୯ ବର୍ଷରେ ୬୯ଜଣଙ୍କୁ ଏସିଡ୍‌ ମାଡ଼; ଆଗରେ ଯାଜପୁର, ତଳକୁ ଦ୍ବୈତନଗରୀ

ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ଏସିଡ୍‌ ଆକ୍ରମଣ ଘଟଣା ବଢ଼ି ବଢ଼ି ଚାଲିଛି। କେତେବେଳେ କିଏ ପ୍ରେମରେ ବିଫଳ ହୋଇ ପ୍ରେମିକାକୁ ଏସିଡ୍‌ ମାଡ଼ କଲାଣି ତ ଆଉ କେତେବେଳେ କେହି ଜାଗାବାଡ଼ି ବିବାଦକୁ ନେଇ ହେଉ କିମ୍ବା ସୁଧ କାରବାରକୁ ନେଇ। ଦୁଇ ଦିନ ତଳେ ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ଫାଟକ ନିକଟରେ ଏକ ବିହାରୀ ଦମ୍ପତି ପରସ୍ପର ଝଗଡ଼ା ଲାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପତ୍ନୀ ନିଜ ପତିଙ୍କ ଦେହରେ ଏସିଡ୍‌ ଢ଼ାଳି ଦେଇଥିଲେ। ଗୁରୁତର ଅବସ୍ଥାରେ ପତି ଏବେ ଜିଲ୍ଲା ମୁଖ୍ୟଚିକିତ୍ସାଳରେ ଚିକିତ୍ସାଧୀନ ଅଛନ୍ତି ଓ ଅଭିଯୁକ୍ତ ପତ୍ନୀ ପୁଲିସ୍‌ ହେପାଜତରେ।

ସେହିପରି ଦୁଇ ମାସ ତଳେ କଟକ, ଆଠଗଡ଼ର ତିଗିରିଆ ଅଞ୍ଚଳର ରୀନା ସାହୁ ନାମକ ଜଣେ ମହିଳାଙ୍କୁ ଦୁଇଜଣ ଦର୍ବୃତ୍ତ ଏସିଡ୍‌ ମାଡ଼ କରିଥିଲେ। ସୁଧ କାରବାରକୁ ନେଇ ଏହି ଘଟଣା ଘଟିଥିଲା। ରୀନା ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟ‌ରେ ଚର୍ଚ୍ଚା ହୋଇଥିଲା।

useallot.com

କ୍ରାଇମବ୍ରାଞ୍ଚଠାରୁ ଯାହା ତଥ୍ୟ ମିଳିଛି, ଏସିଡ୍‌ ମାଡ଼ ଭଳି ଅପରାଧ ଯାଜପୁର ଜିଲ୍ଲାରେ ଅଧିକ ଘଟିଥିବା ବେଳେ ପଛକୁ ରହିଛି ଦ୍ବୈତନଗରୀ କଟକ ଓ ଭୁବନେଶ୍ବର। ସୁପ୍ରିମକୋର୍ଟ ଏସିଡ୍‌ ମାଡ଼ ଭଳି ଅପରାଧକୁ ଅତ୍ୟନ୍ତ ନୃଶଂସ, ଜଘନ୍ୟ ଓ ଘୃଣ୍ୟ ଅପରାଧ ବୋଲି ବିବେଚନା କରିଛନ୍ତି। ଏସିଡ୍‌ ମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ସତ୍ତ୍ବେ ରାଜ୍ୟରେ ଦିନକୁ ଦିନ ଏସିଡ୍‌ ମାଡ଼ ଭଳି ଘଟଣା ବଢ଼ି ଚାଲିଛି। ୨୦୧୨ ମସିହାରୁ ରାଜ୍ୟ ସରକାର ଏସିଡ୍ ଆକ୍ରମଣ ପୀଡ଼ିତାମାନଙ୍କୁ ଏଯାଏ ୫୯ ଲକ୍ଷ ୩୨ ହଜାର ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି।

 

ସୂଚନା ମିଳିଛି, ଗତ ୯ ବର୍ଷରେ ରାଜ୍ୟରେ ୬୯ଜଣଙ୍କୁ ଏସିଡ୍‌ ମାଡ଼ ହୋଇଛି। ଏହି ସବୁ ଘଟଣାରେ ପୁଲିସ ୬୮ଜଣଙ୍କୁ ଗିରଫ କରିଥିବା ବେଳେ ୨୫ରୁ ଅଧିକ ଅଭିଯୁକ୍ତ ଏଯାଏ ଫେରାର ଅଛନ୍ତି। ୬୯ଜଣଙ୍କ ମଧ୍ୟରୁ ୩୨ଜଣଙ୍କର ୭୦ପ୍ରତିଶତରୁ ଅଧିକ କ୍ଷତି ହୋଇଛି। ବଡ଼ କଥା ହେଉଛି, ଏସିଡ୍‌ ବିକ୍ରି ଉପରେ କୌଣସି ଲଗାମ ନ ରହିବା କାରଣରୁ ଏଭଳି ଅପରାଧ ବଢ଼ି ଚାଲିଛି ଏସିଡ୍ ସହଜରେ ମିଳି ଯାଉଥିବାରୁ ଅପରାଧୀମାନେ ଏହାର ଫାଇଦା ଉଠାଉଛନ୍ତି।

ଏ ସମ୍ପର୍କରେ ଆଇନଜୀବୀ ମଧୁମିତା ରଥ କହିଛନ୍ତି, ୨୦୧୩ ମସିହାରେ ଦିଲ୍ଲୀରେ ଜଣେ ଶିକ୍ଷକ ୪ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ଢାଳି ଦେବା ପରେ ସୁପ୍ରିମକୋର୍ଟ ଏକ ନୂଆ ନିୟମ ଲାଗୁ କରିଥିଲେ। ଏସିଡ୍ ଆକ୍ରମଣକାରୀ ବିରୋଧରେ ୩୨୬/ଏ, ୩୨୬/ବି ଭଳି ଦଫା ଲଗା ଯାଉଛି। ଏସିଡ୍‌ ମାଡ଼ ଯୋଗୁଁ ଶରୀରର ୭୦ ପ୍ରତିଶତ କ୍ଷତି ହୋଇଥିଲେ ୩୨୬/ଏ ଦଫା ଲାଗିଥାଏ। ଅଭିଯୁକ୍ତ ଏଥିରେ ଦଣ୍ଡିତ ହେଲେ, ୧୦ ବର୍ଷ କିମ୍ବା ଆଜୀବନ ଦଣ୍ଡ ଭୋଗିଥାଏ। ସେହିପରି ୭୦ ପ୍ରତିଶତରୁ କମ୍ ହୋଇଥିଲେ, ଅଭିଯୁକ୍ତ ବିରୋଧରେ ୩୨୬/ ବି ଦଫା ଲାଗେ। ଅଭିଯୁକ୍ତ ଏଥିରେ ଦଣ୍ଡିତ ହେଲେ, ୫ରୁ ୭ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥାଏ। ଏସିଡ୍‌ ଆକ୍ରମଣ କେବଳ ଯୁବତୀ ବା ମହିଳାମାନଙ୍କ ଉପରେ ହେଉଛି, ତାହା ନୁହେଁ, ଅନେକ ଘଟଣାରେ ମହିଳା ଏବଂ ଯୁବତୀମାନେ ପୁରୁଷମାନଙ୍କ ଉପରେ ମଧ୍ୟ ଏସିଡ୍‌ ମାଡ଼ କରିଛନ୍ତି।

ଖୁଲମଖୁଲା ଏସିଡ୍‌ ବିକ୍ରି ସମ୍ପର୍କରେ ଆଇନଜୀବୀ ଶ୍ରୀମତୀ ରଥ କହିଛନ୍ତି, ଯେଉଁମାନେ ଏସିଡ୍‌ ବିକୁଛନ୍ତି, ସେମାନଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିବା ଉଚିତ। ନିୟମ ଅନୁଯାୟୀ ଯେଉଁମାନେ ଏସିଡ୍ କିଣିବାକୁ ଯାଉଛନ୍ତି, ଦୋକାନୀ ସେମାନଙ୍କ ଆଧାରକାର୍ଡର ଏକ ନକଲ କପି ଓ ରେଜିଷ୍ଟର୍‌ରେ ତାଙ୍କ ନାମ, ମୋବାଇଲ ନମ୍ବର ଟିପି ରଖିବା ଉଚିତ। ସେହିପରି କେଉଁ ଉଦ୍ଦେଶ୍ୟରେ ଜଣେ ଏସିଡ୍‌ କିଣୁଛି, ତାଙ୍କଠାରୁ ଏକ ହାତଲେଖା ରଖିବାର ମଧ୍ୟ ନିୟମ ରହିଛି। ଜଗତ୍‌ସିଂହପୁରରେ ପ୍ରମୋଦିନୀ ରାଉଳ ନାମକ ଜଣେ ଯୁବତୀଙ୍କ ଉପରେ ଏସିଡ୍‌ ମାଡ଼ ହେବା ପରେ ରାଜ୍ୟ ସରକାର ଏବେ ପ୍ରତ୍ୟେକ ଏସିଡ୍‌ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର