ ବୋଲି ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ରହସ୍ୟ ଓ ମାମଲାର ଜଟିଳତା ଯେତେ ବଢ଼ି ଚାଲିଛି, ପୁଲିସ ଘଟଣାକୁ ସେତିକି ଗୁରତ୍ବର ସହ ନେଇଥିବା ଏବଂ ସୌମ୍ୟଙ୍କ ପରିବାର ସଦସ୍ୟ ପାରଳାରେ ପହଞ୍ଚିବା ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ କରିବ ବୋଲି କୁହାଯାଇଛି।

             

ସମ୍ବନ୍ଧିତ ଖବର