ରାୟଗଡ଼ା: ରାୟଗଡ଼ା ବିଧାନସଭା ଆସନରେ ବିଜେଡି ଅନୁସୂୟା ମାଝୀଙ୍କୁ ପ୍ରାର୍ଥୀ କରିବାପରେ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ ଅସନ୍ତୁଷ୍ଟ ମେଳିକରି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି। ନଚେତ୍ ଅନୁସୂୟାଙ୍କ ପ୍ରାର୍ଥିତ୍ୱକୁ କଦାପି ଗ୍ରହଣ କରାଯିବ ନାହିଁ ରୋକଠୋକ୍ ଶୁଣାଇ ଦେଇଛନ୍ତି। ଏ ସମ୍ପର୍କରେ ରାୟଗଡ଼ା ବ୍ଲକ୍ ଅଧ୍ୟକ୍ଷା ଟୁନି ହୁଇକା କଡ଼ା ଟିପ୍ପଣୀ ରଖିଛନ୍ତି। ସେ ଅଭିଯୋଗ କରିଛନ୍ତି, ଅନୁସୂ୍ୟାଙ୍କୁ ପ୍ରାର୍ଥୀ କରିବାନେଇ ଆମର ମତ ନିଆଯାଇନି। ଅନୁସୂୟା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିବାସମୟରେ କୌଣସି ଦଳୀୟ ନେତା, କର୍ମୀଙ୍କୁ ବିଶ୍ବାସକୁ ନେଇନାହାନ୍ତି। ସେହିପରି ବିଧାନସଭା ନିର୍ବାଚନମଣ୍ଡଳୀର ଅଧିକାଂଶ ଲୋକ ତାଙ୍କୁ ଜାଣିନାହାନ୍ତି। ଜନସାଧାରଣ ଓ ଦଳୀୟ ନେତାଙ୍କ ସହଯୋଗ ନଥିଲେ ନେତା କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷା। କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝୀ କହିଛନ୍ତି, କାଶୀପୁରବାସୀ ନିଜ ଅଞ୍ଚଳର ଜଣଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ଦଳ ଅଣଦେଖା କରିଛି। ଅନୁସୂୟାଙ୍କୁ ପ୍ରାର୍ଥିତ୍ବକୁ କାଶୀପୁରବାସୀ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ମାଝି କହିଛନ୍ତି। ସେହିପରି, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଅନୁସୂୟାଙ୍କୁ ପ୍ରାର୍ଥିତ୍ବକୁ ଖୋଲାଖୋଲି ଭାବେ ତୀବ୍ର ବିରୋଧ କରିଛନ୍ତି।
ଅନ୍ୟପକ୍ଷରେ, ଅଚଳାବସ୍ଥା ସମ୍ପର୍କରେ ମତ ରଖି ପୂର୍ବତନ ସାଂସଦ ଶ୍ରୀ ରାଓ କହିଛନ୍ତି, ଏହା ଆମ ପରିବାରର କଳି। ରାଜ୍ୟ ନେତୃବୃନ୍ଦଙ୍କ ପାଖରେ ନେତା, କର୍ମୀଙ୍କ ମତକୁ ଉପସ୍ଥାପନ କରିଛି। ରାଜ୍ୟ ନେତୃବୃନ୍ଦ ନିଷ୍ପତ୍ତି ନେବାପର୍ଯ୍ୟନ୍ତ ବ୍ୟସ୍ତ ବିବ୍ରତ ନ ହେବାକୁ ସମସ୍ତଙ୍କୁ ନିବେଦନ କରିଛି ବୋଲି ଶ୍ରୀ ରାଓ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନୁସୂୟାଙ୍କୁ ପ୍ରାର୍ଥୀ କରିବା ପରେ ଗତ ଦୁଇ ଦିନ ମଧ୍ୟରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା, ରାୟଗଡ଼ା ଓ କାଶୀପୁର ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ ଏବଂ ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୯ କାଉନ୍ସିଲର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/dgjdgjjjjgj.jpg)