ଦୟନୀୟ ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର : ୮ଟି ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦ ଖାଲି, କ୍ଲିନିକାଲ ସାଇକୋଲୋଜିଷ୍ଟ ନାହାନ୍ତି, ଜଣେ ମାତ୍ର ରେଡିଓଲୋ‌ଜିଷ୍ଟ୍‌

କଟକ : ସାତଦିନ ଭିତରେ ବାୟୋପ୍ସି ରିପୋର୍ଟ ଆସିବା କଥା। ହେଲେ, ଆସିବାକୁ ଲାଗୁଛି ୧୫ରୁ ୨୦ ଦିନ। ଦିନକୁ ମାତ୍ର ୧୨/୧୩ଜଣଙ୍କ ଅଲଟ୍ରାସାଉଣ୍ଡ ହେଉଛି। ବାକି ସମେସ୍ତ ଫେରୁଛନ୍ତି। ପାଖାପାଖି ୧୫ଦିନ ଅପେକ୍ଷା କରିବ‌ା ପରେ ରୋଗୀଙ୍କ ପାଳି ପଡୁଛି। ଖାଲି ସେତିକୁ ନୁହେଁ, କେବଳ ନାଁକୁ ଚାଲିଛି ସିଟି ସ୍କାନ୍‌। ଜଣେ ରେଡିଓଲୋଜିଷ୍ଟ୍‌ରେ ବିଭାଗ ଚାଲିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏମାନଙ୍କୁ ଛାଡ଼ି ବିଭିନ୍ନ ବିଭାଗରେ ପାଖାପାଖି ୮ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦବି ଖାଲି ପଡ଼ିଥିବାବେଳେ କ୍ଲିନିକାଲ ସାଇକୋଲୋଜିଷ୍ଟ୍‌ ନାହାନ୍ତି। ମୋ’ ସରକାର ଓ ୫-ଟି ଯୋଜନା କାର୍ଯ୍ୟକାରୀ ହେବାପରେ ସ୍ଥିତି ବଦଳିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ, ଗତ ପ୍ରାୟ ଦେଢବର୍ଷରୁ ଅଧିକ ସମୟ ହେଲା ରାଜ୍ୟର ପ୍ରମୁଖ କର୍କଟ ଚିକିତ୍ସା କେନ୍ଦ୍ରରେ ଏଭଳି ହନ୍ତସନ୍ତ ହେଉଛନ୍ତି ରୋଗୀ। ଏପଟେ ରିପୋର୍ଟ ନ ଆସିଲେ ରୋଗୀଙ୍କୁ ‌ଆଡମିସନ୍‌ ମିଳୁନି, କି’ ଡାକ୍ତର ଚିକିତ୍ସା କରିପାରୁ ନାହାନ୍ତି। ଫଳରେ ରୋଗୀମାନେ ଦୀର୍ଘଦିନ ଧରି ବାରଣ୍ଡାରେ ସଉପ ପକାଇ ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି।

ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଆସିଥାଆନ୍ତି। କେବଳ ଆଶୁ ଚିକିତ୍ସା ବିଭାଗ(କାଜୁଆଲ୍‌ଟି)କୁ ଦୈନିକ ୩ ଶହ ରୋଗୀ ଆସୁଥିବା ବେଳେ ସେମାନଙ୍କ ଭିତରୁ ୭୦/୮୦ଜଣ ଭର୍ତ୍ତି ହୋଇଥାଆନ୍ତି। ହେଲେ, ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ଠିକ୍‌ ସମୟରେ ଚିକିତ୍ସା ଓ ପରୀକ୍ଷାର ରିପୋର୍ଟ‌୍ ମିଳୁ ନଥିବାରୁ ଶଯ୍ୟା ନ ପାଇ ଗୁରୁତର ରୋଗୀମାନେ ତଳେ ଗଡୁଛନ୍ତି। ବିଭିନ୍ନ ପରୀକ୍ଷଣ ପାଇଁ ଦୈନିକ ଶତାଧିକ ରୋଗୀ ଲାଇନ୍‌ରେ ଆସୁଥିବା ବେଳେ ଅଳ୍ପ କେତେଜଣଙ୍କ ପରୀକ୍ଷଣ କରାଯାଉଛି। ରିପୋର୍ଟ ମଧ୍ୟ ଠିକ୍‌ ସମୟରେ ମିଳି ପାରୁନି। ଅଲଟ୍ରା ସାଉଣ୍ଡ, ଏକ୍ସ-ରେ, ସିଟିସ୍କାନ୍‌, ମାମୋଗ୍ରାଫି ଆଦି ପରୀକ୍ଷଣ ପାଇଁ ମାତ୍ର ଜଣେ ରେଡିଓଲୋଜିଷ୍ଟ ରହିଛନ୍ତି। ଫଳରେ ରୋଗୀଙ୍କୁ ଠିକ୍‌ ସମୟରେ ଉପଯୁକ୍ତ ସେବା ମିଳି ପାରୁନି। ସିଇସିଟି ପାଇଁ ରୋଗୀଙ୍କୁ ୨ମାସ ଅପେକ୍ଷା କରିବାକୁ ପଡୁଛି। ଅନେକ ସମୟରେ ସିଟିସ୍କାନ୍‌ ମଧ୍ୟ ହୋଇ ପାରୁନି। ଜଣେ ରେଡିଓଲୋଜିଷ୍ଟଙ୍କ ହାତରେ ୫/୬ଟି ପରୀକ୍ଷଣ ଦାୟିତ୍ବ ଥିବାରୁ ସେ ନିଜ ଦାୟିତ୍ବ ଠିକ୍‌ ଭାବେ ତୁଲାଇବା ସମ୍ଭବ ହୋଇପାରୁନି।

ଅଲଟ୍ରାସାଉଣ୍ଡ ମଧ୍ୟ ଦିନକୁ ୧୦ରୁ ୧୫ରୁ ଭିତରେ ସୀମିତ ରହୁଛି। ପାଖାପାଖି ୨ବର୍ଷ ହେଲା ଏଭଳି ସ୍ଥିତିରେ ଚାଲିଛି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର। ଅଧିକ ରେଡିଓଲୋଜିଷ୍ଟ ଦେବା ପାଇଁ କେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ବହୁବାର ଚିଠି ଦିଆଯାଉଥିଲେ ବି ସେଥିରେ କିଛି ସୁଧାର ଆସୁ ନାହିଁ। ଅନ୍ୟପଟେ କର୍କଟ ରୋଗୀଙ୍କ ପାଇଁ କ୍ଲିନିକାଲ ସାଇକୋଲୋଜିଷ୍ଟଙ୍କ ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅଥଚ, ଏହି ପଦବି ଦୀର୍ଘଦିନ ହଲା ଖାଲି ପଡିଛି। ସେହିପରି ସର୍ଜିକାଲ ଅଙ୍କୋଲୋଜି ବିଭାଗରେ ୨ଟି, ଗାଇନିକ ଅଙ୍କୋଲୋଜି ବିଭାଗରେ ୨ଟି, ରେଡିଏସନ୍‌ ଆଙ୍କୋଲୋଜି ବିଭାଗରେ ୨ଟି, ହେଡ଼୍‌ ଏଣ୍ଡ ନେକ୍‌ ଆଙ୍କୋଲୋଜି ଓ ମେଡିକାଲ ଅଙ୍କୋଲୋଜିରେ ଜଣେ ଲେଖାଏଁ ଆସିଷ୍ଟାଣ୍ଟ ପ୍ରଫେସର ପଦ ଦେଢବର୍ଷ ହେଲା ଖାଲି ପଡିଛି। ଏଥିପାଇଁ ୪/୫ମାସ ତଳେ ବିଜ୍ଞାପନ ପ୍ରକାଶିତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ତାକୁ ରଦ୍ଦ କରି ଦିଆଗଲା। ସେହି କାରଣରୁ ୮ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡିଛି। ମୋ’ ସରକାର ଯୋଜନା ଆସିବା ପରେ ଆଚାର୍ଯ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା। ଏବେ ବି ଏଠାକାର ଅବସ୍ଥା ସୁଧୁରି ନ ଥିବାରୁ ରୋଗୀ ଓ କେନ୍ଦ୍ର କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର