ଅବ୍ୟବସ୍ଥାରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର : ଶୀତକାକରରେ ରାସ୍ତାରେ ରୋଗୀ, ୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି, ଜଣେ ରେଡିଓଲୋଜିଷ୍ଟରେ ଚାଲିଛି କେନ୍ଦ୍ର

କଟକ : ତିନିଦିନ ହେଲା ଥରୁଛି ସାରା ରାଜ୍ୟ। ଏଭଳି ସମୟରେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ ଗୁରୁତର ରୋଗୀମାନେ ରାସ୍ତା କଡ଼ରେ, ବାରଣ୍ଡାରେ ଅଥବା ଆଜବେଷ୍ଟସ୍‌ ଛାମୁଣ୍ଡିଆ ତଳେ ଚିକିତ୍ସା ପାଇଁ ପଡ଼ି ରହିଛନ୍ତି। ସେମାନଙ୍କ ଭିତରୁ କେତେକଙ୍କ ରକ୍ତ ପରୀକ୍ଷଣ ରିପୋର୍ଟ ଆସିନି ଓ ଆଉ କେତେକ କୋମୋ ନେଉଛନ୍ତି। ପରୀକ୍ଷଣ ରିପୋର୍ଟ ନ ଆସିଲେ ରୋଗୀଙ୍କୁ ‌ଆଡମିସନ୍‌ ମିଳୁନି କି ବେଡ୍‌ ମିଳୁନି। ଫଳରେ ଡାକ୍ତର ବି ଚିକିତ୍ସା କରୁ ନାହାନ୍ତି। ଏପଟେ ଅପେକ୍ଷା କରିବା ପାଇଁ ଆଶ୍ରୟସ୍ଥଳୀଟିଏ ନାହିଁ। ଫଳରେ ଅନେକ ରୋଗୀ ବାରଣ୍ଡାରେ ଅଥବା ରାସ୍ତାକଡ଼ ଆଜ୍‌ବେଷ୍ଟସ୍‌ ଛାମୁଣ୍ଡିଆରେ ସଉପ ଉପରେ ୨୦ରୁ ମାସାଧିକ ସମୟ ବିତାଇବାକୁ ବାଧ୍ୟ ହେଉଛନ୍ତି। କେନ୍ଦୁଝରରୁ ମଞ୍ଜୁ ବେହେରା ମାସେ ହେଲୋ, ଆସ୍କାର ମାଲୋଡେରା ୧୫ଦିନ ହେଲା ଓ ‌ପଶ୍ଚିମବଙ୍ଗର ଗାୟତ୍ରୀ ଦାସ ୧୨ ଦିନ ହେଲା ପଡ଼ି ରହିବା ଏହାର ସଦସ୍ୟ ଉଦାହରଣ। ତାଙ୍କ ପରି ୫୦ରୁ ଅଧିକ ରୋଗୀ ଏହି ପରି ଶୀତକାକରରେ ପଡିଛନ୍ତି।

ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରକୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ରୋଗୀ ଆସିଥାଆନ୍ତି। ହେଲେ, ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମିର ଘୋର୍‌ ଅଭାବ ରହିଛି। ଶଯ୍ୟା‌ ମିଳୁ ନ ଥିବାରୁ ଅନେକ ଗୁରୁତର ରୋଗୀ ଚଟାଣରେ ଗଡୁଛନ୍ତି। ବର୍ତ୍ତମାନ ପ‌ାଖାପାଖି ୬୦ ଜଣ ରୋଗୀ ଚିକିତ୍ସା ଆଶାରେ ବାହାରେ ପଡ଼ି ରହିଛନ୍ତି। ଦଶଦିନ ଭିତରେ ବା‌ୟୋପ୍ସି ରିପୋର୍ଟ ଆସିବା କଥା। ହେଲେ, ୧୫ରୁ ୨୦ଦିନରେ ଏହି ରିପୋର୍ଟ‌୍ ମିଳୁଛି। ଅଲଟ୍ରାସାଉଣ୍ଡ ପାଇଁ ପାଖାପାଖି ୧୫ଦିନ ଅପେକ୍ଷା କରୁଛନ୍ତି ରୋଗୀ। କେବଳ ସେତିକି ନୁହେଁ, ଆଇଏଚ୍‌ସି ବାୟୋସ୍ପି (ଇମ୍ୟୁନୋ ହି‌ଷ୍ଟୋ କେମେଷ୍ଟ୍ରି), ଟ୍ୟୁମର ମାର୍କର ଆଦି ପରୀକ୍ଷା ପାଇଁ ରୋଗୀ ଏସ୍‌ସିବି ଉପରେ ନିର୍ଭର କରୁଛନ୍ତି। ବାୟୋପ୍ସି ରିପୋର୍ଟ ବି ହା‌ତରେ ଲେଖାହୋଇ ଆସୁଛି। ଏହାକୁ‌ ନେଇ ଡାକ୍ତର ଅନେକ ସମୟରେ ଦ୍ବନ୍ଦ୍ବରେ ପଡୁଛନ୍ତି। ସେପଟେ, ଜଣେ ରେଡିଓଲୋଜିଷ୍ଟରେ ବିଭାଗ ଚାଲିଥିବା ବେଳେ ବିଭିନ୍ନ ବିଭାଗରେ ପାଖାପାଖି ୮ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି। କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ଖାଲି ପଡ଼ିଛି। ପ୍ରତ୍ୟେହ ୩ଶହ ରୋଗୀ ଆଶୁ ଚିକିତ୍ସା କେନ୍ଦ୍ରକୁ ଆସିଥିବା ବେଳେ ସେମାନଙ୍କ ଭିତରୁ ପ୍ରତ୍ୟହ ୭୦/୮୦ଜଣ ରୋଗୀ ଭର୍ତ୍ତି ହୋଇଥାନ୍ତି। ଅନ୍ୟପଟେ ଅଲଟ୍ରା ସାଉଣ୍ଡ, ଏକ୍ସରେ, ସିଟି ସ୍କାନ୍‌, ମାମୋଗ୍ରାଫି ପରୀକ୍ଷଣ ପାଇଁ ମାତ୍ର ଜଣେ ରେଡିଓଲୋଜିଷ୍ଟ ରହିଛନ୍ତି। ଫଳରେ ରୋଗୀଙ୍କୁ ଉପଯୁକ୍ତ ସମୟରେ ସେବା ମିଳିପାରୁନି। ସିଇସିଟି ପାଇଁ ରୋଗୀଙ୍କୁ ୨ମାସ ଅପେକ୍ଷା କରିବାକୁ ପଡୁଛି। ଅନେକ ସମୟରେ ସିଟିସ୍କାନ୍‌ ହେଉନି। ଜଣେ ରେଡିଓଲୋଜିଷ୍ଟ ଥିବାରୁ କାମଚଳା ଢଙ୍ଗରେ ଚାଲିଛି କର୍କଟ କେନ୍ଦ୍ର। ଅଧିକ ରେଡିଓଲୋଜିଷ୍ଟ ଦେବା ପାଇଁ କେନ୍ଦ୍ର ପକ୍ଷରୁ ବହୁବାର ସ୍ବାସ୍ଥ୍ୟବିଭାଗକୁ ଚିଠି ଦିଆଯାଉଥଇଲେ ବି ତାର କିଛି ପ୍ରଭାବ ପଡ଼ୁ ନଥିବା ଅଭିଯୋଗ ହେଉଛି।

ଅନ୍ୟପଟେ କର୍କଟ ରୋଗୀଙ୍କ ପାଇଁ କ୍ଲିନିକାଲ ସାଇକୋଲୋଜିଷ୍ଟଙ୍କ ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ଦୀର୍ଘଦିନ ଧରି ଏହି ପଦ ଖାଲି ପଡିଛି। ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସର୍ଜିକାଲ ଅଙ୍କୋଲୋଜି ବିଭାଗରେ ୨ଟି, ଗାଇନିକ ଅଙ୍କୋଲୋଜି ବିଭାଗରେ ୨ଟି, ରେଡିଏସଡ଼୍ ଆଙ୍କୋଲୋଜି ବିଭାଗରେ ୨ଟି, ହେଡ଼୍‌ ଏଣ୍ଡ ନେକ୍‌ ଆଙ୍କୋଲୋଜି ଓ ମେଡିକାଲ ଅଙ୍କୋଲୋଜିରେ ଜଣେ ଲେଖାଏ ଆସିଷ୍ଟାଣ୍ଟ ପ୍ରଫେସର ପଦ ଦେଢବର୍ଷ ହେଲା ଖାଲି ପଡ଼ିଛି। ଓପିଡି ପାଇଁ ଥିବା ଅପେକ୍ଷା ଗୃହକୁ ବି କର୍ତ୍ତୃପକ୍ଷ କେବଳ ରାତିରେ ଖୋଲିଦେଲେ ବି ବହୁସଂଖ୍ୟକ ରୋଗୀ ରାତିଥଣ୍ଡାରୁ କିଛିଟା ଉପଶମ ପାଇଯାଆନ୍ତେ। ପରିସରରେ ଥିବା ଧର୍ମଶାଳାରେ ରହିବା ପାଇଁ ରୋଗୀ ପିଛା ୩୦ଟଙ୍କା ନିଆଯାଉଛି। ଅଳ୍ପ କେତେଜଣ ସେଥିରେ ରହି ଯାଉଥିବା ବେଳେ ଅନ୍ୟମାନେ ଶିତକାକରରେ ହନ୍ତସନ୍ତ ହେଉଛନ୍ତି। କର୍ତ୍ତୃପକ୍ଷ ଏଦିଗରେ ବ୍ୟବସ୍ଥା ଗ୍ରହଣ କରିବାକୁ ରୋଗୀ ଓ ସମ୍ପର୍କୀୟମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର