କଟକ: ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମର ତ୍ରିଲୋଚନ ମିଶ୍ର ଓ ବିରଞ୍ଚି ନାରୟଣ ମିଶ୍ରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ଚାଲିବ। ଇଡି ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତ (ପିଏମ୍‌ଏଲ୍‌ଏ) ଉଭୟ ଆବେଦନକାରୀଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନର ଧାରା ୪ରେ ୨୦୧୮, ସେପ୍ଟେମ୍ବର ୨୫ରେ କଗ୍‌ନିଜାନ୍ସ ଗ୍ରହଣ କରି ପ୍ରଦାନ କରିଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ସ୍ବତନ୍ତ୍ର ଅଦାଲତଙ୍କ କଗ୍‌ନିଜାନ୍ସ ନି‌ର୍ଦ୍ଦେଶ ହାଇକୋର୍ଟରେ କାଏମ ରହିଛି। ସେହିଭଳି ତ୍ରିଲୋଚନ ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର  ଓ ଶ୍ରୀଶ୍ରୀଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟ ପକ୍ଷରୁ ଇଡି ମାମଲାରେ ଡିସ୍‌ଜାର୍ଚ ପାଇଁ ଦାୟର ଆବେଦନକୁ ଖାରଜ କରି ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଅଦାଲତ ୨୦୨୩, ଜାନୁଆରି ୨୦ରେ ପ୍ରଦାନ କରିଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ସହିତ ଆବେଦନକାରୀମାନେ ଟ୍ରାଏଲର ସମ୍ମୁଖୀନ ହେବେ ବୋଲି କହିଛନ୍ତି। ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କଗ୍‌ନିଜାନ୍ସ ନି‌ର୍ଦ୍ଦେଶ ଓ ଡିସ୍‌ଚାର୍ଜ ପିଟିସନ ଖାରଜ ଆଦେଶ ବିରୋଧରେ ଦାୟର ତିନୋଟି ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

Odisha High Court Orders Chilika: ଚିଲିକା ତହସିଲ ଅନ୍ତର୍ଗତ ସରକାରୀ ଜମିରୁ ଜବର ଦଖଲ ଉ‌ଚ୍ଛେଦ ବେଳେ ସିଆରପିଏଫ୍‌ ମୁତୟନ କରାଯିବ

High court: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଗିରଫ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅବଗତ କରାଯିବା ବାଧ୍ୟତାମୂଳକ

ହାଇକୋର୍ଟଙ୍କ ରାୟ ପରେ ଆବେଦନକାରୀଙ୍କ ବିରୋଧରେ ଇଡି ମାମଲାର ସ୍ବତନ୍ତ୍ର ଅଦାଲତରେ ଶୁଣାଣି ଚାଲିବ ବୋଲି ସ୍ପଷ୍ଟ ହୋଇଛି। ସୂଚନାନୁଯାୟୀ, ତ୍ରାହି ଅଚ୍ୟୁତ ଆଶ୍ରମର ଏକ ଶାଖା ଜାତୀୟ ରାଜପଥ କଡ଼ ଛତ୍ରପୁର ଜୟଦୁର୍ଗାନଗର ଠାରେ ରହିଥିଲା। ଏହି ଜମି କିଣାବିକା ବେଳେ ଠକେଇର ଶିକାର ହୋଇଥିବା ଦର୍ଶାଇ ମୂଳ ଜମି ମାଲିକ ଛତ୍ରପୁର ଥାନାରେ ୨୦୧୫ ସେପ୍ଟେମ୍ବର ୩ରେ ସୁରେନ୍ଦ୍ରନାଥ ମିଶ୍ର ଓରଫ ସୁର ବାବା, ପୁଅ ତ୍ରିଲୋଚନ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ ଏତଲା ଦେଇଥିଲେ। ପରେ ଏହି ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଥିଲା। ୨୦୧୮ରେ ଇଡି ପକ୍ଷରୁ ସ୍ବତନ୍ତ୍ର ଅଦାଲତରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ପାଇଁ କାର୍ଯ୍ୟାନୁଷ୍ଠାନ ସହିତ ସମ୍ପତ୍ତି ଜବତ ଲାଗି ଇଡି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା।

ସ୍ବତନ୍ତ୍ର ଅଦାଲତ ମାମଲାରେ ୨୦୧୮ ସେପ୍ଟେମ୍ବର ୯ରେ ଗ୍ରହଣ କରିଥିବା  କଗନିଜାନ୍ସକୁ ଚ୍ୟାଲେଞ୍ଜ କରି ୨୦୧୯ରେ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲାରୁ ମୁକ୍ତି ପାଇଁ ଆବେଦନକାରୀ ଦାଖଲ କରିଥିବା ଡିସ୍‌ଚାର୍ଜ ପିଟିସନକୁ ସ୍ବତନ୍ତ୍ର ଅଦାଲତ ୨୦୨୩, ଜାନୁଆରି ୨୦ରେ ଖାରଜ କରିଥିଲେ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲାଗୁଡ଼ିକର ଏକତ୍ର ଶୁଣାଣି ହୋଇଥିଲା। ଇଡି ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।