ସୁନ୍ଦରଗଡ଼/ହେମଗିର: ବିଜୟନଗରମ୍‌ସ୍ଥିତ ଶ୍ରୀ ସାଇମନିକର୍ଣ୍ଣମ ଇଟାଭାଟିରେ ବନ୍ଧା ପଡ଼ିଥିବା ୭ ଶ୍ରମିକଙ୍କୁ ମୁକ୍ତି ପାଇଁ ଠିକାଦାର ଦେଢ ଲକ୍ଷ ଟଙ୍କା ଦାବି କରିଛନ୍ତି। ଗତକାଲି ରାତିରେ ସମ୍ପୃକ୍ତ ଠିକାଦାର ଜଣେ ଶ୍ରମିକଙ୍କୁ ଟେଲିଫୋନ କରି ଏଭଳି ଧମକ ଦେବା ସହ କେତେକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମଧ୍ୟ ଅନୁରୂପ ମତବ୍ୟକ୍ତ କରିଛନ୍ତି। ଶ୍ରମିକଙ୍କୁ ଏସିଡ ମାଡ଼ ଓ ଆଙ୍ଗୁଠି କାଟିବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଠିକାଦାରଙ୍କ ଉପରେ ଏହାର କୌଣସି ପ୍ରଭାବ ନ ପଡ଼ିବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବରଗଡ଼ ଭଟଲି ଅଞ୍ଚଳର ଦଲାଲ ଦମ୍ପତି ବିଳାସ ଡୁଙ୍ଗଲିଆ ଓ ସୁମିତ୍ରା ହେମଗିର ବୁର୍ତ୍ତା ଗାଁର ଜୟଦେବ ଚାନ୍ଦଲିଆ, ତାଙ୍କ ପତ୍ନୀ ଭୂମି ଓ ୧୯ ବର୍ଷର ପୁଅ ଶ୍ୟାମସୁନ୍ଦର, କିରଞ୍ଜ ବାରିକ ଓ ତାଙ୍କ ପତ୍ନୀ କୌଶଲ୍ୟା, ୪ ବର୍ଷର ଝିଅଙ୍କ ସହ ଶାନ୍ତ ବାରିକ, ସୁଭାଷ ନାଏକ, ବଟି ନାଏକ, ଦୋନାଦେ ଚାନ୍ଦଲିଆ ପ୍ରମୁଖ ୧୧ ଜଣ ଶ୍ରମିକଙ୍କୁ ଗତ ଦଶହରା ପରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଶ୍ରୀ ସାଇମନିକର୍ଣ୍ଣମ ଇଟାଭାଟିକୁ ନେଇ ଇଟା ଗଢ଼ିବା କାମରେ ନିୟୋଜିତ କରିଥିଲା। ଅଢ଼େଇ ମାସ କାମ କରିବା ପରେ ବି ଉପଯୁକ୍ତ ପାରିଶ୍ରମିକ ଦେଇନଥିଲା। ମୁହଁ ଖୋଲିବାରୁ ଶ୍ରମିକ କିରଞ୍ଜଙ୍କ ଡାହାଣ ହାତକୁ ଚୋଟ ମାରି ତା’ ୪ ଆଙ୍ଗୁଠି କାଟି ଦେଇଥିଲା ଏବଂ ଜୟଦେବଙ୍କ ଉପରକୁ ଏସିଡ଼ ପକାଇ ଜାଳି ଦେଇଥିଲା।

Advertisment

ଆଜି ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିବା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ବନ୍ଧକ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ରାଜ୍ୟ ସରକାର ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉପ ଶ୍ରମ ଆୟୁକ୍ତଙ୍କ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ଶ୍ରମ ଆୟୁକ୍ତ ଅଞ୍ଜନ କୁମାର ମାଣିକ ଆନ୍ଧ୍ର ଶ୍ରମ ଆୟୁକ୍ତଙ୍କୁ ଚିଠି ଲେଖି ବନ୍ଧକ ଶ୍ରମିକଙ୍କ ଉଦ୍ଧାର ପାଇଁ ସହଯୋଗ ଲୋଡ଼ିଛନ୍ତି। ଅପରପେକ୍ଷ ଉପ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ବଳିଆର୍ ସିଂ ଆଜି ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ରଙ୍କ ସହ ସୁନ୍ଦରଗଡ଼ ଆସି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏସିଡ୍ ପୀଡ଼ିତ ଶ୍ରମିକ ଜୟଦେବ ଚାନ୍ଦଲିଆଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏହା ସହ ଉପାୟୁକ୍ତଙ୍କ ଉପସ୍ଥିତିରେ ଜୟଦେବଙ୍କ ଚିକିତ୍ସା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ତାଙ୍କ ଭାଇ ବାସୁଦେବ ଚାନ୍ଦଲିଆଙ୍କୁ ପ୍ରଦାନ କରାଯାଇଛି। ଏହା ସହ ଓଡ଼ିଶା ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସେଲ୍ ସହଯୋଗରେ ଜିଲ୍ଲା ପୁଲିସ ଓ ଶ୍ରମିକ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଆସନ୍ତାକାଲି ବିଜୟନଗରମ୍ ଇଟାଭାଟିକୁ ଯାଇ ବନ୍ଧକ ଶ୍ରମିକମାନଙ୍କୁ ଉଦ୍ଧାର କରିବେ ବୋଲି ସେ କହିଛନ୍ତି। କିନ୍ତୁ ସେପଟେ ଏତେ ସବୁ ଘଟଣା ପରେ ବି ବନ୍ଧକ ଶ୍ରମିକଙ୍କୁ ଇଟାଭାଟିର ଜହ୍ଲାଦ ଠିକାଦାର ମହେଶ ବାବୁ କାଲା ସହଜରେ ଛାଡ଼ିବାକୁ ରାଜି ହେଉନଥିବା ଜଣାପଡ଼ଛି। ଲୁଚି ପଳାଇ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ସୁଭାଷ ନାଏକଙ୍କୁ ଗତକାଲି ସନ୍ଧ୍ୟାରେ ଫୋନ୍ କରି ଧମକଚମକ ଦେବା ସହ ଦେଢ଼ ଲକ୍ଷ ଦେଲେ ଯାଇ ୭ ଶ୍ରମିକ ମୁକୁଳିବେ ବୋଲି ଅଜବ ସର୍ତ୍ତ ରଖିଛି। ନହେଲେ ୭ ଜଣ ଯାକ ଜୟଦେବ ଓ କିରଞ୍ଜ ଭଳି ଅବସ୍ଥା ଭୋଗିବେ ବୋଲି ସେ କ୍ରୂର ଚେତାବନୀ ଦେଇଛି। ଏପରିକି ତା’ ସହ ଯୋଗାଯୋଗ କରିଥିବା କିଛି ଗଣାମଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସମ୍ପୃକ୍ତ ଠିକାଦାର ସେହି ସମାନ କଥା ଦେଢ଼ ଲକ୍ଷ ନଦେବା ଯାଏ ଶ୍ରମିକ ବନ୍ଧକ ରହିବେ ବୋଲି କହିଛି। ସେଠାରେ ଏବେ ଠିକାଦାରଙ୍କ କବ୍‌ଜାରେ ଜୟଦେବଙ୍କ ପତ୍ନୀ ଭୂମି, କିରଞ୍ଜ ବାରିକ ଓ ତାଙ୍କ ପତ୍ନୀ କୌଶଲ୍ୟା, ବଟି ନାଏକ, ଦୋନାଦେ ଓ ଅନ୍ୟ ଜଣେ ଶ୍ରମିକ ରହିଛନ୍ତି।