ରାଜ୍ୟ ଆନ୍ତଃକ୍ଲବ୍‌ ଭାରୋତ୍ତଳନ ପ୍ରତିଯୋଗିତାରେ ଶକ୍ତିମାନ ଜିମ୍ନାସିୟମ୍‌ ଖେଳାଳିଙ୍କ କୃତିତ୍ବ

ଜଣେ ସ୍ବର୍ଣ୍ଣ, ୨ ଜଣ ଜିତିଲେ କାଂସ୍ୟ ପଦକ

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ନଙ୍ଗଳକଟା ଶକ୍ତିମାନ ଜିମ୍ନାସିୟମ୍‌ର ଖେଳାଳିମାନେ କୃତିତ୍ବ ହାସଲ କରିଛନ୍ତି। ସେପ୍ଟେମ୍ବର ୨ ତାରିଖରୁ ୪ ତାରିଖ ଯାଏ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ ବିଜୁ ପଟ୍ଟନାୟକ ଭାରୋତ୍ତଳନ ହଲ୍‌ରେ ଅନୁଷ୍ଠିତ ଅଲ୍‌ ଓଡ଼ିଶା ଅନ୍ତଃକ୍ଲବ୍‌ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜଣେ ଖେଳାଳି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୨ ଜଣ ଖେଳାଳି କାଂସ୍ୟ ପଦକ ହାସଲ କରିଛନ୍ତି। ମୀନା ସିଂ ୪୯ କିଗ୍ରା ଯୁବ ବର୍ଗରେ ଖେଳିଥିଲେ। ସେ ମୋଟ ୧୩୦ କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ସୂର୍ଯ୍ୟମଣି ସିଂ ୪୯ କିଗ୍ରା ବରିଷ୍ଠ ବର୍ଗରେ ଖେଳିଥିଲେ। ସେ ମୋଟ ୯୭ କିଗ୍ରା ଓଜନ ଉଠାଇ କାଂସ୍ୟ ପଦକ ହାସଲ କରିଛନ୍ତି।

ରଜତ ମହାନ୍ତ ୬୭ କିଗ୍ରା ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିଲେ। ସେ ମୋଟ ୧୯୬ କିଗ୍ରା ଓଜନ ଉଠାଇ କାଂସ୍ୟ ପଦକ ପାଇଛନ୍ତି। ଏହାଛଡ଼ା ବରିଷ୍ଠ ବର୍ଗରେ ରବୀନ୍ଦ୍ର ହାଁସଦା ଏବଂ ଯୁବ ବର୍ଗରେ ହରିଶଙ୍କର ମହାନ୍ତ, ଆକାଶ ମହାନ୍ତ, ଶୁଭଶ୍ରୀ ମହାନ୍ତ, ହୀରାମଣି ମହାନ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶକ୍ତିମାନ ଜିମ୍ନାସିୟମ୍‌ର ଖେଳାଳିମାନଙ୍କ ସଫଳତା ଖବର ମିଳିବା ପରେ ମୟୂରଭଞ୍ଜ ଭାରୋତ୍ତଳନ ସଂଘର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ସଭାପତି ନବକିଶୋର ସାହୁ, ତରୁଣ ମହାନ୍ତି, ପ୍ରିୟବ୍ରତ ଦାସ, ବିଜୟ ମିଶ୍ର ପ୍ରମୁଖ ସଫଳ ଖେଳାଳିଙ୍କ ସହ କୋଚ୍‌ ପରେଶ ଚନ୍ଦ୍ର ମହାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଂଗ୍ରାମ କେଶରୀ ଦେବ, ସୁକୁଲ ମୁର୍ମୁ, ଯଦୁପତି ମହାନ୍ତ, ଜନାର୍ଦ୍ଦନ ମହାନ୍ତ, ରତିକାନ୍ତ ମହାନ୍ତ ପ୍ରମୁଖ ଖେଳାଳିଙ୍କୁ ସ୍ବାଗତ କରିବା ସହ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର