କଟକ : ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଗଲା ୬ ବର୍ଷରେ ଚିକିତ୍ସିତ ହୋଇଥିବା ରୋଗୀ ସଂଖ୍ୟା ୪ ଲକ୍ଷ ଟପିଛି। ଏବଂ ସେହି ସମୟ ମଧ୍ୟରେ ହସ୍ପିଟାଲରେ ୩୨୮୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଶେଷ ସମୟ ଦର୍ଶାଇ ଘରକୁ ଫେରାଇ ଦିଆଯାଇଥିବା ରୋଗୀଙ୍କ ମୃତ୍ୟୁ ସଂଖ୍ୟ ଏହାଠୁ ବହୁ ଗୁଣ ଅଧିକ ବୋଲି କୁହାଯାଉଛି। ରାଜ୍ୟର ସର୍ବ ପ୍ରଥମ ତଥା ପୂର୍ବାଞ୍ଚଳର ସବୁଠୁ ଭରସାଯୋଗ୍ୟ ସରକାରୀ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଦୁର୍ବଳ ଭିତ୍ତିଭୂମି କିନ୍ତୁ ଏବେ ରୋଗୀଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିଛି। ୪୨ ବର୍ଷର ପୁରୁଣା ଏହି ଅନୁଷ୍ଠାନରେ ଗବେଷଣାମୂଳକ କାର୍ଯ୍ୟ ଏକପ୍ରକାର ବିଫଳ ହୋଇଥିବା କୁହାଯାଉଛି।

Advertisment

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ ୧୯୮୧ରୁ ଏସ୍‌ସିବିରୁ ଆରମ୍ଭ ହୋଇଥିଲା। ପରେ ଏପ୍ରିଲ ୨୪, ୧୯୮୪ରୁ ଏହି କେନ୍ଦ୍ର ସ୍ବୟଂଚାଳିତ ଅନୁଷ୍ଠାନର ମାନ୍ୟତା ପାଇଛି। କେନ୍ଦ୍ରରେ ୧୪ରୁ ଅଧିକ ବିଭାଗ ରହିଥିବାବେଳେ ଅନେକ ବିଭାଗରେ ଡିଏମ୍‌ ପାଠ୍ୟକ୍ରମ ରହିଛି। ସରକାରୀ ବ୍ୟବସ୍ଥାରେ ରାଜ୍ୟର ସର୍ବବୃହତ୍ତ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ସବୁବେଳେ ରୋଗୀଙ୍କ ଭିଡ, ମାଗଣା ବ୍ୟବସ୍ଥା ପରଠାରୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ତଥା ବିଭିନ୍ନ ରାଜ୍ୟର ରୋଗୀଙ୍କ ଭିଡ ଜମୁଛି। ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ ଯଦିଓ କେମୋ ଓ ଚିକିତ୍ସା ପାଇଁ କେନ୍ଦ୍ର ରହିଛି ‌ତଥାପି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଉପରେ ଚାପ କମୁନି। ପ୍ରତିଦିନ ୬ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ପାଖାପାଖି ୨ଶହରୁ ଅଧିକ ରୋଗୀଙ୍କୁ ରେଡିଏସନ୍‌ ଚିକିତ୍ସା ଦିଆଯାଉଛି।

publive-image google.com

ତେବେ ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ଦିନ ଦିନ ଧରି ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ପଡୁଥିବାବେଳେ ରିପୋର୍ଟ ପାଇଁ ଚିକିତ୍ସା ବି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। କେମା, ହେଉ ବା ରେଡ଼ିଏସନ୍‌ ଚିକିତ୍ସା ପାଇଁ ରୋଗୀ ଓ ସଂପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଅପେକ୍ଷା କରିବାକୁ ପଡୁଥିବାବେଳେ ହେଡ୍‌ ଏଣ୍ଡ ନେକ୍‌ ସର୍ଜରି ବିଭାଗରେ ବିଶେଷଜ୍ଞ ଡାକ୍ତର ଅଭାବରୁ‌ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ୨୦୧୫-୧୬ରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ୩୬ ହଜାର ୪୬୧ ଜଣ ରୋଗୀ ଚିକିତ୍ସା ପାଇଁ ଓପିଡିକୁ ଆସିଥିବାବେଳେ ୨୦୧୬-୧୭ରେ ୫୬ ହଜାର ୧୨୮, ୨୦୧୭-୧୮ରେ ୭୧ ହଜାର ୯୨୫, ୨୦୧୯-୨୦ରେ ୯୦ ହଜାର ୧୩୪ ରୋଗୀ ଚିକିତ୍ସା ପାଇଁ ଓପିଡିକୁ ଆସିଥିଲେ। ପ୍ରତିବର୍ଷ ଓପିଡିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ୨୦୨୦-୨୧ରେ କୋଭିଡ୍‌ ପାଇଁ ଏହି ଓପିଡି ରୋଗୀ ସଂଖ୍ୟା ହ୍ରାସ ପାଇଥିଲା। ସେହିଭଳି ୨୦୧୫-୧୬ରେ କର୍କଟ କେନ୍ଦ୍ରରେ ୫୦୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୬-୧୭ରେ ୫୧୨, ୨୦୧୭-୧୮ରେ ୫୩୬, ୨୦୧୮-୧୯ରେ ୬୩୯, ୨୦୧୯-୨୦ରେ ୬୦୭ ଓ ୨୦୨୦-୨୧ରେ ୪୮୯ଜଣଙ୍କର ମୃତ୍ୟୁ ଘଟିଛି।

ଗୋଟିଏ ପଟେ କେନ୍ଦ୍ରରେ ଶଯ୍ୟା ଅଭାବ, ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ ଅଭାବ ସାଙ୍ଗକୁ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସେହିଭଳି କର୍କଟ କେନ୍ଦ୍ରରେ ଯେଉଁଭଳି ଗବେଷଣାମୂଳକ କାର୍ଯ୍ୟ ହେବା କଥା ତାହା ବି ​ସମ୍ଭବ ହେଉ ନାହିଁ। ଏଭଳି ସ୍ଥିତିରେ ଭିତ୍ତିଭୂମିର ବିକାଶ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ମତ ପ୍ରକାଶ ପାଇଛି।