କଟକ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚକିତ୍ସା କେନ୍ଦ୍ରରେ ବୁଧବାରଠୁ ଡିଏମ୍ଏଲ୍ଟି ପାଠପଢା ଆରମ୍ଭ ହୋଇଛି। ୨୦ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମ ପାଇଁ ନାମ ଲେଖାଇଛନ୍ତି। କେନ୍ଦ୍ରର ପାଥୋଲୋଜି ବିଭାଗ ଡାକ୍ତରମାନେ ଏମାନଙ୍କୁ ପାଠ ପଢାଇବେ। ବିଭାଗୀୟ ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ସାଗରିକା ସାମନ୍ତରାୟଙ୍କ ନେତୃତ୍ୱରେ ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ରେସିଡେଣ୍ଟ ଡାକ୍ତର ଏମାନଙ୍କୁ ତାଲିମ୍ ଦେବେ। ପୂର୍ବରୁ ରେଡିଓଥେରାପି ବିଭାଗ ଅଧିନରେ ଡିଏମ୍ଆର୍ଟି ପାଠ୍ୟକ୍ରମ ଆରମ୍ଭ ହୋଇସାରିଥିଲାବେଳେ ସେଥିରେ ମଧ୍ୟ ୨୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଫଳରେ ଏହି ଚିକିତ୍ସା କେନ୍ଦ୍ର ଏବେ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ଆଡ଼କୁ ଅଗ୍ରସର ହେଉଥିବା ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି।
ବୁଧବାର ପାଠ୍ୟକ୍ରମ ଆରମ୍ଭ ହେବା ଅବସରରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାକୁ ନିର୍ଦ୍ଦେଶକ ଡାକ୍ତର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲାବେଳେ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ନିରଂଜନ ରାଉତ, ଏସ୍ସିବି ମେଡିକାଲ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୂପମା ଚଇନି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଡାକ୍ତର ସାମନ୍ତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୂଚନାରୁ ପ୍ରକାଶ ଯେ, ଏହି କେନ୍ଦ୍ରରେ ଚଳିତ ବର୍ଷରୁ ଗାଇନିକ୍ ଅଙ୍କୋଲୋଜି ଓ ସର୍ଜିକାଲ ଅଙ୍କୋଲୋଜିରେ ୨ଟି ଲେଖାଏଁ ଏମ୍ସିଏଚ୍ ସିଟ୍ ଖୋଲିଥିଲାବେଳେ ପାଠପଢା ମଧ୍ୟ ଚାଲିଛି। ଆଗକୁ ପାଥୋଲୋଜି ଓ ଆନାସ୍ଥେସିଆରେ ପିଜି ସିଟ୍ ପାଇଁ ଆବେଦନ କରିବାକୁ ଯୋଜନା ରହିଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଅଯାଇଛି।