କଟକ : କର୍କଟ ରୋଗ ଯନ୍ତ୍ରଣାଠୁ ବଳିଗଲାଣି କରୋନାର ଦାଉ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏବେ ସାଂଘାତିକ ସ୍ଥିତି। ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ। ୫ଦିନ ହେଲା ଆଡମିସନ୍‌ ବନ୍ଦ। କିନ୍ତୁ ଓପିଡିରେ ରୋଗୀ ହାଉଯାଉ। ସେଠାରେ ରହୁନି ସାମାଜିକ ଦୂରତା। ରୋଗୀ ଆସୁଛନ୍ତି ଓପିଡିକୁ ହେଲେ ଆଡମିସନ୍‌ ବନ୍ଦ ଥିବାରୁ ଫେରିଯାଉଛନ୍ତି। ଅନ୍ୟପଟେ ରେଡିଏସନ୍‌ ଚିକିତ୍ସାରୁ ବଂଚିତ ୩ଶହରୁ ଅଧିକ ରୋଗୀଙ୍କ ଅବସ୍ଥା ସାଂଘାତିକ ହେବାକୁ ଯାଉଛି। ‌କୋମୋଥେରାପି ନେଉଥିବା ରୋଗୀଙ୍କ ଅବସ୍ଥା ମଧ୍ୟ ସମାନ। ରୋଗ ଯନ୍ତ୍ରଣା ପଛେ ହେଉ, କରୋନା କବଳରୁ ମୁକ୍ତି ପାଇଁ ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ରୋଗୀ ଏବେ ଘରକୁ ପଳାଉଛନ୍ତି। ଏପରିକି ପରୋକ୍ଷରେ ସେମାନଙ୍କୁ ଘରକୁ ଯିବାକୁ ବାଧ୍ୟ କରାଯାଉଛି। ଅନେକ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। ଗଲା ୧୪ଘଣ୍ଟା ଭିତରେ ୨ଜଣ କର୍କଟ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୫/୬ଦିନ ଭିତରେ ୫ଜଣଙ୍କ ମୃତ୍ୟୁ ହେଲାଣି।

Advertisment

publive-image New Indian Express

ସୂଚନା ଅନୁସାରେ, ରାଜ୍ୟର ଏକମାତ୍ର ସରକାରୀ କର୍କଟ ଚିକିତ୍ସା କେନ୍ଦ୍ର କଟକ ଆଚାର୍ଯ୍ୟ ହରିହରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସନ୍ତି ଶତାଧିକ ରୋଗୀ। ଅନେକ ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବା, ଗଛମୂଳରେ ଚିକିତ୍ସା ପାଇଁ ରୋଗୀ ପଡ଼ିରହିବା ଭଳି ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ଆସେ। ହେଲେ, ଚିକିତ୍ସା ପାଇଁ ଲୋକଙ୍କ ପାଖରେ ଅନ୍ୟ ବିକଳ୍ପ ନଥାଏ। ବ୍ୟୟବହୁଳ ଚିକିତ୍ସା ହୋଇଥିବାରୁ ଟଙ୍କା ନଥିଲେ ରୋଗୀଟିଏ ଘରୋଇ ହସ୍ପିଟାଲକୁ ଯିବାକୁ ସାହସ କରିପାରେନି। ୨୫ରେ କେନ୍ଦ୍ରରୁ ପ୍ରଥମ ରୋଗୀଭାବେ ଗଞ୍ଜାମର ଜଣେ ରୋଗୀ ସଂକ୍ରମିତ ହେବାପରେ ସଂସ୍ପର୍ଶରେ ଆସି ପାଖାପାଖି ୧୪ଜଣ ସଂକ୍ରମିତ ହୋଇସାରିଲେଣି। ଫଳରେ ଆଚାର୍ଯ୍ୟ ହରିହର ଏବେ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଏପଟେ କରୋନା ସଂକ୍ରମଣ ଯୋଗୁଁ ଆଚାର୍ଯ୍ୟ ହରିହରରେ ସପ୍ତାହେ ହେଲା କେବଳ ନାଁକୁ ଓପିଡି ଖୋଲା ରଖାଯାଇଛି। କାରଣ ସରକାରୀ ବ୍ୟବସ୍ଥାରେ ଓପିଡି ବନ୍ଦ ପାଇଁ ସରକାର ନିର୍ଦ୍ଦେଶନାମା ଦେଇପାରିବେନି। ଫଳରେ ଓପିଡିରେ ରୋଗୀ ହାଉଯାଉ ହେଉଥିଲେ ବି ରୋଗୀଙ୍କୁ ଚିକିତ୍ସା ମିଳିପାରୁନି। ଗତକାଲି ସଂଧ୍ୟାରେ ଜଣେ ଅସହାୟ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସକ‌ାଳେ ମଧ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।