କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ମାଣ ହେବ ଦ୍ବିତୀୟ କ୍ୟାମ୍ପସ। ତା ସହିତ ୪୨୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ। ଆଇସିୟୁ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଖାଲି ପଡି ଥିବା ଡାକ୍ତର ପଦବି ପୂରଣ କରିବା, ୟୁରୋ ଅଙ୍କୋଲୋଜି ବିଭାଗ ଖୋଲିବା, ଏସ୍ସିବି ସହିତ ପ୍ଲାଷ୍ଟିକ୍ ସର୍ଜରି ଓ ପଲ୍ୟୁମନାରି ମେଡିସିନ୍ ବିଭାଗ କାର୍ଯ୍ୟ କରିବା ଭଳି ପ୍ରସ୍ତାବକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟପଟେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ ‘ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ’ ଭାବେ ନାମିତ କରାଯିବା ପାଇଁ ସରକାରଙ୍କୁ ଯାଇଥିବା ପ୍ରସ୍ତାବ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି।
ତୁରନ୍ତ କାର୍ଯ୍ୟକ୍ଷମ ହେବ ୧୦ଟି ଆଇସିୟୁ ବେଡ୍
ସରକାରଙ୍କ ଅନୁମୋଦନ ଅପେକ୍ଷାରେ କେନ୍ଦ୍ରର ନାମ ବଦଳାଯିବା ନିଷ୍ପତ୍ତି
ସୂଚନା ଅନୁଯାୟୀ, ବର୍ତ୍ତମାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୨୮୧ଟି ବେଡ୍ ଥିବା ବେଳେ ତାହା ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ। ରୋଗୀଙ୍କ ଶଯ୍ୟା ଅଭାବ ସମସ୍ୟାକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ଆଉ ୪୨୫ଟି ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ଆଚାର୍ଯ୍ୟ ହରିହରର ଯେଉଁ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି ତାକୁ ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିଭଳି ଏସ୍ସିବିରେ ଯେଉଁ ସବୁ ସୁବିଧା ରୋଗୀଙ୍କୁ ମିଳୁଛି ସେସବୁ ଆଚାର୍ଯ୍ୟ ହରିହରରେ ମଧ୍ୟ ଉପଲବ୍ଧ କରାଇବାକୁ ଯୋଜନା ହେଉଛି। କ୍ୟାନ୍ସର କେୟାର ଯୋଜନାରେ ୩୭୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍ ପ୍ରସ୍ତୁତ କରାଯାଇଥିବାବେଳେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ୪୭ କୋଟି ୯୫ ଲକ୍ଷ ଟଙ୍କାର ବଜେଟ୍ ଦାଖଲ କରାଯାଇଛି। ଏଥିସହ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ ‘ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ’ ଭାବେ ନାମିତ କରିବାକୁ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି। ରେଡିଓଲୋଜିଷ୍ଟ ପଦବି ସହିତ ବିଭିନ୍ନ ବିଭାଗର ଡାକ୍ତର ପଦବି ଖାଲି ପଡିଥିବାରୁ ଏହାକୁ ପୂରଣ ଦିଗରେ ସରକାର ପଦକ୍ଷେପ ନେଉଥିବା ମନ୍ତ୍ରୀ ବୈଠକରେ ସୂଚନା ଦେଇଛନ୍ତି।
ଆଜିର ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଏମ୍ଏସ୍ସିର ନିର୍ଦ୍ଦେଶିକା ଡାକ୍ତର ଯାମିନୀ ଷଡଙ୍ଗୀ, ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପୁନମ ଗୁହା ତାପସ କୁମାର, ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସ୍ସିବି ପ୍ରନ୍ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଗଦାଧର ନନ୍ଦୀ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଡାକ୍ତର ଭୌମିକ୍, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଡ଼ିନ୍ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ୍, ଅଧୀକ୍ଷକ ପ୍ରଫେସର ଡାକ୍ତର ପଦ୍ମାଳୟା ଦେବୀ, କର୍କଟ କେନ୍ଦ୍ର ପ୍ରଶାସନିକ ଅଧିକାରୀ ରୁଦ୍ର ନାରାୟଣ ଦାଶଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।